ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ପରିବେଶ ସଙ୍କଟର ରାଜନୀତିକରଣ

Published By : Prameya | July 24, 2025 2:36 PM

ପରିବେଶବିତ୍‌ଙ୍କ ନିମନ୍ତେ ଅତ୍ୟନ୍ତ ବିପଜ୍ଜନକ ଦେଶ ଭାବରେ ପରିଗଣିତ ଫିଲିପାଇନ୍‌ସ, ଯେଉଁଠି ଖଣି ଉତ୍ତୋଳନ କିମ୍ବା ବୃକ୍ଷଛେଦନକୁ ପ୍ରତିବାଦ କରି  ଅନେକ କର୍ମୀ ଅତୀତରେ ହତ୍ୟାର ଶିକାର ହୋଇଛନ୍ତି । ବ୍ରାଜିଲ, ଯେଉଁଠି ପୂର୍ବତନ  ରାଷ୍ଟ୍ରପତି ବୋଲ୍‌ସୋନାରୋଙ୍କ ଅମଳରେ ପରିବେଶ ସଂସ୍ଥାମାନେ ବିଧ୍ୱଂସିତ ଏବଂ ଆମାଜନ ଆଦିବାସୀଙ୍କ ରକ୍ଷାକାରୀମାନେ ବର୍ଦ୍ଧିତ ହିଂସାରେ ନିପୀଡ଼ିତ ହୋଇଛନ୍ତି ।

ପ୍ରକୃତି-ପରିବେଶ ଉପରେ ମାନବୀୟ  କାର୍ଯ୍ୟକଳାପର ନକାରାତ୍ମକ ପ୍ରଭାବ କ୍ରମଶଃ  ଯେତେ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି,  ଏହାର ସୁରକ୍ଷା ନିମନ୍ତେ ସ୍ୱର ଉତ୍ତୋଳନ କରୁଥିବା  ସମ୍ବେଦନଶୀଳ, ସମର୍ପିତ ବ୍ୟକ୍ତିବିଶେଷ ମଧ୍ୟ ବହୁ  ସମୟରେ ସମଭାବରେ ଆକ୍ରୋଶର ଶିକାର ହେଉଛନ୍ତି ।  ଆମ ଜୀବନ ନିର୍ବାହର ସମସ୍ତ ମୌଳିକ ଆବଶ୍ୟକତା  ପୂରଣ କରୁଥିବା ପ୍ରକୃତି ମାତାକୁ ସୁରକ୍ଷିତ ରଖିବା  ଏବଂ ଏହାର ସଂରକ୍ଷଣ ନିମନ୍ତେ ସମସ୍ତ ପ୍ରୟୋଜନୀୟ  ପଦକ୍ଷେପ ଗ୍ରହଣ କରିବା ବୁଦ୍ଧିମତ୍ତାର ଶ୍ରେଷ୍ଠ ଜୀବ  ମଣିଷର ନୈତିକ କର୍ତ୍ତବ୍ୟ । ଅନ୍ୟଥା, ବିକାଶ ନାମରେ  ବିନାଶ ସଂଘଟିତ ହୋଇ ପ୍ରକୃତି ବିଭିନ୍ନ ଭାବରେ କ୍ଷତାକ୍ତ  ହେଲେ ଆମ ଗ୍ରହର ଆଗାମୀ ପିଢ଼ିମାନଙ୍କୁ ପ୍ରକୃତିଲବ୍ଧ  ବିବିଧ ଦ୍ରବ୍ୟ ଓ ସେବା ଉପଯୁକ୍ତ ପରିମାଣରେ ଉପଲବ୍ଧ  ହେବନାହିଁ । ଏହା ସମସ୍ତଙ୍କର ହୃଦବୋଧ ହେବା  ବାଞ୍ଛନୀୟ ଯେ ‘ପ୍ରକୃତି