ନୂଆଦିଲ୍ଲୀ,୧୬/୦୬; ଚଳିତ ତ୍ରି-ରାଷ୍ଟ୍ରୀୟ ଦିନିକିଆ ସିରିଜରେ ଭାରତ ଏ’ବନାମ ଶ୍ରୀଲଙ୍କା ଏ'ର ମ୍ୟାଚ୍ ବିବାଦୀୟ ରହିଥିଲା । ଅମ୍ପାୟାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଏବଂ କମ୍ ଆଲୋକ ଯୋଗୁ ଭାରତ ଏ’ପରାଜୟର ସାମ୍ନା କରିଥିଲା । ଏପରିକି ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ବାକ୍ଯୁଦ୍ଧ ଦେଖିବାକୁ ମିଳିଥିଲା । ଆଇପିଏଲ ୨୦୨୬ରେ ବ୍ୟାଟିଂରେ ବିସ୍ଫୋରଣ କରିଥିବା ବୈଭବ ସୂର୍ଯ୍ୟବଂଶୀ ଏବେ ଚର୍ଚ୍ଚାରେ । ଟ୍ରାଇ ସିରିଜରେ ଶ୍ରୀଲଙ୍କା ଏ ବିପକ୍ଷ ମ୍ୟାଚରେ ବୈଭବଙ୍କ ମୁସକିଲ ବଢିଛି । ସୁପରଓଭରରେ ଭାରତ ମ୍ୟାଚ୍ ହାରିବା ପରେ ୧୫ ବର୍ଷୀୟ ବୈଭବ ରାଗି ଯାଇଥିଲେ । ଶ୍ରୀଲଙ୍କା ଖେଳାଳିଙ୍କ ସହିତ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଚାହୁଁଚାହୁଁ ବୈଭବ ଏବଂ ଶ୍ରୀଲଙ୍କା ପ୍ଲେୟାରଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଏବେ ପ୍ରଶ୍ନ ବୈଭବଙ୍କର ଏପରି ଆଚରଣ ପାଇଁ ତାଙ୍କ ଉପର ଆକ୍ସନ ନିଆଯିବ କି ? ସିନିୟର ଇଣ୍ଡିଆ ଟିମ୍ରେ ଡେବ୍ୟୁ ପୂର୍ବରୁ ବୈଭବକୁ ମିଳିବ କି ସଜ୍ଜା । ଜାଣନ୍ତୁ କଣ କହୁଛି ଆଇସିସି ନିୟମ ।
ବୈଭବଙ୍କ ଉପରେ ହେବ କି ଆକ୍ସନ ? ଭାରତୀୟ କ୍ରିକେଟର ପରବର୍ତ୍ତୀ ବଡ ଷ୍ଟାର ଭାବରେ ବିବେଚିତ ବୈଭବ ସୂର୍ଯ୍ୟବଂଶୀ ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତି କରୁଥିବା ସମୟରେ ବିବାଦରେ ଫସିଛନ୍ତି । ବୈଭବ ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ଟି-ଟ୍ୱେଣ୍ଟି ପାଇଁ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ । କିନ୍ତୁ ଶ୍ରୀଲଙ୍କା ଏ ବିପକ୍ଷ ମ୍ୟାଚରେ ବିବାଦ ତାଙ୍କର ପ୍ରଭାବଶାଳୀ କ୍ରିକେଟ ସଫଳତା ଉପରେ ନୂତନ ପ୍ରଶ୍ନ ଉଠାଇଛି । ସୁପରଓଭରରେ ଜିତିବା ପରେ ଶ୍ରୀଲଙ୍କା ଏ ଦ୍ରୁତ ବୋଲର କୁଗାଥାସ ମାଥୁଲାନଙ୍କ ଏକ ମନ୍ତବ୍ୟକୁ ନେଇ ବୈଭବ ସୂର୍ଯ୍ୟବଂଶୀ କ୍ରୋଧିତ ହୋଇଯାଇଥିଲେ । ମ୍ୟାଚ୍ ରେଫରୀ ପ୍ରଦୀପ ଜୟପ୍ରକାଶଦାନଙ୍କ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ଜାରି କରାଯାଇ ନାହିଁ । ଯଦି ତଦନ୍ତରୁ ଜଣାପଡ଼େ ଯେ, ବୈଭବ ସୂର୍ଯ୍ୟବଂଶୀ ଜଣେ ଖେଳାଳିଙ୍କୁ ଠେଲିଛନ୍ତି ତେବେ ତାଙ୍କ ଉପରେ ଜରିମାନା କିମ୍ବା ଅନ୍ୟାନ୍ୟ ଶୃଙ୍ଖଳାଗତ ଆକ୍ସନ ନିଆଯାଇପାରେ । ଭାରତ ଏ ଏବଂ ଶ୍ରୀଲଙ୍କା ଏ କୌଣସି ଅନ୍ତର୍ଜାତୀୟ ମ୍ୟାଚ ନୁହେଁ । ତେଣୁ ବୈଭବ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ସମ୍ଭାବନା କମ୍ ।
ICC ଆଚରଣ ସଂହିତାର ଧାରା ୨.୧୨ ରେ କୁହାଯାଇଛି ଯେ ଖେଳାଳି, ଅମ୍ପାୟାର କିମ୍ବା ଅନ୍ୟ ବ୍ୟକ୍ତିଙ୍କ ସହ ଉଦ୍ଦେଶ୍ୟମୂଳକ କିମ୍ବା ବେପରୁଆ ମନୋଭାବ ICC ଆଚରଣ ସଂହିତା ଉଲ୍ଲଘଂନ । ୨୦୨୪-୨୫ ବର୍ଡର ଗାଭାସ୍କର ଟ୍ରଫିରେ ସମାନ ଘଟଣା ପାଇଁ ବିରାଟ କୋହଲିଙ୍କୁ ତାଙ୍କ ମ୍ୟାଚ୍ ଫିର ୨୦ ପ୍ରତିଶତ ଜରିମାନା କରାଯାଇଥିଲା । ଗୋଟିଏ ଡିମେରିଟ୍ ପଏଣ୍ଟ ଦିଆଯାଇଥିଲା । କୋହଲି ଅଷ୍ଟ୍ରେଲିୟ ବ୍ୟାଟର ସାମ୍ କନଷ୍ଟାନଙ୍କ ଧକ୍କା ଦେଇଥିଲା ।
ମ୍ୟାଚ୍ ବାବଦରେ କହିବାକୁ ଗଲେ, ଭାରତ ଏ’ ଦଳ କ୍ରମାନ୍ୱୟରେ ଦ୍ୱିତୀୟ ମ୍ୟାଚ୍ ପରାଜିତ ହୋଇଛି । ସୋମବାର ଅନୁଷ୍ଠିତ ଚତୁର୍ଥ ମ୍ୟାଚ୍ରେ ଆୟୋଜକ ଶ୍ରୀଲଙ୍କା ଏ’ ଦଳ ସୁପର ଓଭରରେ ଭାରତ ଏ’କୁ ହରାଇ ଶୀର୍ଷ ସ୍ଥାନ ଦଖଲ କରିଛି । ଭାରତ ଏ’ ପ୍ରଥମେ ବ୍ୟାଟିଂ କରି ୪୯.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୬୫ରନ୍ କରିଥିଲା । ଜବାବରେ ଶ୍ରୀଲଙ୍କା ଏ’ ୯/୨୬୫ ରନ୍ କରିବା ସହ ମ୍ୟାଚ୍କୁ ଟାଇ କରିଥିଲା । ଏହାପରେ ସୁପର ଓଭରରେ ଶ୍ରୀଲଙ୍କା ଏ’ ୧୬ରନ୍ କରିଥିବାବେଳେ ଭାରତ ଏ’ ୯ରନ୍ କରିବାକୁ ସକ୍ଷମ ହୋଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତ ଏ’ ୨୬୫ ରନ୍ରେ ଅଲଆଉଟ୍ ହୋଇଥିଲା । ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ୨୧, ଋତୁରାଜ ଗାଏକୱାଡ୍ ୩୭, ତିଳକ ବର୍ମା ୨୩, ସୂର୍ୟାଂଶ ସେଡ୍ଗେ ୭୨ (୩ଚୌକା, ୨ଛକା), ବିପ୍ରଜ ନିଗମ ୫୧ ରନ୍ କରିଥିଲେ ।
ଏହା ବି ପଢନ୍ତୁ...ସୁପର ଓଭରରେ ହାରିବା ପରେ ଶ୍ରୀଲଙ୍କା ଖେଳାଳିଙ୍କ ସହ ବୈଭବ ସୂର୍ଯ୍ୟବଂଶୀଙ୍କ ବିବାଦ, ଯୁକ୍ତିତର୍କରୁ ହେଲା ଠେଲାପେଲା
ଅନ୍ୟମାନଙ୍କ ମଧ୍ୟରେ ନିରୋଶାନ ଡିକୱେଲା ୩୭, ଅଭିସ୍କା ଫର୍ଣ୍ଣାଣ୍ଡୋ ୨୨, ୱାନୁଜ ସହନ ୨୫, ବ୍ୟାସକାନ୍ତ ୧୮ ଓ ଚାମିକା ଗୁଣସେକରା ୧୮ରନ୍ କରିଥିଲେ । ସେହିପରି ପେନାଲ୍ଟି ଭାବେ ଶ୍ରୀଲଙ୍କା ଏ’କୁ ୧୦ରନ୍ ମିଳିଥିଲା । ବିପ୍ରଜ ନିଗମ ୨ଥର ପିଚ୍ରେ ଦୌଡ଼ିବା କାରଣରୁ ଅମ୍ପାୟାର ପ୍ରତିପକ୍ଷ ଦଳକୁ ପେନାଲ୍ଟି ଭାବେ ୧୦ ରନ୍ ପ୍ରଦାନ କରିଥିଲେ । ଭାରତ ପକ୍ଷରୁ ଆୟୂଷ ବାଦୋନି ୨ଟି ୱିକେଟ୍ ଅକ୍ତିଆର କରିଥିଲେ ।