ନୂଆଦିଲ୍ଲୀ,୯।୧୧: ଲଗାତାର ୮ ବଲ୍‌ରେ ୮ ଛକା। ୧୧ ବଲ୍‌ରେ ପୂରଣ କଲେ ଅର୍ଦ୍ଧଶତକ । କ୍ରିକେଟ ଇତିହାସରେ ସୃଷ୍ଟି ହେଲା ନୂଆ ରେକର୍ଡ। ମେଘାଳୟର ଯୁବ ବ୍ୟାଟର ଆକାଶ କୁମାର ରଚିଛନ୍ତି ଏଭଳି କୀର୍ତ୍ତିମାନ।  ୧୧ ବଲ୍‌ରେ ୫୦ ରନ୍‌ କରି ଫାଷ୍ଟ କ୍ଲାସ କ୍ରିକେଟ୍‌ରେ ସବୁଠାରୁ ଦ୍ରୁତ ବ୍ୟାଟର ହେବାର ରେକର୍ଡ ସୃଷ୍ଟି କରିଛନ୍ତି ଆକାଶ। ରଣଜୀ ଟ୍ରଫି ପ୍ଲେଟ୍ ଗ୍ରୁପ୍‌ ମ୍ୟାଚ୍‌ରେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ଆକାଶଙ୍କ ବିସ୍ଫୋରକ ଇନିଂସ ସମସ୍ତଙ୍କୁ ଚକିତ କରିଛି। ସେ ଇଂଲଣ୍ଡର ଭେନ୍ ହ୍ବାଇଟଙ୍କ ୧୨ ବଲରେ ଅର୍ଦ୍ଧଶତକ କରିବାର ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଯିଏକି ୨୦୧୨ରେ ଲିସେଷ୍ଟରଶାୟର ପାଇଁ କରିଥିଲେ।

ଆକାଶ ଯେତେବେଳେ ୮ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ, ସେତେବେଳେ ମେଘାଳୟ ଟିମ୍ ୫୭୬ ରନ୍ କରିସାରିଥିଲା। ସେତେବେଳେ ୬ ଓ୍ବିକେଟ୍ ମଧ୍ୟ ଟିମ୍ ହରାଇ ସାରିଥିଲା। କିନ୍ତୁ ଆକାଶ ଆସିବା ମାତ୍ରେ ନିଜର ଦମଦାର ବ୍ୟାଟିଂ ଦେଖାଇବା ଆରମ୍ଭ କରିଦେଇଥିଲେ। କିଛି ଓଭରରେ ଅରୁଣଚଳ ପ୍ରଦେଶର ବୋଲରଙ୍କ ବଲରେ  କରିଥିଲେ ଧୁଆଁଧାର ବ୍ୟାଟିଂ। ସେ ଲଗାତାର ୮ଟି ଛକା ମାରିଥିଲେ।  ତା ଭିତରୁ ଗୋଟିଏ ଓଭରରେ କେବଳ ୬ଟି ଛକା ସେ ଲିମର ଡାବିଙ୍କ ବଲ୍‌ରେ ମାରିଥିଲେ। ଏଭଳି ଦୃଶ୍ୟ ଟି-୨୦ ମ୍ୟାଚ୍‌ରେ ମଧ୍ୟ ଖୁବ୍ ବିରଳ ହୋଇଥାଏ। ଆକାଶ ଇନିଂସ ଶେଷ ପର୍ଯ୍ୟନ୍ତ ୧୪ ବଲ୍‌ରେ ୫୦ ରନ୍ କରି ଅପରାଜିତ ଥିଲେ। ତାଙ୍କ ଏହି ବିସ୍ଫୋରକ ବ୍ୟାଟିଂ ପରେ ମେଘାଳୟ ୬ ଓ୍ବିକେଟ ହରାଇ ୬୨୮ ରନରେ ଇନିଂସ ଘୋଷଣା କରିଥିଲା।

ଏହା କେବଳ ରଣଜୀ ଟ୍ରଫିର ରେକର୍ଡ ନୁହେଁ, ବଂର ଫାଷ୍ଟ କ୍ଲାସ କ୍ରିକେଟର ପୁରା ଇତିହାସରେ ସବୁଠାରୁ ଦୃତତ୍ତମ ଅର୍ଦ୍ଧଶତକ। ଏହା ଘରୋଇ ଓ ଅନ୍ତର୍ଜାତୀୟ ସ୍ତରର ଦଶକ ପୁରୁଣା ରେକର୍ଡକୁ ପଛାଇ ଦେଇଛି। ଭାରତୀୟଙ୍କ ଭିତରେ ଏହି ରେକର୍ଡ ବନ୍ଦୀପ ସିଂହଙ୍କ ନାମରେ ଥିଲା, ଯିଏକି ଜମ୍ମୁ - କାଶ୍ମୀର ପାଇଁ ୧୫ ବଲରେ ଅର୍ଦ୍ଧଶତକ କରିଥିଲେ। ଆକାଶଙ୍କ ଏହି ବିସ୍ଫୋରକ ବ୍ୟାଟିଂ ଏପରି ଏକ ସମୟରେ ଦେଖିବାକୁ ମିଳିଛି, ଯେତେବେଳେ ରଣଜୀ ଟ୍ରଫିର ପ୍ଲେଟ୍ ଗ୍ରୁପ୍ ଅସାଧାରଣ ରେକର୍ଡ ସୃଷ୍ଟି କରୁଛି । ବିହାରର ବୈଭବ ସୂର୍ଯ୍ୟବଂଶୀ ସର୍ବକନିଷ୍ଠ ରଣଜୀ ଖେଳାଳି ହେବାଠାରୁ ଆରମ୍ଭ କରି ଗୋଆର କଶ୍ୟପ ବାକଲେ ଏବଂ ସ୍ନେହଲ କୌଥାଙ୍କକରଙ୍କ ମଧ୍ୟରେ  ୬୦୬ ରନ୍‌ ପାର୍ଟନରସିପ୍‌ । ଏବେ ଆକାଶଙ୍କ ୧୧ ବଲରେ ୫୦ ରନ୍‌  କରି ଫାଷ୍ଟକ୍ଲାସ କ୍ରିକେଟରେ ବିଶ୍ବରେକର୍ଡ ସୃଷ୍ଟି କରିଛନ୍ତି। ତେବେ ଆସନ୍ତୁ ଜାଣିବା ଆକାଶ କୁମାର କିଏ ଓ ତାଙ୍କର କିଭଳି ରହିଛି କ୍ରିକେଟ କ୍ୟାରିୟର ?