ରକ୍ଷତି ରକ୍ଷିତା', ଅର୍ଥାତ୍‌- ପ୍ରକୃତିକୁ ଆମେ ସୁରକ୍ଷା ପ୍ରଦାନ କଲେ ସେ ହିଁ ଆମକୁ  ସୁରକ୍ଷିତ ରଖିବ । ଏହି ପରିପ୍ରେକ୍ଷୀରେ ସ୍ୱରହୀନ  ପ୍ରକୃତିର ସୁରକ୍ଷା ଉଦ୍ଦେଶ୍ୟରେ ନିଃସ୍ୱାର୍ଥପର ଭାବରେ  ସ୍ୱର ଉତ୍ତୋଳନ କରୁଥିବା ପରିବେଶ କର୍ମୀମାନଙ୍କ ସ୍ୱରକୁ  ପ୍ରତିହତ କରିବା ଏବଂ ସେମାନଙ୍କୁ ନକାରାତ୍ମକ ରୂପରେ

ଚିତ୍ରଣ କରାଯିବା ଅତ୍ୟନ୍ତ ପରିତାପର ବିଷୟ । ଏକ ସଦ୍ୟତମ ଦୃଷ୍ଟାନ୍ତ ପ୍ରସଙ୍ଗକୁ ସ୍ପଷ୍ଟଭାବରେ  ବ୍ୟାଖ୍ୟା କରେ । କୋଚି-ଧନୁଷକୋଡ଼ି ଜାତୀୟ  ରାଜପଥର ନେରୟାମଙ୍ଗଳମ-ଭାଲାରା ଖଣ୍ଡରେ ସମ୍ପ୍ରତି  ରାସ୍ତା ସଂପ୍ରସାରଣ କାର୍ଯ୍ୟକୁ କେରଳ ହାଇକୋର୍ଟଙ୍କର  ବନ୍ଦ ନିର୍ଦ୍ଦେଶନାମା ପରେ ଏହା ଇଡୁକ୍କି ଜିଲ୍ଲାରେ  ଏକ ରାଜନୈତିକ ପ୍ରସଙ୍ଗ ଭାବରେ ଉଭା ହୋଇଛି ।  ପରିବେଶବିତ୍‌ ଏମ୍‌. ଜୟଚନ୍ଦ୍ରନଙ୍କ ଦ୍ୱାରା ଦାୟର ଆବେଦନର ବିଚାର ପରିପ୍ରେକ୍ଷୀରେ ପ୍ରଦତ୍ତ ଆଦେଶ  ବିରୁଦ୍ଧରେ ବିଭିନ୍ନ ରାଜନୈତିକ ଦଳ ଏବଂ କୃଷକ  ଗୋଷ୍ଠୀଙ୍କର ଅଭିଯୋଗ ହେଉଛି ଯେ, ବନ ବିଭାଗ  ସମର୍ଥନରେ ବିକାଶମୂଳକ କାର୍ଯ୍ୟକ୍ରମକୁ ସେ ଅବରୋଧ  କରିବାକୁ ପ୍ରଚେଷ୍ଟା କରୁଛନ୍ତି । ଏକ ରାଜନୈତିକ  ଦଳର ଯୁବକର୍ମୀମାନେ ଜୟଚନ୍ଦ୍ରନ୍‌ଙ୍କ ଗୃହ ସମ୍ମୁଖରେ  ବିରୋଧ ପ୍ରଦର୍ଶନ କରିବା ସହ ଏପରି ‘ଜନବିରୋଧୀ  ହସ୍ତକ୍ଷେପ'ର ବନ୍ଦ ନିମନ୍ତେ ଧମକ ପ୍ରଦାନ କରିଛନ୍ତି ।  

ପରିବେଶ ମନ୍ତ୍ରଣାଳୟ ବିନାନୁମତିରେ ଏହି ସଂରକ୍ଷିତ  ଜଙ୍ଗଲାଞ୍ଚଳରେ ରାସ୍ତା ନିର୍ମାଣକୁ ରୋକିବା ନିମନ୍ତେ  କୋର୍ଟର ଦ୍ୱାରସ୍ଥ ହୋଇ ନିଜର ସାମ୍ବିଧାନିକ କର୍ତ୍ତବ୍ୟ  ପାଳନ କରିଥିବା ଜଣେ ନିଃସ୍ୱାର୍ଥପର ବ୍ୟକ୍ତିଙ୍କୁ ଆତଙ୍କିତ  କରିବା କେତେଦୂର ସମୀଚୀନ ତାହା ସମସ୍ତଙ୍କୁ  ଆନ୍ଦୋଳିତ କରିବା ହେଉଛି ସମୟର ଆହ୍ୱାନ ।  