ନୂଆଦିଲ୍ଲୀ, ୦୭/୦୫ : ପାକିସ୍ତାନ ସହ ଯୁଦ୍ଧ ଆଶଙ୍କା ଘନେଇଥିବା ବେଳେ ଭାରତ ଏହାର ପ୍ରତିରକ୍ଷା କ୍ଷମତା ବଢ଼ାଇବାରେ ଲାଗିଛି । ବାରମ୍ବାର ମିସାଇଲ ପରୀକ୍ଷଣ ହେଉଥିବା ବେଳେ ଯୁଦ୍ଧାଭ୍ୟାସ ବି ଜାରି ରହିଛି । ସେହିଭଳି ଖୁବଶୀଘ୍ର ନୌସେନାକୁ ଆଉ ଏକ ଯୁଦ୍ଧ ଜାହାଜ ମିଳିବାକୁ ଯାଉଛି । ଚଳିତମାସ ୨୮ ତାରିଖରେ ନୌସେନାକୁ ‘ଆଇଏନ୍‌ଏସ୍‌-ତମଲ’ ଯୁଦ୍ଧ ଜାହାଜ ମିଳିବ । ରୁଷ୍‌ରୁ ଏହା ଆସିବ । କିଛିଦିନ ତଳେ ରୁଷ୍‌ ଭାରତକୁ ଇଗଲା-ଏସ୍‌ ମିସାଇଲ ଦେଇଥିଲା । 

ରିପୋର୍ଟ ମୁତାବକ, ଆଇଏନ୍‌ଏସ୍‌-ତମଲ ମେ ଶେଷ ଭାଗରେ ମିଳିବା ପରେ ଏହାକୁ ଜୁନ୍‌ରେ ଔପଚାରିକ ଭାବେ ନୌସେନାରେ ସାମିଲ କରାଯିବ । ଏଥିରେ ଯେଉଁ ବ୍ରହ୍ମୋସ ମିସାଇଲ ଖଞ୍ଜା ହୋଇଛି, ତାହା କୌଣସି ଦେଶର ରାଡାରର ନଜରକୁ ଆସିବ ନାହିଁ । ଅର୍ଥାତ୍‌ ରାଡାରକୁ ଏହା ଚକ୍‌ମା ଦେଇ ଶତ୍ରୁ ପକ୍ଷକୁ ଟାର୍ଗେଟ୍‌ ବନାଇ ପାରିବ । ତମଲ ଯୁଦ୍ଧପୋତ ୨୦୧୬ରେ ଭାରତ ଓ ରୁଷ୍‌ ମଧ୍ୟରେ ହୋଇଥିବା ପ୍ରତିରକ୍ଷା ଚୁକ୍ତିର ଅଂଶବିଶେଷ । ଏହି ଚୁକ୍ତି ଅଧୀନରେ ୪ଟି ତଲୱାର-ଶ୍ରେଣୀ ଷ୍ଟିଲ୍‌ଥ ଫ୍ରିଗେଟ୍‌ (ଯୁଦ୍ଧପୋତ) ନିର୍ମାଣ କରାଯାଉଛି । ତନ୍ମଧ୍ୟରୁ ଦୁଇଟି ରୁଷ୍‌ର ୟନ୍ତର ଶିପୟାର୍ଡରେ ଏବଂ ଦୁଇଟି ଭାରତର ଗୋଆ ଶିପୟାର୍ଡରେ ପ୍ରସ୍ତୁତ ହେଉଛି । ତମଲ ରୁଷ୍‌ରେ ନିର୍ମିତ ଦ୍ୱିତୀୟ ଫ୍ରିଗେଟ୍‌ ବା ଯୁଦ୍ଧପୋତ । ଏହା ପୂର୍ବରୁ ଆଇଏନ୍‌ଏସ୍‌ ତୁଶିଲକୁ ୨୦୨୪ ଡିସେମ୍ବରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରୁଷ୍‌ର ତଟବର୍ତ୍ତୀ ସହର କଲିନିନଗ୍ରାଦରେ ହାସଲ କରିଥିଲେ । 

ଆଇଏନ୍‌ଏସ୍‌-ତମଲରେ ରହିଥିବା ବିଶେଷତ୍ୱଗୁଡ଼ିକ ହେଉଛି ଏହା ଗୋଟିଏ ଥରରେ ୩ ହଜାର କିଲୋମିଟର ଯାଇପାରିବ । ଏହା ସୁପରସୋନିକ ବ୍ରହ୍ମୋସ ମିସାଇଲ ମାଡ଼ କରିପାରିବ । ଏହାର ଓଜନ ୩୯୦୦ ଟନ ହୋଇଥିବା ବେଳେ ବେଗ ଘଣ୍ଟା ପିଛା ୫୫ କିଲୋମିଟର । ଏଥିରେ ଅତ୍ୟାଧୁନିକ ରାଡାରସେନ୍‌ସର ଓ ଯୁଦ୍ଧ ପରିଚାଳନା ବ୍ୟବସ୍ଥା ରହିଛି । ଏହି ଯୁଦ୍ଧପୋତକୁ ସଞ୍ଚାଳନ ପାଇଁ ୨୦୦ରୁ ଅଧିକ ଭାରତୀୟ ନୌସୈନିକଙ୍କୁ ତାଲିମ ପ୍ରଦାନ କରାଯାଇଛି । ସେମାନେ ଏହାର ବୈଷୟିକ ବୈଶିଷ୍ଟ୍ୟ ବାବଦରେ ବି ଭଲ ଭାବେ ଅବଗତ ହୋଇଛନ୍ତି । ତମଲର ଯେଉଁ ସାମୁଦ୍ରିକ ପରୀକ୍ଷାମୂଳକ ଜଳାବତରଣ ହୋଇଥିଲା ସେଥିରେ ଏମାନେ ସାମିଲ ହୋଇଥିଲେ । ଏହି ଭାରତୀୟ ଦଳ ମେ ଶେଷ ଭାଗରେ ତମଲକୁ ରୁଷ୍‌ରୁ ଆଣି ଭାରତ ଫେରିବ । ବର୍ତ୍ତମାନ ଗୋଆରେ ଆଉ ଦୁଇଟି ଯୁଦ୍ଧପୋତ ନିର୍ମାଣ କରାଯାଉଛି । ଏଗୁଡ଼ିକ ଲାଗି ଆବଶ୍ୟକ ଇଞ୍ଜିନକୁ ଆଗୁଆ ଅଣାଯାଇଛି ।

ଏହି ଖବରଟିକୁ ପଢନ୍ତୁ-Operation Sindoor: ପାକିସ୍ତାନରେ ଭାରତୀୟ ସେନାର ଏୟାରଷ୍ଟ୍ରାଇକ; ଭାରତରେ ବିମାନବନ୍ଦର ବନ୍ଦ, ବିମାନ ସେବା ରଦ୍ଦ କଲା ଏୟାରଲାଇନ୍ସ