ଭୁବନେଶ୍ୱର,୨୫/୦୭: ବର୍ଷା ଲାଗି  ରହିଛି । ମୌସୁମୀ ସକ୍ରିୟ । ଏପଟେ ଅବପାତର  ରୂପ ନେବା ପାଇଁ ବଳ ବଢ଼ାଉଛି ଲଘୁଚାପ । ପାଣିପାଣ ବିଭାଗ ପୂର୍ବାନୁମାନ, ପ୍ରବଳ ବର୍ଷିବ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ । ଏହା ପରବର୍ତ୍ତୀ ସପ୍ତାହରେ ଆଉ ଏକ ଘୂର୍ଣ୍ଣିବଳୟ  କିମ୍ବା ଲଘୁଚାପ ସୃଷ୍ଟି ହୋଇପାରେ । 

ଚଳିତବର୍ଷ ଓଡ଼ିଶାର ଚାଷୀଙ୍କୁ ଆଶୀର୍ବାଦ ହୋଇଛି ମୌସୁମୀ ବର୍ଷା । ଚାଷ ଆଗେଇ  ନେବାକୁ ଅନୁକୂଳ ହେଉଛି ପାଣିପାଗ ।  ରାଜ୍ୟରେ ଏବେ ସୁଦ୍ଧା ୧୪% ଅଧିକ ବର୍ଷା  ହୋଇଛି । ଚଳିତବର୍ଷ ୩୫ ଲକ୍ଷ ହେକ୍ଟରରେ  ଧାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏବେ  ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପାଖାପାଖି ୫୫% ପୂରଣ  ହୋଇସାରିଲାଣି । ପ୍ରାୟ ୧୯ ଲକ୍ଷ ହେକ୍ଟର ଚାଷ  ଜମିରେ ଧାନ ବୁଣା ସରିଛି । ଅନେକ ଅଞ୍ଚଳରେ  ରୁଆ କାର୍ଯ୍ୟ ବି ଆଗେଇଲାଣି ।  

କେବଳ ଧାନ ନୁହେଁ, ସରକାରୀ ସୂତ୍ର  କହୁଛି, ଡାଲି, ତୈଳବୀଜ, ମିଲେଟ୍‌ ଓ ମକା ଚାଷ  କାମ ବି ଗତବର୍ଷ ତୁଳନାରେ ଢେର ଆଗେଇଛି । କୃଷି ବିଭାଗ ଆଶା କରୁଛି, ଅଗାମୀ ଦୁଇ ୩ ସପ୍ତାହ  ଭିତରେ ଶତ ପ୍ରତିଶତ ଜମିରେ ଖରିଫ ଫସଲ  କାମ ଆରମ୍ଭ ହୋଇଯିବ । ପଶ୍ଚିମରୁ ଉତ୍ତର, ଦକ୍ଷିଣରୁ  ଉପକୂଳ ସବୁଠି ଚାଷ ସ୍ଥିତି ଭଲ ରହିଛି ।  

କୃଷି ବିଭାଗ ପ୍ରସ୍ତୁତ କରିଥିବା ଖରିଫ  ଫସଲ ଯୋଜନାରେ ୬.୧ ଲକ୍ଷ ହେକ୍ଟର ଜମିରେ  ଡାଲି ଫସଲ, ୨.୨୫ ଲକ୍ଷ ହେକ୍ଟରେ ତୈଳବୀଜ,  ୨.୬ ଲକ୍ଷ ହେକ୍ଟରରେ ମିଲେଟ, ୨.୭୦ ଲକ୍ଷ  ହେକ୍ଟରରେ ମକା, ୨.୫୪ ଲକ୍ଷ ହେକ୍ଟରରେ  କପା ଚାଷ କରିବାକୁ ଯୋଜନା କରାଯାଇଛି ।  

ଚଳିତ ଖରିଫ ଋତୁରେ ୧୧୧ ଲକ୍ଷ  ଟନ ଧାନ ଓ ୧୩୮ ଲକ୍ଷ ଟନ୍‌ ଖାଦ୍ୟ ଶସ୍ୟ  ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି, ଯାହା ଗତବର୍ଷ ତୁଳନାରେ ୧୭% ଅଧିକ । ଜୁନ୍‌ ପହିଲାରୁ ଏଯାଏ ରାଜ୍ୟରେ  ୫୩୩.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି ।  ଏହା ସ୍ୱାଭାବିକଠାରୁ ୧୪% ଅଧିକ । ବଲାଙ୍ଗୀର,  ଗଜପତି, ପୁରୀରେ ସାମାନ୍ୟ କମ୍‌ ବର୍ଷା  ହୋଇଥିବାବେଳେ ୧୦ ଜିଲ୍ଲାରେ ଅଧିକ ଓ  ୧୭ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି।  

