ଭୁବନେଶ୍ୱର,୨୭/୦୯: ପର୍ଯ୍ୟଟନ ଋତୁ ପୂର୍ବରୁ ରାଜ୍ୟରେ ଆରମ୍ଭ ହେବ ଦୁଃସାହସିକ ପର୍ଯ୍ୟଟନ ତଥା ଆଡ୍‌ଭେଞ୍ଚର୍‌ ଟୁରିଜିମ୍‌ ।  ଏ ନେଇ ଓଡ଼ିଶା ଦୁଃସାହସିକ ପର୍ଯ୍ୟଟନ ନିର୍ଦ୍ଦେଶାବଳୀ-୨୦୨୫ ଚୂଡ଼ାନ୍ତ ହୋଇଛି । ଗତ  ମେ’ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ  ନିର୍ଦ୍ଦେଶାବଳୀ ଚୂଡ଼ାନ୍ତ ହୋଇଥିଲା ବେଳେ ଏହା  କେବଳ କାର୍ଯ୍ୟକାରୀ ହେବାକୁ ଅପେକ୍ଷା ରହିଛି । 

ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ । ସେହିପରି ଆସନ୍ତା ପର୍ଯ୍ୟଟନ ଋତୁ  ନଭେମ୍ବରରୁ ଆରମ୍ଭ ହେଉଛି । ଶୀତ ପଡ଼ିବା ସହ  ଏହାପରେ ସବୁ ଉତ୍ସବ, ମହୋତ୍ସବ ଆରମ୍ଭ ହେବ । ଦେଶୀ, ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଜମିବ । ଏହାକୁ  ଦୃଷ୍ଟିରେ ରଖି ସରକାର ଦୁଃସାହସିକ ପର୍ଯ୍ୟଟନର ଶୁଭାରମ୍ଭ କରିବେ। ଏହାଦ୍ୱାରା ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟମୟ  ଓ ରୋମାଞ୍ଚକସ୍ଥାନଗୁଡ଼ିକୁ ଦୁଃସାହସିକ ପର୍ଯ୍ୟଟନର  ପ୍ରମୁଖ ଗନ୍ତବ୍ୟସ୍ଥଳୀ ଭାବରେ ବିକଶିତ କରାଯିବ ।  ସାତକୋଶିଆରେ ରାଫ୍ଟିଙ୍ଗ୍‌ ଓ ହୀରାକୁଦ ଉପରେ  ହଟ୍‌ ଏୟାର୍‌ ବେଲୁନ୍‌ର ମଜା ନେବେ ପର୍ଯ୍ୟଟକ ।  ଏତଦ୍‌ବ୍ୟତୀତ ରାଜ୍ୟରେ ୧୯ଟି ସଂରକ୍ଷିତ  ଅଞ୍ଚଳ ଏବଂ ୨ଟି ଜାତୀୟ ଉଦ୍ୟାନରେ ଅବସ୍ଥିତ  ୫୦ରୁ ଅଧିକ ପ୍ରକୃତି ଶିବିର ରହିଛି । ସେଠାରେ  ଯାତ୍ରୀମାନଙ୍କୁ କ୍ୟାମ୍ପ୍‌, ସଫାରି, ଟ୍ରେକିଂ ଇତ୍ୟାଦି  କରିବାକୁ ଅନୁମତି ଦେବା ପାଇଁ ପର୍ଯ୍ୟଟନ ବିଭାଗ  ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ  ବିଭାଗ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।  

ଏହାଛଡ଼ା ଓଡ଼ିଶାରେ ୟାଟ୍‌ ଟୁରିଜିମ୍‌ ଏବଂ  କାରାଭାନ୍‌ ଟୁରିଜିମ୍‌ ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ  ପ୍ରକ୍ରିୟା ବିଷୟରେ ମଧ୍ୟ ବିସ୍ତୃତ ଆଲୋଚନା  ଚାଲିଛି । ସେହିପରି ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କୁ  ଆକର୍ଷିତ କରିବା ପାଇଁ ବୌଦ୍ଧ କ୍ଷେତ୍ରଗୁଡ଼ିକର  ବିକାଶ ଉପରେ ବିଶେଷ ଧ୍ୟାନ ଦେବା ସହିତ  ରତ୍ନଗିରି, ଉଦୟଗିରି ଏବଂ ଲଲିତଗିରିର ହୀରକ  ତ୍ରିଭୁଜକୁ ‘କ୍ୟୁରେଟେଡ୍‌ ବୌଦ୍ଧ ସର୍କିଟ୍‌’ର ଆଖ୍ୟା  ଦିଆଯାଇଛି । ବାକି ସମନ୍ୱିତ ମାଷ୍ଟର୍‌ ପ୍ଲାନିଂ (୧୫  ଗନ୍ତବ୍ୟସ୍ଥଳ) ମାଧ୍ୟମରେ ବିଶ୍ୱସ୍ତରୀୟ ପର୍ଯ୍ୟଟନ  ଭିତ୍ତିଭୂମିର ବିକାଶ, ନିବେଶକ ଅନୁକୂଳ ନୀତି,  ଆତିଥ୍ୟ କ୍ଷେତ୍ରରେ ପୁଞ୍ଜି ବିନିଯୋଗଙ୍କୁ ଆକୃଷ୍ଟ  କରିବା ପାଇଁ ଜମି ବ୍ୟାଙ୍କ ପରି ପଦକ୍ଷେପଗୁଡ଼ିକୁ  ନିଆଯାଇଛି । ଏଥିସହ ପ୍ରିଷ୍ଟାଇନ୍‌ ବେଳାଭୂମିକୁ  ବ୍ଲୁ-ଫ୍ଲାଗ୍‌ ମାନର ବିକାଶ ପାଇଁ ବିଭିନ୍ନ ସଂସ୍ଥାର  ମିଳିତ ଉଦ୍ୟମ ଜାରି ରହିଥିବା ଓଡ଼ିଶା ପର୍ଯ୍ୟଟନ  ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ୩୭୮ଟି  ପର୍ଯ୍ୟଟନସ୍ଥଳୀ ଚିହ୍ନଟ ସହ ସବୁର ବିକାଶ ପାଇଁ  ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ଗତ ବର୍ଷ  ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୫୩ ହଜାର ୩୯୨  ଥିବା ବେଳେ ଓଡ଼ିଶା ବାହାରୁ ବିଭିନ୍ନ ରାଜ୍ୟରୁ ୪୩  ଲକ୍ଷ ୯୯ ହଜାର ୮୩୭ ଜଣ ପର୍ଯ୍ୟଟକ ଆସିଛନ୍ତି  ଏବଂ ରାଜ୍ୟ ଭିତରର ପର୍ଯ୍ୟଟକଙ୍କ ସଂଖ୍ୟା ୬୫ ଲକ୍ଷ ୯୮ ହଜାର ୯୮୨ ଥିଲା ।