ଅତୀତରେ କେରଳର ଚିରସବୁଜ ଜଙ୍ଗଲାଞ୍ଚଳ  ସାଇଲେଣ୍ଟ ଭ୍ୟାଲିରେ କୁନ୍ଥିପୁଝା ନଦୀରେ ସରକାରଙ୍କ ଦ୍ୱାରା ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବ ଯଥେଷ୍ଟ  ରାଜନୈତିକ ହସ୍ତକ୍ଷେପର ସମ୍ମୁଖୀନ ହୋଇଥିଲା ।  ଉପତ୍ୟକାର ପରିସଂସ୍ଥା ଓ ଜୈବବିବିଧତାକୁ ଅପୂରଣୀୟ  ଅବକ୍ଷୟରୁ ସୁରକ୍ଷିତ ରଖିବା ନିମନ୍ତେ ୧୯୭୩ରେ  ଅଭ୍ୟୁଦୟ ଘଟିଥିଲା ଏକ ଜନଆନ୍ଦୋଳନର, ଯାହା ଭାରତରେ ପରିବେଶବାଦର ଏକ ଐତିହାସିକ ବିଜୟ  ବୋଲି ବର୍ଣ୍ଣିତ ହୁଏ । ପରିଣାମରେ, ପ୍ରକଳ୍ପଟି ବନ୍ଦ  ହେବା ସହ ୧୯୮୫ ମସିହାରେ ଏହି ଅଞ୍ଚଳକୁ ଜାତୀୟ  ଉଦ୍ୟାନର ମର୍ଯ୍ୟାଦା ପ୍ରଦାନ କରାଗଲା । 

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟାନ୍ତ  ହେଉଛି ଓଡ଼ିଶାର ଗୌରବ ତଥା  ସୌନ୍ଦର୍ଯ୍ୟ ଓ ଜୈବବିବିଧତାର  ଗନ୍ତାଘର, ମରାଳମାଳିନୀ ନୀଳାମ୍ବୁ ଚିଲିକାର ସୁରକ୍ଷା ଓ ସଂରକ୍ଷଣ  ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ଆଇନ  ପ୍ରଣୟନ ନିମନ୍ତେ ଚାଲିଥିବା ବିଗତ  ଚାରି ଦଶନ୍ଧିର ବିମର୍ଷର ପ୍ରସଙ୍ଗ । ବିଶ୍ୱର ଦ୍ୱିତୀୟ ବୃହତ୍ତମ ଲବଣାକ୍ତ  ହ୍ରଦ ତଥା ‘ଅନ୍ତର୍ଜାତୀୟ ଗୁରୁତ୍ୱ  ବହନକାରୀ' ଏହି ଆର୍ଦ୍ରଭୂମି  ବହୁ ପରିବେଶୀୟ ସମସ୍ୟାର  ସମ୍ମୁଖୀନ ହୋଇ ଅବକ୍ଷୟିତ  ହୋଇଚାଲିଛି । ହ୍ରଦ ଜଳରେ ଘେରି ନିର୍ମାଣ ମାଧ୍ୟମରେ  ହେଉଥିବା ଚିଙ୍ଗୁଡ଼ି ଚାଷର ନକାରାତ୍ମକ ପ୍ରଭାବ, ଜଳୀୟ ପରିସଂସ୍ଥା ତଥା ଏହାର ଜୀବଜନ୍ତୁଙ୍କ ଉପରେ ବର୍ଦ୍ଧିତ  ମାନବୀୟ ଚାପ ଏବଂ ବିଭିନ୍ନ ସମୟରେ ହେଉଥିବା  ଜନଆନ୍ଦୋଳନ ପରିପ୍ରେକ୍ଷୀରେ ସରକାର ନୀତିଗତ  ଭାବେ ମତ୍ସ୍ୟ ସମ୍ପଦର ସୁରକ୍ଷା ନିମନ୍ତେ ‘ଚିଲିକା ବିଲ୍‌  ୨୦୧୭' ପ୍ରସ୍ତୁତ କରି କ୍ୟାବିନେଟରେ ଅନୁମୋଦିତ  କଲେ । ଏପରି ପଦକ୍ଷେପକୁ ସ୍ୱାଗତ ଜଣାଇ ଓଡ଼ିଶା  ପରିବେଶ ସମିତି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ  ଜଣାଇବା ସହ ବିଧାନସଭାରେ ଏହି ବିଲ୍‌କୁ ତ୍ୱରିତ୍‌  ପାରିତ କରାଇବା ନିମନ୍ତେ ଅନୁରୋଧ ଜଣାଇଥିଲା। ମାତ୍ର ଏଇଠି ପ୍ରଚ୍ଛଦରେ ପ୍ରବେଶ କଲା ରାଜନୈତିକ  ହସ୍ତକ୍ଷେପ ଏବଂ ପରିଣାମରେ ବିଲ୍‌ଟି ଏପର୍ଯ୍ୟନ୍ତ  ପଡ଼ିରହିଛି ଶୀତଳ ଭଣ୍ଡାରରେ । 

ଏକ ଘଟଣାକ୍ରମରେ, ଅଗଷ୍ଟ ୨୦୨୩ରେ ଜଣାଶୁଣା  ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା ରାୟଗଡ଼ାରେ ବେଦାନ୍ତ  ଓ ମୈତ୍ରୀ କମ୍ପାନିର ଖଣି ଉତ୍ତୋଳନ ବିରୋଧରେ ଏକ  ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ  ଥିଲା । କିନ୍ତୁ ଏହା ପୂର୍ବରୁ ତାଙ୍କୁ ରହସ୍ୟଜନକ ଭାବରେ  ହୋଟେଲରୁ କିଛି ଅଜ୍ଞାତ ଲୋକ ଅପହୃତ କରିନେଇ  ହାତଗୋଡ଼ ବାନ୍ଧି ପରେ ତାଙ୍କ ବ୍ରହ୍ମପୁର ବାସଭବନ  ନିକଟରେ ଛାଡ଼ିଦେଲେ। ଏଥିରେ ଜଡ଼ିତ ଥିବାର ସନ୍ଦେହ  ଘେରକୁ ଆସିଲେ ଛଦ୍ମବେଶୀ କମ୍ପାନି ଗୁଣ୍ଡା ଅଥବା ପୁଲିସ  କର୍ମଚାରୀ । ରାୟଗଡ଼ା ଜିଲ୍ଲାର ନିୟମଗିରି, ସିଜିମାଳି,  କୁଟୁମାଳି ଇତ୍ୟାଦି ପାହାଡ଼ ଅଞ୍ଚଳରୁ ବକ୍ସାଇଟ୍‌,  ଲୁହାପଥର ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥ ଉତ୍ତୋଳନକୁ  ସ୍ଥାନୀୟ ଡଙ୍ଗରିଆ ଆଦିବାସୀ ପୂର୍ବରୁ ବିରୋଧ  କରିଆସୁଛନ୍ତି । ଏହି ଘଟଣା ପ୍ରକୃତି ସୁରକ୍ଷା, ଜନଜାତିଙ୍କ  ଭାବନା ଏବଂ ବିକାଶ ପ୍ରକ୍ରିୟା ମଧ୍ୟରେ ବିଦ୍ୟମାନ  ଅସନ୍ତୁଳନକୁ ବ୍ୟାଖ୍ୟା କରୁଥିଲାବେଳେ ପ୍ରଚ୍ଛଦରେ ଥିବା  ସକ୍ରିୟ ରାଜନୀତିକୁ ମଧ୍ୟ ଇଙ୍ଗିତ କରୁଛି । 

