ଭୁବନେଶ୍ୱର, ୨୧/୦୨ : ପୁଣି କେବେ ଶୁଭିବ କ୍ଲାପ୍‌... ଟେକ୍‌... ରିଟେକ୍‌... । ଚାଲିବ ଅହରହ ସୁଟିଂ । ଦୀର୍ଘ ପ୍ରତୀକ୍ଷାର ଅନ୍ତ ସହ ପୁଣି ଖୋଲିବ କଳିଙ୍ଗ ଷ୍ଟୁଡିଓ । କେବେ ଏ ଉତ୍କଣ୍ଠାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ସମସ୍ତଙ୍କ ଅପେକ୍ଷା...। କଳିଙ୍ଗ ଷ୍ଟୁଡିଓ ପୁନରୁଦ୍ଧାରକୁ ୫ ବର୍ଷ ବିତିଗଲାଣି। କାମ ସରୁନି । ସରକାର ମାରାଥନ୍‌ ସମୀକ୍ଷା କରୁଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ବିଭିନ୍ନ ସଂଘ ସଦସ୍ୟଙ୍କ ସହ ଆଲୋଚନା କରୁଛନ୍ତି । କେତେବେଳେ ଡିଜାଇନ୍‌ ବଦଳୁଛି ପୁଣି କେତେବେଳେ ଡିପିଆର୍‌ । ଗତବର୍ଷ ସେପ୍ଟେମ୍ବର ୧୧ ତାରିଖରେ ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟିର ୬ ଜଣିଆ ବିଧାୟକ ପ୍ରତିନିଧି ଦଳ ଷ୍ଟୁଡ଼ିଓ ପରିଦର୍ଶନ କରି ଭିତ୍ତିଭୂମିର ଯାଞ୍ଚ ସାଙ୍ଗକୁ କାମର ସମୀକ୍ଷା କରିଥିଲେ । ୪୦% କାମ ସରିଛି, ଆଗାମୀ ୨-୩ ମାସରେ କାମ ସରି ଜାନୁଆରୀ ମାସ ସୁଦ୍ଧା ଷ୍ଟୁଡିଓ କାର୍ଯ୍ୟକ୍ଷମ ହେବ ବୋଲି ସେତେବେଳେ କମିଟିର ଅଧ୍ୟକ୍ଷ ବିଧାୟକ ଦୁଷ୍ମନ୍ତ ସ୍ୱାଇଁ କହିଥିଲେ । ହେଲେ ଫେବ୍ରୁଆରୀ ସରିବାକୁ ବସିଲାଣି, କାମ ଚାଲିଛି । ବଗିଚାରେ ଘାସ ଗାଲିଚା ପଡ଼ୁଛି । ଗଛ ଲାଗୁଛି, ପାଣି ପାଇପ୍‌ ସହ ଅନ୍ୟାନ୍ୟ କାମ ଚାଲିଛି । କେବେ ସରିବ ଖବର ନାହିଁ । ଯାହାକୁ ପଚାରିବ, ଉତ୍ତର ମିଳୁଛି ଖୁବ୍‌ଶୀଘ୍ର ।

