ପାରାଦୀପ,୦୮/୦୬: ରତ୍ନଗର୍ଭା ସମୁଦ୍ର ଦିନକୁ ଦିନ ପ୍ରଦୂଷିତ  ହେବାରେ ଲାଗିଛି । ବିଶ୍ୱ ମହାସାଗର  ଦିବସ ପାଳିତ ହେଉଛି । ସୋସିଆଲ୍‌ ମିଡିଆରେ ପ୍ରଚାର ପ୍ରସାର ଜୋର୍‌ଦାର ହେଉଛି । କିନ୍ତୁ ବାସ୍ତବ କ୍ଷେତ୍ରରେ ଆମେ ସେତିକି ସଚେତନ ହୋଇ ନାହୁଁ । ସତେଯେମିତି ଏଗୁଡିକ ଲୋକ ଦେଖାଣିଆ ହୋଇଯାଇଛି ।  ସଚେତନତା ଅଭାବରୁ ସମୁଦ୍ରରେ ମିଶୁଛି କୁଢ଼ କୁଢ଼ ଆବର୍ଜନା ।  ଯାହାକୁ ନେଇ ପରିବେଶବିତମାନେ ଉଦ୍‌ବେଗ ପ୍ରକାଶ କରୁଛନ୍ତି ।  ଯେତେ ସଚେତନତା ହେଉ କି ଜାରିମାନା ବ୍ୟବସ୍ଥା କରାଗଲେ ମଧ୍ୟ ଦିନକୁ ଦିନ ପାରାଦୀପ ଉପକୂଳ ପ୍ରଦୂଷିତ ହେବାରେ ଲାଗିଛି ।

ପାରାଦୀପ ଉପକୂଳର ବାଲିପ୍ଲଟ, ନେହରୁବଙ୍ଗଳା, ପାରାଦୀପ  ବେଳାଭୂମି ଅଞ୍ଚଳରେ କୁଢ଼କୁଢ଼ ଅଳିଆ ଆବର୍ଜନା ଦେଖିବାକୁ  ମିଳୁଛି । ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ପର୍ଯ୍ୟଟକ ପର୍ଯ୍ୟନ୍ତ ପ୍ଲାଷ୍ଟିକ,  ପଲିଥିନ ବ୍ୟବହାର କରୁଥିବା ବେଳେ ଜନସାଧାରଣ ମଧ୍ୟ ଏଥିପ୍ରତି  ସଚେତନ ହେଉ ନାହାନ୍ତି । ଫଳରେ ବର୍ଜ୍ୟବସ୍ତୁ ପରିଚାଳନା  ଆଇନ ଦିଗହରା ହୋଇପଡିଛି । ବାଲିପ୍ଲଟ୍‌ ନିକଟରେ ପ୍ଲାଷ୍ଟିକ,  ପଲିଥିନ ଆଦି ଯେତକ ବର୍ଜ୍ୟବସ୍ତୁ ସେଠାରେ ଗଦା କରାଯାଉଛି ।  ସେହି ଅଞ୍ଚଳ ପୂର୍ତ୍ତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ସେହିପରି  ଅଠରବାଙ୍କି ହେଉ କି ବାଲିପ୍ଲଟ କି ବେଳାଭୂମି ରାତି ପାହିଲେ  କୁଢ଼ କୁଢ଼ ଅଳିଆ । ଏହା ପରିବେଶକୁ ନଷ୍ଟ କରୁଛି । ସେହି ସ୍ଥାନ  ସବୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  ବିଷୟ ହେଉଛି ସେ ସବୁ ଅଳିଆ ଆବର୍ଜ୍ଜନା ଗୁଡ଼ିକ ବର୍ଷା ପବନ  ହେଲେ ସମୁଦ୍ରରେ ମିଶୁଛି । ସମୁଦ୍ର ପ୍ରଦୂଷିତ ହେଉଛି । ତେଣୁ  ଆଜି ବିଶ୍ୱ ମହାସାଗର ଦିବସ ପାଳନ କରାଯାଉଛି । ସମୁଦ୍ରକୁ  ପ୍ରଦୂଷଣ ଓ ଅବକ୍ଷୟ ମୁଖରୁ ବଞ୍ଚାଇବା ଏ ଦିବସ ପାଳନର ମୁଖ୍ୟ  ଉଦ୍ଦେଶ୍ୟ ଥିବା ବେଳେ ଏହା ଫଳପ୍ରଦ ହେଉ ନାହିଁ । ସମୁଦ୍ର ଗୁଡ଼ିକ  ପୃଥିବୀର ସତୁରୀ ପ୍ରତିଶତ ଜଳଭାଗକୁ ଆଛାଦନ କରିଥାଏ ।  ସମୁଦ୍ରରୁ ପୃଥିବୀକୁ ୫୦ ପ୍ରତିଶତ ଅମ୍ଳଜାନ ମିଳିଥାଏ । କିନ୍ତୁ  ସମୁଦ୍ରରେ ବର୍ଜ୍ୟବସ୍ତୁ ମିଶି ସାଗର, ମହାସାଗର ପ୍ରଦୂଷଣ ହେବାରେ  ଲାଗିଛି । ଫଳରେ ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ସବୁଠୁ ବଡ  ଚାଲେଞ୍ଜ ସୃଷ୍ଟି କରିଛି । ପରିବେଶ ସୁସ୍ଥ ପାଇଁ ସ୍ୱଚ୍ଛତା ଅଭିଯାନ  କାର୍ଯ୍ୟକ୍ରମ କରାଯାଉଛି । କିନ୍ତୁ କେତେକ ସ୍ୱାର୍ଥବାଦୀ ଗୋଷ୍ଠୀଙ୍କ  ପାଇଁ ଏହି ଅଭିଯାନ ଫେଲ୍‌ ମାରିଥିବା ଅଭିଯୋଗ ହେଉଛି ।