ଉପରୋକ୍ତ ଦୃଷ୍ଟାନ୍ତଗୁଡ଼ିକ  ପ୍ରତୀକାତ୍ମକ ମାତ୍ର । ବିଶ୍ୱ  ପରିପ୍ରେକ୍ଷୀରେ, ଜଳବାୟୁ  ପରିବର୍ତ୍ତନ ଓ ଜଙ୍ଗଲ  ଅବକ୍ଷୟଠାରୁ ବିବିଧ ପ୍ରଦୂଷଣ ଏବଂ ଜୈବବିବିଧତା ହ୍ରାସନ  ପର୍ଯ୍ୟନ୍ତ ଏକବିଂଶ ଶତାବ୍ଦୀର  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପରିବେଶୀୟ  ଆହ୍ୱାନଗୁଡ଼ିକର ରାଜନୀତିକରଣ ସଂରକ୍ଷଣକାରୀଙ୍କ ନିମନ୍ତେ  ଉଦ୍‌ବେଗର ବିଷୟ ପାଲଟିଛି ।  ଏସବୁର ସମାଧାନର ପନ୍ଥା, ଯାହା  ଆଦର୍ଶଗତ ଭାବରେ ବୈଜ୍ଞାନିକ  ସହମତି ଏବଂ ଜରୁରି ବିଶ୍ୱସ୍ତରୀୟ କାର୍ଯ୍ୟାନୁଷ୍ଠାନର  ପ୍ରସଙ୍ଗ ହେବା ପ୍ରୟୋଜନୀୟ, ତାହା ଅନେକ ସ୍ଥଳରେ  ନକାରାତ୍ମକ ରାଜନୈତିକ ହସ୍ତକ୍ଷେପର ଶିକାର  ହେଉଛି । ସବୁଜଗୃହ ବାଷ୍ପ ନିର୍ଗମନ କ୍ଷେତ୍ରକୁ  ସର୍ବାଧିକ ଅବଦାନ ରଖିଥିବା ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର  ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଶପଥ ଗ୍ରହଣ  ଦିବସରେ ହିଁ ପ୍ୟାରିସ୍‌ ଜଳବାୟୁ ଚୁକ୍ତିନାମା ୨୦୧୫ରୁ  ଓହରି ଗଲେ, ଯେତେବେଳେ କି ଗରିବ ରାଷ୍ଟ୍ରମାନେ ଜଳବାୟୁ ବିପର୍ଯ୍ୟୟରୁ ସୁରକ୍ଷା ନିମନ୍ତେ ଉଭୟ ଆର୍ଥିକ  ଓ ବୈଷୟିକ ସହାୟତା ହାସଲ ଲକ୍ଷ୍ୟରେ ଏହି ଦେଶ  ଉପରେ ନିର୍ଭରଶୀଳ ଅଟନ୍ତି। ପରିବେଶୀୟ ସମସ୍ୟାର  ରାଜନୀତିକରଣ ସେହି ପ୍ରକ୍ରିୟାକୁ ବୁଝାଏ ଯାହାଦ୍ୱାରା  ପରିବେଶଗତ ଚିନ୍ତାଧାରାଗୁଡ଼ିକ ଆଦର୍ଶଗତ ବିଭାଜନ, ଦଳୀୟ ରାଜନୀତି ଏବଂ ରଣନୈତିକ ନୀତି ନିର୍ଦ୍ଧାରଣ  ସହିତ ଜଡ଼ିତ ହୋଇଯାନ୍ତି । 