​​​​​​​

ଷ୍ଟୁଡିଓରେ ଇଡ୍‌କୋ ପକ୍ଷରୁ ବିଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ କାମ କରୁଛନ୍ତି । ସମ୍ପୂର୍ଣ୍ଣ ହେବା ପରେ ଓଏଫ୍‌ଡିସି (ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ) କୁ ହସ୍ତାନ୍ତର ହେବ । ବର୍ତ୍ତମାନ ୨୦୨୧ ମାର୍ଚ୍ଚ ୨୫ ଶିଳାନ୍ୟାସ ଦିନଠାରୁ ଷ୍ଟୁଡିଓରେ ସୁଟିଂ ଠପ୍‌ । ପୂର୍ବ ନିଷ୍ପତ୍ତି କ୍ରମେ ସରକାର ବିଶ୍ୱସ୍ତରୀୟ ଷ୍ଟୁଡିଓ ପାଇଁ ୨୦୦ କୋଟି ଦେବା ସହ ୨୦୨୨ ଡିସେମ୍ବର ସୁଦ୍ଧା ସାରିବାକୁ ଧାର୍ଯ୍ୟ କରିଥିଲେ । କାମ ବିଳମ୍ବ ହେଲା ସୁଟିଂରେ ବାଧା ଉପୁଜିଲା । ତା’ ସହିତ ନବୀକରଣ ପରେ ଷ୍ଟୁଡିଓ ପରିସର ଚଳଚ୍ଚିତ୍ର ଉପଯୋଗୀ ହୋଇନଥିବାରୁ ଓଡ଼ିଶା ଚଳଚ୍ଚିତ୍ର ମହାସଂଘ ଅସନ୍ତୋଷ ବ୍ୟକ୍ତ କରି ଷ୍ଟୁଡିଓ ଶୀଘ୍ର ଖୋଲିବାକୁ ଦାବି କରିଥିଲା । ସଂଘର ସଦସ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଭେଟି ଆଲୋଚନା କରିଥିଲା ।   ଗତବର୍ଷ ଜୁନ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟୁଡିଓ ପରିଦର୍ଶନ କରି ଏହାକୁ ଅତ୍ୟାଧୁନିକ ଓ ସ୍ୱୟଂସମ୍ପୂର୍ଣ୍ଣ କରିବାକୁ କହିଥିଲେ । ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌) ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଇଡ୍‌କୋ ନବୀକରଣ କାମ କରିଥିଲା । ପ୍ରଥମ ପର୍ଯ୍ୟାୟରେ ଷ୍ଟୁଡ଼ିଓର ଟେକ୍‌ ବିଲ୍ଡିଂ, ଏଣ୍ଟ୍ରାନ୍ସ ପ୍ଲାଜା, ଇନ୍‌ଡୋର୍‌ ସୁଟିଂ ବ୍ୟବସ୍ଥା, କଳିଙ୍ଗ ମୁଭି ମ୍ୟାଜିକ୍‌, ଆଭେନ୍ୟୁ ଲ୍ୟାଣ୍ଡ୍‌, ଭିଲେଜ୍‌ ଏରିଆ, ଆଇକନିକ୍‌ ଲ୍ୟାଣ୍ଡ୍‌ ମାର୍କ, ସ୍ନୋ ୱାଲ୍ଡ, କମ୍ୟୁନିଟି ହଲ୍‌, ବାମ୍ବୋ ଷ୍ଟ୍ରକ୍‌ଚର, ଜଳାଶୟ, ସବୁଜିମା ଅଞ୍ଚଳ ବିକଶିତ କରାଯାଇଛି ।

ଷ୍ଟୁଡିଓର ଦୁଇଭାଗରୁ ଗୋଟିଏରେ ସୁଟିଂ ଅନ୍ୟଟି ମନୋରଞ୍ଜନ ପାର୍କ ହେବ । ଦର୍ଶକମାନେ ଟିକଟ୍‌ କାଟି ସୁଟିଂକୁ ଉପଭୋଗ କରିବେ । ଏହା ସହ ବାକି କାମକୁ ଶୀଘ୍ର ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଗତ ଜୁଲାଇରେ ଶିଳ୍ପ ମନ୍ତ୍ରୀ ଷ୍ଟୁଡିଓ ବୁଲି କାର୍ଯ୍ୟର ସମୀକ୍ଷା ପୂର୍ବକ ଚଳଚ୍ଚିତ୍ର ମହାସଂଘ ଓ ଓଡ଼ିଆ ସିନେ ବ୍ୟକ୍ତିତ୍ୱଙ୍କ ସହ ଆଲୋଚନା କରିଥିଲେ । ସରକାର ଷ୍ଟୁଡିଓକୁ ଅତ୍ୟାଧୁନିକ କେନ୍ଦ୍ର ଭାବେ ଗଢ଼ି ତୋଳୁଥିବା କହିଥିଲେ ।   ସମୟ ଯେତିକି ଗଡ଼ୁଛି ଦ୍ୱନ୍ଦ୍ୱ ସହ ଉତ୍କଣ୍ଠା ସେତିକି ବଢ଼ୁଛି । ନିର୍ମାତାଠୁ ନେଇ ଅଭିନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଷ୍ଟୁଡିଓ ଖୋଲିବାକୁ ଅପେକ୍ଷା କରିଛନ୍ତି । ବରିଷ୍ଠ ଅଭିନେତା, ନିର୍ଦ୍ଦେଶକ ଶ୍ରୀତମ୍‌ ଦାସ କହିଛନ୍ତି, ବାରମ୍ବାର ଷ୍ଟୁଡିଓ ଯାଇ ସ୍ଥିତି ଦେଖିବା ସହ ସୁଟିଂ ପାଇଁ ଆବଶ୍ୟକତା ବିଷୟରେ ସରକାରଙ୍କୁ ଜଣାଇଛୁ । ଆଶା କରିବୁ, ଯେତେଶୀଘ୍ର ହେବ ସମ୍ପୂର୍ଣ୍ଣ ଷ୍ଟୁଡିଓ ଖୋଲାଯାଉ ।

ଏହି ଖବରଟିକୁ ପଢନ୍ତୁ- ତୁଟିଲା କଳି, ଆଜି ହେବ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