ଆକାଶ ଡିସେମ୍ବର ୨୦୧୯ ରେ ନାଗାଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଥିଲେ। ସେହି ବର୍ଷ ସେ ଲିଷ୍ଟ-ଏ ଏବଂ ଟି-୨୦ ମ୍ୟାଚରେ ମେଘାଳୟ ପକ୍ଷରୁ   ସିକିମ ଏବଂ ଗୁଜୁରାଟ ବିପକ୍ଷରେ ଖେଳିଥିଲେ। ତାଙ୍କର ଘରୋଇ ଯାତ୍ରାର ଅନେକ   ଉତଥାନ ଓ ପତନ   ରହିଛି। ଏହି ମ୍ୟାଚ ପୂର୍ବରୁ, ସେ ତାଙ୍କର ପୂର୍ବ ଦଶ ଇନିଂସରେ କେବଳ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ଭଲ ଫର୍ମରେ ମଧ୍ୟ ନଥିଲେ।  ଲଗାତାର ୫ ଟି ମ୍ୟାଚରେ ୨୦ ରନ ଅତିକ୍ରମ କରିବାରେ ବିଫଳ ଥିଲେ। ତଥାପି, ସେ ପୁଣିଥରେ ଫର୍ମକୁ ଫେରିଥିଲେ।  ବିହାର ବିପକ୍ଷରେ ମେଘାଳୟର ଶେଷ ମ୍ୟାଚରେ ଏକ ଅର୍ଦ୍ଧଶତକ ସହିତ କମ ବ୍ୟାକ୍‌ କରିଥିଲେ।। ରବିବାର ହିମାଚଳ ବିପକ୍ଷରେ ତାଙ୍କର ଦମଦାର ଇନିଂସ ବିଶ୍ବ ରେକର୍ଡ ସୃଷ୍ଟି କରିଛି।

ଫାଷ୍ଟକ୍ଲାସ କ୍ରିକେଟରେ ଦୃତତ୍ତମ ଅର୍ଦ୍ଧଶତକ  କରିଥିବା ଖେଳାଳି

୧୧ ବଲ୍ :ଆକାଶ କୁମାର ଚୌଧୁରୀ –ସୁରାଟରେ ମେଘାଳୟ ବିପକ୍ଷ ଅରୁଣାଚଳ ପ୍ରଦେଶ ମ୍ୟାଚ୍ (୨୦୨୫)

୧୨ ବଲ୍ : ଓ୍ବେନ୍ ହ୍ବାଇଟ୍-ଲିସେଷ୍ଟରରେ ଲିସେଷ୍ଟରସାୟର ବିପକ୍ଷ ଏସେକ୍ସ (୨୦୧୨)

୧୩ ବଲ୍ :ମାଇକେଲ ଭାନ୍ ଭୁରେନ୍- କ୍ରାଡକରେ ଇଷ୍ଟର୍ନ ପ୍ରୋଭିଏନ୍ସ ବି ବିପକ୍ଷ ଗ୍ବୀକାଲାଣ୍ଡ ଓ୍ବେଷ୍ଟ (୧୯୮୪/୮୫)

୧୪ ବଲ୍:  ନେଡ୍ ଏକରସ୍ଲି- ଲିସେଷ୍ଟରରେ ଲିସେଷ୍ଟରସାୟର ବିପକ୍ଷ ଏସେକ୍ସ (୨୦୧୨)

୧୫ ବଲ୍: ଖାଲିଦ୍ ମହମୁଦ  ଗୁଜରନଓ୍ବାଲ ବିପକ୍ଷ ସାରଗୋଧା (୨୦୦୦/୦୧)

୧୫ ବଲ୍: ବନ୍ଦୀପ ସିଂହ – ଅଗରତାଲାରେ ଜାମ୍ମୁ-କଶ୍ମୀର ବିପକ୍ଷ ତ୍ରିପୁରା (୨୦୧୫-୧୬)