ଏହାର ଗୁରୁତ୍ୱପୂର୍ଣ୍ଣ  ପରିଣାମ ହେଉଛି ବିଳମ୍ବିତ କାର୍ଯ୍ୟପନ୍ଥା ଗ୍ରହଣ,  ଜନସାଧାରଣଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ଏବଂ ପରିବେଶୀୟ  ବିପଦର ପ୍ରଭାବଶାଳୀ ସମାଧାନ ହାସଲରେ ବିଫଳତା ।  ଏସବୁ ମଧ୍ୟରେ ପ୍ରକୃତି ଓ ଜନତାଙ୍କର ସ୍ୱାର୍ଥ ସୁରକ୍ଷା  ଆନ୍ଦୋଳନରେ ଅଗ୍ରଣୀ ଭୂମିକା ନିର୍ବାହ କରୁଥିବା  ପରିବେଶବାଦୀଙ୍କ ବିରୁଦ୍ଧରେ ରାଜନୈତିକ କାର୍ଯ୍ୟାନୁଷ୍ଠାନ  ବିଭିନ୍ନ ରୂପରେ ପ୍ରତିଫଳିତ ହୁଏ, ଯାହା ରାଷ୍ଟ୍ର,  ଶାସନ ବ୍ୟବସ୍ଥା ଏବଂ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଅନୁସାରେ ଭିନ୍ନ  ହୋଇଥାଏ । ଏହା ପ୍ରାୟତଃ ପରିବେଶ ସୁରକ୍ଷା ଏବଂ  ଶକ୍ତିଶାଳୀ ଅର୍ଥନୈତିକ କିମ୍ବା ରାଜନୈତିକ ସ୍ୱାର୍ଥ ମଧ୍ୟରେ  ସୃଷ୍ଟ ଦ୍ୱନ୍ଦ୍ୱରୁ ଜାତହୁଏ, ଯେଉଁଥିରେ ଖଣି ଖନନ, ତୈଳ  ଓ ଗ୍ୟାସ ଉତ୍ତୋଳନ, ବଡ଼ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ  ଏବଂ ସ୍ଥାନୀୟ ଅଧିବାସୀଙ୍କର ବିସ୍ଥାପନ ତଥା ଜଙ୍ଗଲ ଓ  ବୃକ୍ଷଛେଦନ ପ୍ରକ୍ରିୟା ଅନ୍ତର୍ଭୁକ୍ତ । 

ଏ ସମସ୍ତ ଘଟଣାରେ ଆଇନଗତ ଦମନ ନିମନ୍ତେ  ପରିବେଶ ସକ୍ରିୟତାର ଅପରାଧୀକରଣ ଏବଂ  ଜନସାଧାରଣଙ୍କ ଅଂଶଗ୍ରହଣ ବିରୁଦ୍ଧରେ ରଣନୈତିକ  ମକଦ୍ଦମା ରୁଜୁ ତଥା ସେମାନଙ୍କୁ ବିକାଶ ବିରୋଧୀ  ଆଖ୍ୟା ପ୍ରଦାନ ଅନ୍ତର୍ଭୁକ୍ତ । କାର୍ଯ୍ୟକର୍ତ୍ତାଙ୍କ ଗତିବିଧିକୁ  ପର୍ଯ୍ୟବେକ୍ଷଣ କରିବା, ବିଭିନ୍ନ ଭାବରେ ଉତ୍ପୀଡ଼ିତ  କରିବା କିମ୍ବା ପୋଲିସ, ଘରୋଇ ସୁରକ୍ଷା ବାହିନୀ ଏବଂ  ରାଜନୈତିକ କର୍ମୀଙ୍କ ଦ୍ୱାରା ଭୟଭୀତ କରାଇ ଶାରୀରିକ  ନିର୍ଯାତନା ଦେବା ମଧ୍ୟ ଏହାର ଅଂଶବିଶେଷ । କେତେକ  କ୍ଷେତ୍ରରେ ହିଂସା ଏବଂ ଭୟର ବାତାବରଣ ସୃଷ୍ଟି ହୋଇ  କିଛି କାର୍ଯ୍ୟକର୍ତ୍ତା ପ୍ରତିବାଦ ସ୍ଥଳରୁ ବଳପୂର୍ବକ ହଟାଯିବା,  ଗିରଫ ବା ଅଟକ ରଖାଯିବା ଏବଂ ଆକ୍ରମଣ ବା ହତ୍ୟାର  ଶିକାର ହୋଇଥାନ୍ତି । ନୀତି ଏବଂ ସାଂଗଠନିକ ଦମନ  ମାଧ୍ୟମରେ ବେସରକାରୀ ସଂସ୍ଥାଙ୍କୁ ପାଣ୍ଠି ଯୋଗାଣ ବନ୍ଦ  କରିବା କିମ୍ବା ପଞ୍ଜିକରଣ ରଦ୍ଦ କରିବା, ପ୍ରତିବାଦକୁ ନିଷିଦ୍ଧ  କିମ୍ବା ସୀମିତ କରିବା ଏବଂ ଅଭିଯାନ ଅଥବା ଫଳାଫଳର  ଗଣମାଧ୍ୟମ ବର୍ଣ୍ଣନ କିମ୍ବା ଅନଲାଇନ୍‌ ପ୍ରସାରଣକୁ  ପ୍ରତିବନ୍ଧିତ କରିବା ମଧ୍ୟ ଘଟିଥାଏ । କେତେକ କ୍ଷେତ୍ରରେ  ଯଥାର୍ଥ ଆନ୍ଦୋଳନକୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ  ଭ୍ରମାତ୍ମକ ସୂଚନା ପ୍ରଦାନ ଏବଂ ଅବୈଧୀକରଣ କରିବା ସହ ପରିବେଶ କାର୍ଯ୍ୟକର୍ତ୍ତାମାନଙ୍କୁ ‘ବିକାଶ ବିରୋଧୀ,  ବିଦେଶୀ ଏଜେଣ୍ଟ' କିମ୍ବା ‘ଦେଶପ୍ରେମୀ ନୁହଁ' ବୋଲି  ଅଭିହିତ କରାଯାଏ । କର୍ମୀମାନଙ୍କୁ ସରକାରୀ ଗଣମାଧ୍ୟମ  ଜାତୀୟ ସ୍ୱାର୍ଥ ପ୍ରତି ବିପଦ ଭାବରେ ଚିତ୍ରଣ କରନ୍ତି ।  କେତେକ ରାଷ୍ଟ୍ର ବୈଧାନିକ ଚାବୁକ ପ୍ରହାର ନିମନ୍ତେ  ବିରୋଧ-ବିରୋଧୀ ଆଇନ ପ୍ରଣୟନ ତଥା ପରିବେଶ ସୁରକ୍ଷା ଆଇନକୁ ପ୍ରତ୍ୟାହାର ବା ଦୁର୍ବଳ କରନ୍ତି । 

ପ୍ରକୃତି ସୁରକ୍ଷା ଅଭିଯାନକୁ ଦମନ କରିବାର  କେତୋଟି ଶ୍ରେଷ୍ଠ ଅନ୍ତଃରାଷ୍ଟ୍ରୀୟ ଦୃଷ୍ଟାନ୍ତ ମଧ୍ୟରେ ଅନ୍ତର୍ଭୁକ୍ତ  ହୁଏ । ପରିବେଶବିତ୍‌ଙ୍କ ନିମନ୍ତେ ଅତ୍ୟନ୍ତ ବିପଜ୍ଜନକ  ଦେଶ ଭାବରେ ପରିଗଣିତ ଫିଲିପାଇନ୍‌ସ, ଯେଉଁଠି  ଖଣି ଉତ୍ତୋଳନ କିମ୍ବା ବୃକ୍ଷଛେଦନକୁ ପ୍ରତିବାଦ କରି  ଅନେକ କର୍ମୀ ଅତୀତରେ ହତ୍ୟାର ଶିକାର ହୋଇଛନ୍ତି ।  