ନୂଆଦିଲ୍ଲୀ,୦୨/ ୦୪: ଲୋକସଭାରେ ଉପସ୍ଥାପିତ ହୋଇଛି ବହୁ ପ୍ରତୀକ୍ଷିତ ୱାକଫ ସଂଶୋଧନ ବିଲ୍ । ସଂସଦୀୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିଲ୍ ଆଗତ କରିଛନ୍ତି । ଏହାପରେ ବିଲ୍ ଉପରେ ଚର୍ଚ୍ଚା ଜାରି ରହିଛି । ବାଚସ୍ପତି ଓମ୍ ବିର୍ଲା ବିଲ୍ ଉପରେ ୮ ଘଣ୍ଟା ଧରି ଚର୍ଚ୍ଚା କରିବେ । ବିଲ୍ ଉପସ୍ଥାପନ କରି ଏହାର କୌଣସି ଧାର୍ମିକ ବ୍ୟବସ୍ଥା ସହ ସମ୍ପର୍କ ନାହିଁ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । ବିଲ୍ ଆଗତ ସମୟରେ ବିରୋଧୀ ପ୍ରବଳ ହୋ ହାଲ୍ଲା କରିଥିଲେ ।

ବିଲ୍ ଆଗତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିିଜୁ କହିଛନ୍ତି,''  ୱାକଫ୍ ବିଲ୍ ସହ କୌଣସି ମସଜିଦ୍, ମନ୍ଦିର କିମ୍ବା ଧାର୍ମିକ ସ୍ଥଳ ଓ ବ୍ୟବସ୍ଥା ସହ କିଛି ସମ୍ପର୍କ ନାହିଁ । ଏହା ଏକ ସାଧାରଣ ସମ୍ପତ୍ତି ପରିଚାଳନାର ବିଷୟ । ଏହାକୁ ସଂଶୋଧନ କରିବାର ଆବଶ୍ୟକତା ଥିଲା । ପୂର୍ବରୁ ଉଲ୍ଲେଖ୍ୟ କରିଥିଲି କି କେହି ବି ଭାରତୀୟ ୱାକଫ୍ କରିପାରିବେ । ୧୯୯୫ରେ ଏପରି ନଥିଲା । ୨୦୧୩ରେ ପରିବର୍ତ୍ତନ ହୋଇଥିଲା । ବର୍ତ୍ତମାନ ଆମେ ଏହାକୁ ବ୍ୟବସ୍ଥାକୁ ପୁନଃସ୍ଥାପିତ କରିଛୁ । ଏହି ନିଶ୍ଚିନ୍ତ କରିଛୁ ଅତି କମରେ ୫ବର୍ଷ ଇସଲାମ୍ ପାଳନ କରିଥିବା ବ୍ୟକ୍ତି ନିଜ ସମ୍ପତ୍ତି ୱାକଫ୍ କରିପାରିବେ ।

ବିଲ୍‌କୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି,'' ବିରୋଧୀଙ୍କ ଦ୍ବାରା ଏହି ବିଲ୍ ଜେପିସିକୁ ପଠାଗଲା । କମିଟି ଏହା ଉପରେ ସୁବିଚାରିତ ରୂପରେ ମତ ରଖିଥିଲେ । ଏହା କ୍ୟାବିନେଟକୁ ଯାଇଥିଲା । ଏହା ସଂଶୋଧନ ହୋଇ ଆସିଲା । ଏହାକୁ ନେଇ ଜେପିସି ବନାଇବାକୁ ବିରୋଧୀ ହିଁ ଆଗ୍ରହୀ ଥିଲେ ।''

ଅଧିକ ପଢନ୍ତୁ...Waqf Amendment Bill ; ସଂସଦରେ ଜୋରଦାର ହଙ୍ଗାମା, କଳା କୁର୍ତ୍ତା ପିନ୍ଧି କଂଗ୍ରେସର ବିରୋଧ

ୱାକଫ୍  ସଂଶୋଧନ  ବିଲ୍ କଣ ?

୧୯୫୪ରେ ଜବାହାରଲାଲ ନେହେରୁଙ୍କ ସରକାର ସମୟରେ ୱାକଫ୍ ବିଲ୍ ଆଇନ୍ ପାରିତ ହୋଇଥିଲା । ସେବେଠୁ ଆଇନରେ ଏକାଧିକ ସଂଶୋଧନ ହୋଇ ସାରିଛି । ୱାକଫ୍ ବୋର୍ଡରେ ଏକ ସର୍ଭେ କମିଶନ ରହିଛି ଯାହା ଦାନ ସମ୍ପତ୍ତିର ହିସାବ ରଖେ । ବୋର୍ଡରେ ମୁସଲିମ ସାଂସଦ, ମୁସଲିମ ଆଇଏଏସ ଅଧିକାରୀଙ୍କୁ ସାମିଲ କରାଯାଏ । ୱାକଫ୍‌ର ସମ୍ପତ୍ତି ସମ୍ପର୍କିତ ମାମଲାରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ଓ ଭୂମିକା ରହିବ । ସମ୍ପତ୍ତି ୱାକଫ୍‌ର କି ନୁହେଁ, ତାହା ସ୍ଥିର କରିବାକୁ ରାଜ୍ୟ ସରକାର ଜଲ୍ଲାପାଳଙ୍କ ଉପର ଅଧିକାରୀଙ୍କୁ ନିଯୁକ୍ତି କରିପାରନ୍ତି । ଜଣେ ୫ ବର୍ଷ ଇସଲାମ ଧର୍ମ ପାଳନ କରିଥିଲେ ହେଁ ନିଜ ସମ୍ପତ୍ତି ୱାକଫ୍‌ କରିପାରିବେ । ୱାକଫ୍‌ ପରିଷଦରେ ଦୁଇ-ଜଣ ଅଣ ମୁସଲମାନ ସଦସ୍ୟ ରହିବେ । ପୂର୍ବରୁ ୱାକଫ୍ ସମ୍ପତ୍ତିର ସର୍ବେକ୍ଷଣ ଓ ତଦାରଖ ଜିଲ୍ଲାପାଳ କରୁଥିଲେ । ଏବେ ଜଣେ ବରିଷ୍ଠ ଅଧିକାରୀ ଏହା କରିପାରିବେ । ଲୋକସଭାରେ ସଂଖ୍ୟାଗରିଷ୍ଠତା ହିସାବରେ ଏନଡ଼ିଏ ସ୍ଥିତି ମଜବୁତ ରହିଛି । ଦଳ ପାଖରେ ୨୯୩ ସାଂସଦ ଅଛନ୍ତି । ବିଲ୍ ପାସ୍ କରିବାକୁ ୨୭୨ ଭୋଟର ଆବଶ୍ୟକତା ରହିଛି ।