ବାଙ୍ଗିରିପୋଷି,୨୬/୧୨ : ସାମାନ୍ୟ କେଇଟା ଟଙ୍କା ପାଇଁ ନୃଶଂସ ହେଲା ସ୍ବାମୀ । ସାତ ଜନମ ସାଙ୍ଗ ହୋଇ ରହିବାର ପ୍ରତିଶ୍ରୁତି ହୋଇଗଲା ପାଣିର ଗାର । ଅମାନବୀୟ ହୋଇ ବାଡ଼ିରେ ପିଟିପିଟି ନିଜ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ। ବାଙ୍ଗିରିପୋଷି ଥାନା ସିମିଲା ଛକ ନିକଟରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମୃତ ମହିଳା ହେଲେ ନିନି ମୁଣ୍ଢା ଏବଂ ଅଭିଯୁକ୍ତ ସ୍ଵାମୀ ହେଲେ ଦେବେନ୍ଦ୍ର ସିଂ ।

ଗତ ଗୁରୁବାର ରାତିରେ ମାଂସ ଆଣିବାକୁ ଟଙ୍କା ମାଗିଥିଲା ଅଭିଯୁକ୍ତ । ଟଙ୍କା ନ ଦେବାରୁ ରାଗରେ ଏକ ବାଡ଼ି ସାହାଯ୍ୟରେ ନିଜ ସ୍ତ୍ରୀକୁ ନିର୍ଧୁମ ଛେଚି ଥିଲା । ସକାଳୁ ଉଠି ଦେଖିଲା ବେଳକୁ ମହିଳାଙ୍କ ମୃତ୍ୟୁ ଘଟିଥିଲା । ବାଙ୍ଗିରିପୋଷି ପୁଲିସ ଖବରପାଇ ସାଇଣ୍ଟିଫିକ୍ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶବ ଜବତ ପରେ ବ୍ୟବଛେଦ ପାଇଁ ବାରିପଦା ପିଆରଏମ ମେଡିକାଲକୁ ପଠାଇବା ସହ ହତ୍ୟା ଅଭିଯୋଗରେ ସ୍ୱାମୀକୁ ଅଟକ ରଖିଛି ପୁଲିସ । ଅନ୍ୟପକ୍ଷେ ନିନି ମୁଣ୍ଢା ଅଭିଯୁକ୍ତ ଦେବେନ୍ଦ୍ର ସିଂକୁ ତୃତୀୟ ବିବାହ କରିଥିବା ଜନପଡିଛି ।