ସିଙ୍ଗାପୁର,୦୯/୧୨: ବିଶ୍ୱ ଚେସ୍‌ ଚାମ୍ପିଅନସିପ୍‌ ମୁକାବିଲାର ୧୧ତମ  ରାଉଣ୍ଡ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଚୀନର ଡିଙ୍ଗ୍‌ ଲିରେନଙ୍କୁ ହରାଇ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଟାଇଟଲ୍‌  ପଥରେ ଅଗ୍ରସର ହୋଇଛନ୍ତି । ଏହି ବିଜୟ ବଳରେ ସେ ୬-୫ ପଏଣ୍ଟରେ  ଅଗ୍ରଣୀ ହାସଲ କରିଛନ୍ତି । ଆଉ ୩  ରାଉଣ୍ଡ୍‌ ଖେଳ ବାକି ରହିଛି । ଗୁକେଶଙ୍କ  ନିକଟରେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିଅନ୍‌  ହେବାର ସୁବର୍ଣ୍ଣ ସୁଯୋଗ ରହିଛି । ଆଉ ୧.୫ ପଏଣ୍ଟ ହାସଲ କଲେ ସେ  ପ୍ରସିଦ୍ଧ ଖେଳାଳି ବିଶ୍ୱନାଥନ ଆନନ୍ଦଙ୍କ  ପରେ ଦ୍ୱିତୀୟ ଭାରତୀୟ ଭାବେ ବିଶ୍ୱ  ଚାମ୍ପିଅନ୍‌ ମୁକୁଟ ପରିଧାନ କରିବେ । 

୧୧ତମ ରାଉଣ୍ଡ୍‌ରେ କ୍ୟାଣ୍ଡିଡେଟ୍ସ  ଚାମ୍ପିଅନ୍‌ ଗୁକେଶ ଧଳା ଏବଂ ଲିରେନ  କଳା ଗୋଟିରେ ଖେଳିଥିଲେ । ଗୁକେଶ ପ୍ରଥମେ ଘୋଡ଼ାକୁ ଆଗକୁ ବଢ଼ାଇଥିଲେ ।  ମାତ୍ର ଲିରେନ ବେନୋନି ଓପନିଂ ରଣନୀତି ସହ ଗୋଟି ଚାଳନା କରି  ତାଙ୍କୁ ଚକିତ କରି ଦେଇଥିଲେ ।  ମାତ୍ର ୫ଟି ଗୋଟି ଚାଳନା ମଧ୍ୟରେ ଚୀନ ତାରକା ବହୁ ସମୟ ଅପଚୟ କରି ସାରିଥିଲେ । ପରବର୍ତ୍ତୀ ଗୋଟି ଚାଳନାରୁ ହିଁ ସେ ଚାପରେ ଥିବା ସ୍ପଷ୍ଟ ବାରି ହୋଇ ପଡ଼ିଥିଲା । ଫଳରେ ସେ  ତ୍ରୁଟି କରିଥିଲେ । ଗୁକେଶ ଏହାର  ଫାଇଦା ଉଠାଇ ବିଜୟ ପାଇଁ ପଥ ପ୍ରସ୍ତୁତ କରିବାରେ ଲାଗି ପଡ଼ିଥିଲେ । ଶେଷରେ ୨୯ଟି ଗୋଟି ଚାଳନା ପରେ  ଲିରେନ ହାର୍‌ ମାରିଥିଲେ ଏବଂ ଗୁକେଶ ବିଜୟ ହାସଲ କରିଥିଲେ । 

କ୍ରମାନ୍ୱୟରେ ୭ଟି ରାଉଣ୍ଡ୍‌ ଡ୍ର’  ରହିବା ପରେ ଶେଷରେ ଗୁକେଶ  ଚଳିତ ମୁକାବିଲାରେ ଦ୍ୱିତୀୟ ବିଜୟ  ସହ ପ୍ରଥମ ଥର ଅଗ୍ରଣୀ ହାସଲ କରିଛନ୍ତି । ଗୁକେଶଙ୍କ ବିଜୟ ପରେ  ସେଠାରେ ଉପସ୍ଥିତ ଥିବା ସମର୍ଥକମାନେ ତାଳି ମାରି ତାଙ୍କୁ ଉତ୍ସାହିତ କରିଥିଲେ ।