ନୂଆଦିଲ୍ଲୀ, ୧୭/୦୧ : ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ। ଯୌତୁକ ନିର୍ଯାତନା ମାମଲାରେ ସବୁବେଳେ ଭୁଲ୍ ନୁହଁନ୍ତି ଶାଶୁଘର ଲୋକ, ମହିଳାମାନେ ବି ଉଠାନ୍ତି ଆଇନ କାନୁନର ଫାଇଦା। ଏକ ମାମଲାର ଶୁଣାଣି କରି ଜଣେ ମହିଳାଙ୍କୁ କୋର୍ଟ ଭତ୍ସନା କରିଛନ୍ତି। ମହିଳା ଜଣଙ୍କ ମଧ୍ୟସ୍ଥତା ପାଇଁ ବାରମ୍ବାର ସର୍ତ୍ତ ବଦଳାଉଥିବାରୁ କୋର୍ଟ ତାଙ୍କୁ ଲୋଭୀ ବୋଲି କହିଛନ୍ତି।

ଏକ ଯୌତୁକ ନିର୍ଯାତନା ମାମଲାରେ ଶୁଣାଣି କରି ଜଷ୍ଟିସ୍ ନୀନା ବଂସଲ କୃଷ୍ଣାଙ୍କ ବେଞ୍ଚ ମାମଲାକୁ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି ଯେ, ସ୍ଵାମୀ ଏବଂ ଶ୍ଵଶୁରଙ୍କ ଠାରୁ ଅଧିକରୁ ଅଧିକ ଧନ ପାଇବାର ଲାଳସାରେ ପତ୍ନୀ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଯୌତୁକ ନିର୍ଯାତନା ମାମଲାର ଦୂରୁପଯୋଗ ହୋଇଥିବା ଏହି କେସ୍ ରୁ ସ୍ପଷ୍ଟ ଜଣାପଡ଼ୁଛି। ଆଇନର ଅପବ୍ୟବହାର ଯେମିତି ନହୁଏ ସେଥିପ୍ରତି ଅଦାଲତଙ୍କୁ ସଚେତନ ହେବା ଜରୁରୀ। ଗତ କିଛି ବର୍ଷ ହେଲା ଗୋଟିଏ ପରିବାର ପୁଲିସ ଏବଂ ଅଦାଲତର ଚକ୍କର କାଟୁଛି। ବେଞ୍ଚ ଏହି ମାମଲାରେ ଅଭିଯୁକ୍ତ ସ୍ଵାମୀ ଏବଂ ଶ୍ଵଶୁରଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରି କ୍ଲିନଚିଟ୍ ଦେଇଛନ୍ତି।

ବେଞ୍ଚ କହିଛନ୍ତି ଯେ, ଅଭିଯୋଗକାରିଣୀଙ୍କ ବିବାହ ୨୦୦୯ରେ ହୋଇଥିଲା। ପାରିବାରିକ ବିବାଦ କାରଣରୁ ସେ ୨୦୧୧ରୁ ଶାଶୁଘର ଛାଡ଼ି ସାରିଛନ୍ତି। ଏହାପରେ ସେ କେବେ ଶାଶୁଘର ଯାଇ ନାହାଁନ୍ତି। ଏହା ପରେ ଦୁଇ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା। ମଧ୍ୟସ୍ଥତା ସେଣ୍ଟରରେ ପ୍ରତି ଥର ମହିଳା ନିଜର ଦାବି ପରିବର୍ତ୍ତନ କରିଥିଲେ। କେତେବେଳେ ସେ ୫୦ ଲକ୍ଷ ଟଙ୍କା ମାଗିଥିଲେ ତ କେତେବେଳେ ଫ୍ଲାଟ୍ ଡିମାଣ୍ଡ୍ କରିଥିଲେ। ଆପୋଷ ବୁଝାମଣା ନହେବାରୁ ସେ ୨୦୧୬ରେ ସ୍ଵାମୀ ଏବଂ ଶ୍ଵଶୁରଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

ଏହି ଖବରଟିକୁ ପଢନ୍ତୁ- ସୁଶାସନର ଏଜେଣ୍ଡାକୁ ଦେଲେ ଆଶୀର୍ବାଦ , ପୌର ନିର୍ବାଚନ ରେଜଲ୍ଟକୁ ନେଇ ପିଏମ୍ ମୋଦି ମହାରାଷ୍ଟ୍ରକୁ କହିଲେ ଧନ୍ୟବାଦ