ଗୁଣୁପୁର,୦୭/୦୪: ରାୟଗଡାର ଭାରସିଂ ଗ୍ରାମରେ ଅବସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅନିୟମିତତା ଅଭିଯୋଗ। ଉତ୍କଳ ଦିବସରେ ୫୬୦ ଅନ୍ତେବାସୀଙ୍କୁ ମଧ୍ୟାହ୍ନ ଭୋଜନ ନଦେବା ସହିତ ୨୦୨୫–୨୬ ଶିକ୍ଷାବର୍ଷରେ ୫୧ ଜଣ ଛାତ୍ରଛାତ୍ରୀଙ୍କୁ ଟିସି ପ୍ରଦାନ ଘଟଣା ଚର୍ଚ୍ଚାର ବିଷୟ ହୋଇଛି।ଏହି ଘଟଣା ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାକୁ ନେଇ ପୁଟାସିଂ ଲାଞ୍ଜିଆ ସୈାରା ଜନଜାତୀ ଅଞ୍ଚଳର ଅଭିଭାବକ ଓ ଲୋକପ୍ରତିନିଧିମାନେ ଗୁଣୁପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲିପଙ୍କୁ ୧୧ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ ପ୍ରଧାନ ଶିକ୍ଷକଙ୍କ ମନମାନି କାର୍ଯ୍ୟକଳାପ, ଛାତ୍ରଛାତ୍ରୀଙ୍କୁ ବଳପୂର୍ବକ ଟିସି ଦେବା, ଉତ୍କଳ ଦିବସରେ ଭୋଜନ ବଞ୍ଚିତ କରିବା, ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା, ଦୁଇ ବର୍ଷ ଧରି ଖରାପ ଫଳାଫଳ, ନିମ୍ନମାନର ପୋଷାକ ବଣ୍ଟନ, ଖାଦ୍ୟର ଗୁଣବତ୍ତା ଓ ପରିମାଣରେ ଅନିୟମିତତା, ଏବଂ ବିଦ୍ୟାଳୟ ପରିସରରେ ବ୍ୟବସାୟିକ କାର୍ଯ୍ୟ ଚାଲିଥିବା ଭଳି ଗୁରୁତର ଅଭିଯୋଗ ଉଠାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ପୁଟାସିଂ ସରପଞ୍ଚ ଏସିଓ ଶବର, ରେଗେଡା ସରପଞ୍ଚ ଯୁଗଳ ଶବର, ବରିଷ୍ଠ ନାଗରିକ ଦାମୋଦର ଶବର, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇସମାଇଲ ଶବର, ପୂର୍ବତନ ସରପଞ୍ଚ ଜେମ୍ସ ଶବର, ଜିତେନ୍ଦ୍ର ଶବର ସହ ଅନ୍ୟାନ୍ୟ ଅଭିଭାବକ ଓ ଲୋକପ୍ରତିନିଧି ଉପସ୍ଥିତ ଥିଲେ।
ଆହୁରି ପଢନ୍ତୁ-ଓଲିଉଡ଼ ଜଗତରୁ ଆସିଲା ଦୁଃଖଦ ଖବର; ଆଉ ନାହାନ୍ତି ଚଳଚ୍ଚିତ୍ର ନିର୍ମାତା ରବି ସ୍ୱାଇଁ, 'ଉଦଣ୍ଡୀ ସୀତା' ପରି ଫିଲ୍ମ ଦେଇଥିଲେ ଭେଟି
ଏନେଇ ଉପଜିଲ୍ଲାପାଳ କହିଛନ୍ତି ଯେ, ତଦନ୍ତ ପ୍ରକ୍ରିୟା ଚାଲିଛି ଏବଂ ଶୀଘ୍ର ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପଟେ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶିମା ରାଓଙ୍କ ନିର୍ଦ୍ଦେଶରେ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା ବିଦ୍ୟାଳୟକୁ ଯାଇ ତଦନ୍ତ କରି ରିପୋର୍ଟ ଦେଇଛନ୍ତି।ଏହାସହ ୨୦୨୫–୨୬ ଶିକ୍ଷାବର୍ଷରେ ୫୧ ଜଣ ଛାତ୍ରଛାତ୍ରୀଙ୍କୁ ଟିସି ଦିଆଯାଇଥିବା ସହ ଏପ୍ରିଲ ୩୧ରେ ଆଉ ୩ ଜଣଙ୍କୁ ଟିସି ପ୍ରଦାନ ହୋଇଥିବା ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଚିନାସାରି ପଞ୍ଚାୟତର ଆରଙ୍ଗୁଲ ଗ୍ରାମର ତୃତୀୟ ଶ୍ରେଣୀ ଛାତ୍ର ପ୍ରତ୍ୟୁଷ ଶବରଙ୍କୁ ବଳପୂର୍ବକ ଟିସି ଦିଆଯାଇଥିବା ଅଭିଯୋଗ ତାଙ୍କ ପିତା ପ୍ରବିଣ ଶବର କରିଛନ୍ତି। ସେ କହିଛନ୍ତି ଯେ, ଧଳା କାଗଜରେ ସହି ନେଇ ପରେ ଟିସି ପ୍ରଦାନ କରାଯାଇଥିଲା। ଏହି ସମଗ୍ର ଘଟଣା ଅଞ୍ଚଳରେ ଚିନ୍ତା ଓ ଅସନ୍ତୋଷର ପରିବେଶ ସୃଷ୍ଟି କରିଛି।