ଭୁବନେଶ୍ବର: ଡିସେମ୍ବର ୧, ବିଶ୍ବ ଏଡସ୍ ଦିବସ । ପ୍ରତିବର୍ଷ ଡିସେମ୍ବର ୧ରେ ସାରା ବିଶ୍ୱରେ ଏଡସ୍ ଦିବସ ପାଳନ କରାଯାଏ । ଏଚଆଇଭି ଏଡସ୍କୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ । ପ୍ରତିବର୍ଷ ଭଳି ଏଥର ଡିସେମ୍ବର ୧, ୨୦୨୪ରେ ଏଡ୍ସ ଦିବସ ପାଳନ ହେଉଛି । ୨୦୨୪ରେ ଏହି ଦିବସ ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ଥିମ୍ ରଖାଯାଇଛି । ଏହି ଥିମ ହେଉଛି ‘World AIDS Day 2024: Take the rights path: My health, my right!’ ।
ଏଚ୍ଆଇଭି ଭୂତାଣୁର ସଂକ୍ରମଣ ଯୋଗୁଁ ହେଉଥିବା ଏଡ୍ସ ରୋଗର ଭୟାନକ ପରିଣତି ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ଉତ୍ସର୍ଗୀକୃତ। ଏଚ୍ଆଇଭି ସଂକ୍ରମିତ ଲୋକଙ୍କୁ ସମର୍ଥନ ଓ ସହାନୁଭୂତି ପ୍ରଦର୍ଶନ ସହ ଏଡ୍ସ ଜନିତ ରୋଗରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ସ୍ମରଣ କରିବା ଏବଂ ନୂତନ ସଂକ୍ରମଣକୁ ରୋକିବା ପାଇଁ ଅଧିକ ପ୍ରୟାସ କରିବା ଉଦ୍ଦେଶ୍ୟରେ ବିଶ୍ବବ୍ୟାପୀ ଲୋକମାନଙ୍କ ପାଇଁ ଏହା ଏକ ସୁଯୋଗ ଆଣିଥାଏ । ୧୯୮୮ ମସିହାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ଏହାକୁ ଏକ ଆନୁଷ୍ଠାନିକ ଦିବସ ରୂପେ ଘୋଷଣା କରିଥିଲା।
ଏଚ୍ଆଇଭି/ଏଡ୍ସ ବିରୋଧରେ ସଚେତନତା ଓ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର, ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ଏକ ମଞ୍ଚ ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ଦିବସର ପ୍ରତିଷ୍ଠା କରାଯାଇଥିଲା। ଏଚ୍ଆଇଭି ବା ଏଡ୍ସ ଦ୍ବାରା ସୃଷ୍ଟ ଆହ୍ବାନ ପ୍ରତି ଧ୍ୟାନ ଆକର୍ଷଣ କରିବା ଏବଂ ତତ୍ ସମ୍ବନ୍ଧିତ ପ୍ରସଙ୍ଗଗୁଡ଼ିକ ପାଇଁ ସମର୍ଥନ ଯୋଗାଡ଼ କରିବାରେ ଏହି ଦିବସର ବିଶେଷ ତାତ୍ପର୍ଯ୍ୟ ରହିଛି। ଜନସାଧାରଣ ନିଜକୁ ଓ ଅନ୍ୟମାନଙ୍କୁ ଏଚ୍ଆଇଭି ସଂକ୍ରମଣ, ନିରାକରଣ, ପରୀକ୍ଷଣ, ଚିକିତ୍ସା ଓ ସଂକ୍ରମିତ ଲୋକେ ସମ୍ମୁଖୀନ ହେଉଥିବା ସାମାଜିକ ଭେଦଭାବ ବାବଦରେ ସଚେତନ କରିବା ପାଇଁ ଏହା ଏକ ସୁଯୋଗ।
ତଥ୍ୟ କୁହେ, ୨୦୧୭ ମସିହାରେ ପୂରା ବିଶ୍ବରେ ପ୍ରାୟ ୧.୮ ନିୟୁତ ଲୋକ ଏଚ୍ଆଇଭିରେ ପୀଡ଼ିତ ଥିଲେ । ଏହି କାରଣରୁ ପ୍ରାୟ ୯ ଲକ୍ଷ ୪୦ ହାଜର ଲୋକଙ୍କର ମୃତ୍ୟୁ ହୋଇଥିଲା । ଦେଶଗୁଡ଼ିକ ମଧ୍ୟରେ ଆଫ୍ରିକା ମହାଦେଶ ସର୍ବାଗ୍ରେ ଥିବାବେଳେ ଫ୍ଲୋରିଡା, ଟେକ୍ସାସ୍, କାର୍ଲିଫର୍ଣ୍ଣିଆ ଓ ନ୍ୟୁୟର୍କ ସଂକ୍ରମଣ ହାରରେ ଆଗରେ ଥିଲେ । ବର୍ତ୍ତମାନ ଏଚ୍ଆଇଭିର ମାତ୍ରା କମିଛି, ହେଲେ ଏହାର ଭୟାବହତା କମିନାହିଁ । ବିଶ୍ବସ୍ତରରେ ୨୦୧୦ରୁ ୨୦୧୯ ଭିତରେ ନୂତନ ଏଚ୍ଆଇଭି ସଂକ୍ରମଣ ୨୩ ପ୍ରତିଶତ କମିଛି ବୋଲି ଏକ ରିପୋର୍ଟ କହୁଛି । ମିଳିତ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ ଅନୁସାରେ ୨୦୩୦ ସୁଦ୍ଧା ଏଡ୍ସକୁ ଏକ ଜନସ୍ବାସ୍ଥ୍ୟ ବିପଦ ଭାବେ ସମାପ୍ତ କରିବା ଦିଗରେ ସଚେତନତା, ପାଣ୍ଠି ଯୋଗାଣ ଓ ପଦକ୍ଷେପ ନେବା ପାଇଁ ଏହି ଦିବସ ଏକ ସମାବେଶୀ ଆହ୍ବାନ ଭାବେ କାମ କରୁଛି। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ସଠିକ୍ ମାର୍ଗ ଆପଣାନ୍ତୁ; ମୋ ସ୍ବାସ୍ଥ୍ୟ, ମୋ ଅଧିକାର’ ।