କୃଷି ପାଣିପାଗ ବିଶାରଦ ପ୍ରଫେସର  ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବର୍ତ୍ତମାନ  ସୁଦ୍ଧା ଉଭୟ ଧାନ ଓ ଅଣଧାନ ଫସଲ ପାଇଁ ସ୍ଥିତି  ଠିକ୍‌ ଅଛି । ମୌସୁମୀ ଆଗମନ ସମୟ, ବର୍ଷାର  ପରିମାଣ ଠିକ୍‌ ରହିଛି । ଜୁଲାଇ ୧୫ରୁ ଅଗଷ୍ଟ  ୧୫ ପର୍ଯ୍ୟନ୍ତ ଧାନ ରୁଆ କାମ ଚାଲିବ । ଅନୁମାନ  କରାଯାଉଛି, ଏଥର ଅଗଷ୍ଟରେ ବି ବର୍ଷା ସ୍ୱାଭାବିକ  ରହିବ । ତେଣୁ ସାର ଓ କୀଟନାଶକ ଯୋଗାଣ  ଠିକ୍‌ ରହିଲେ ଚାଷ ଭଲ ହେବ । ସେପ୍ଟେମ୍ବର  ଓ ଅକ୍ଟୋବରରେ ଅଧିକ ବର୍ଷା ସମ୍ଭାବନା ଅଛି ।  ଏହା ଉପରେ ଫସଲ ଉତ୍ପାଦନ ନିର୍ଭର କରୁଛି । 

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)  ଆକଳନ କହୁଛି, ଲଘୁଚାପ ବଳ ବଢ଼ାଇ ସ୍ପଷ୍ଟ ଚିହ୍ନଟ ଲଘୁଚାପ ହେବ ଶୁକ୍ରବାର ସୁଦ୍ଧା । ପରବର୍ତ୍ତୀ ୨୪ ଘଣ୍ଟା ଭିତରେ ଆହୁରି ଘନୀଭୂତ  ହୋଇ ଅବପାତ (ଡିପ୍ରେସନ) ରୂପ ନେଇ  ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ପ.ବଙ୍ଗ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଆଡ଼କୁ ମୁହାଁଇବ । ସେହିପରି  ଆଗାମୀ ସପ୍ତାହ (ଅଗଷ୍ଟ ୧ରୁ ୭) ମଧ୍ୟରେ ଉତ୍ତର ବଙ୍ଗୋପସାଗର  ଓ ପାଶ୍ୱର୍ବର୍ତ୍ତୀ ପ.ବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଏକ  ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହୋଇପାରେ । ଶୁକ୍ରବାର ଓ ଶନିବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ।  

ଶୁକ୍ରବାର ମୟୂରଭଞ୍ଜ, କେନ୍ଦୁଝରର ଗୋଟିଏ ଦୁଇଟି ଜାଗାରେ ଅତି  ପ୍ରବଳ ବର୍ଷା ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ,  ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁରରେ ଗୋଟିଏ ଦୁଇଟି  ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି  ହୋଇଛି । ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁରରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି  କରାଯାଇଛି । ଏହାବାଦ୍‌ ଉପକୂଳ ଏବଂ କିଛି ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ହୋଇପାରେ । 

୨୬ ତାରିଖ ଅଧିକାଂଶ ସ୍ଥାନରେ ବର୍ଷା ସହ ପଶ୍ଚିମ ଓ ଆଭ୍ୟନ୍ତରୀଣ  ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୨୭ରେ ଅନେକ ସ୍ଥାନରେ ବର୍ଷା,  ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ବହୁ  ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୨୮ରେ ବର୍ଷା ଆହୁରି  ବଢ଼ିବ । ୩୦ ଯାଏଁ ରାଜ୍ୟରେ ବର୍ଷାରୁ ନିସ୍ତାର ନାହିଁ ।

୨୪ ଘଣ୍ଟା ଭିତରେ  (ସକାଳ ୮ଟା ୩୦ ସୁଦ୍ଧା) ଝରିଗାଁରେ ୧୩୦ ମିଲିମିଟର, ଆଠମଲ୍ଲିକ ଓ  ରିଆମାଳରେ ୧୧୦ ମିମି, ରାଇକିଆରେ ୧୦୦, ବେଲଗୁଣ୍ଠା, ସମ୍ବଲପୁର,  ଉମରକୋଟ ଓ ଭୁବନରେ ୯୦ ଏବଂ ଭୁବନେଶ୍ୱରରେ ୭୦ ମିମି ବର୍ଷା  ହୋଇଥିଲା । ଦିନ ଭିତରେ ମାଲକାନଗିରିରେ ୫୯, କେନ୍ଦୁଝରରେ  ୪୬.୮, ଭଦ୍ରକରେ ୨୭.୨, ନବରଙ୍ଗପୁରରେ ୨୪, କୋରାପୁଟରେ  ୨୫.୪, ଦେବଗଡ଼ରେ ୨୦.୪ ମିମି ବର୍ଷା ହୋଇଥିବାବେଳେ ଅନେକ  ସ୍ଥାନରେ ହାଲୁକା ବର୍ଷା ହୋଇଥିଲା । ଶୁକ୍ରବାର ସକାଳ ସୁଦ୍ଧା ବହୁ  ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।