ବ୍ରାଜିଲ, ଯେଉଁଠି ପୂର୍ବତନ ରାଷ୍ଟ୍ରପତି ବୋଲ୍‌ସୋନାରୋଙ୍କ  ଅମଳରେ ପରିବେଶ ସଂସ୍ଥାମାନେ ବିଧ୍ୱଂସିତ ଏବଂ  ଆମାଜନ ଆଦିବାସୀଙ୍କ ରକ୍ଷାକାରୀମାନେ ବର୍ଦ୍ଧିତ ହିଂସାରେ  ନିପୀଡ଼ିତ ହୋଇଛନ୍ତି । ରୁଷିଆ, ଯେଉଁଠି ପରିବେଶୀୟ  ଏନ୍‌ଜିଓମାନଙ୍କୁ ‘ବିଦେଶୀ ଏଜେଣ୍ଟ' ଭାବେ ଆଖ୍ୟାୟିତ  କରି ପୂର୍ଣ୍ଣରୂପେ ବନ୍ଦ କରାଯାଇଛି ଏବଂ ଆମେରିକା  ଯେଉଁଠି ଡାକୋଟା ଆକ୍ସେସ୍‌ ପାଇପଲାଇନ୍‌ ପ୍ରତିବାଦକୁ  ସାମରିକ ପୋଲିସ ଦ୍ୱାରା ଦମନ କରାଯାଇଥିଲା ।  

‘ଫ୍ରାଇଡେଜ୍‌ ଫର୍‌ ଫ୍ୟୁଚର୍‌' ଏବଂ ‘ଏକ୍ସଟିଙ୍କ୍‌ସନ  ରିବେଲିୟନ୍‌' ଭଳି ବିଶ୍ୱସ୍ତରୀୟ ଆନ୍ଦୋଳନ ସ୍ଥାନୀୟ  ସରକାରଙ୍କ ଉପରେ ପ୍ରକୃତି ସଂରକ୍ଷଣ କାର୍ଯ୍ୟ ସମ୍ପାଦନ  ନିମନ୍ତେ ଚାପ ବୃଦ୍ଧି କରିବାରେ ସକ୍ଷମ ହୋଇଛି ।  ପରିବେଶ ସୁରକ୍ଷା ନିମନ୍ତେ ସାଧାରଣ ସମର୍ଥନରେ ବୃଦ୍ଧି  ଏବଂ ବୈଜ୍ଞାନିକ ଜ୍ଞାନ ତଥା ପ୍ରଯୁକ୍ତିବିଦ୍ୟା ସମାଧାନ  ଉପଲବ୍ଧ ହେଉଥିବା ବେଳେ, ପ୍ରଭାବଶାଳୀ, ଦୀର୍ଘସ୍ଥାୟୀ  ସମାଧାନର ପନ୍ଥା ପ୍ରଣୟନ ନିମନ୍ତେ ପରିବେଶୀୟ  ପ୍ରସଙ୍ଗଗୁଡ଼ିକୁ ରାଜନୀତିରୁ ମୁକ୍ତ ରଖିବା, ଏବଂ ପ୍ରକୃତି  ଓ ରାଷ୍ଟ୍ର ହିତରେ ସମସ୍ତ ଦଳମାନଙ୍କ ମଧ୍ୟରେ ସହମତି  ସୃଷ୍ଟି କରିବା ହେଉଛି ସମୟର ଆହ୍ୱାନ । ସରକାର,  ଶିଳ୍ପସଂସ୍ଥା, ବୈଜ୍ଞାନିକ ଏବଂ ନାଗରିକଙ୍କ ମଧ୍ୟରେ  ପ୍ରତିବଦ୍ଧତା ଓ ସହଯୋଗର ସେତୁ ସ୍ଥାପନ ହେଲେ  ଭବିଷ୍ୟତ ପିଢ଼ିକୁ ଏକ ସୁସ୍ଥ, ସୁରକ୍ଷିତ ଗ୍ରହ ହସ୍ତାନ୍ତରିତ  କରିବା ବାସ୍ତବତାରେ ରୂପାନ୍ତରିତ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.