ଅଧିକ ପଢ଼ନ୍ତୁ :-  CM Visit : ଆଜି ବାରିପଦା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୬୫୦ ବେଡ୍ ବିଶିଷ୍ଟ ଆଧୁନିକ ଡାକ୍ତରଖାନାର କରିବେ ଲୋକାର୍ପଣ

ଏ ସମ୍ପର୍କରେ ପରିବେଶବିତ ତଥା ଯନ୍ତ୍ରୀ ଅମରେଶ  ନରେଶ ସାମନ୍ତ କହିଛନ୍ତି ନଦୀ ମାନଙ୍କର ଅବବାହିକା  ଓ ଉତ୍ପତ୍ତି ସ୍ଥଳ ସବୁ ପ୍ରଦୂଷିତ ହୋଇ ନଦୀ ଦ୍ୱାରା ସମସ୍ତ  ବର୍ଜ୍ୟବସ୍ତୁ ସମୁଦ୍ରରେ ମିଶୁଛି । ସାଗର ହେଉ କି ମହାସାଗରରେ  ଯନ୍ତ୍ର ଚାଳିତ ଜାହାଜ ଚାଲୁଛି । ଜାହାଜ ଗୁଡିକର ବର୍ଜ୍ୟବସ୍ତୁ  ସିଧାସଳଖ ସମୁଦ୍ର ଜଳରେ ମିଶୁଛି । ମଣିଷର ଦୈନନ୍ଦିନ  ଆବଶ୍ୟକତା ଓ ସଚେତନତା ଅଭାବରୁ ବାର୍ଷିକ ୧୨ ମିଲିଅନରୁ  ଅଧିକ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସମୁଦ୍ରରେ ମିଶିବା ଫଳରେ ଜଳ  ପ୍ରଦୂଷିତ ହେବା ସହ ବେଶି କ୍ଷତି ସମୁଦ୍ରରେ ରହୁଥିବା  ଜଳଜୀବ ଓ ଉଦ୍ଭିଦ ସହୁଛନ୍ତି । କଳ କାରଖାନାର ବର୍ଜ୍ୟବସ୍ତୁ  ଓ ରାସାୟନିକ ପଦାର୍ଥ ସିଧାସଳଖ ସମୁଦ୍ରରେ ମିଶିବା ଫଳରେ  ସମୁଦ୍ର ଜଳ ପ୍ରଦୂଷିତ ହେଉଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି ।