ନୂଆଦିଲ୍ଲୀ, ୨୯।୧: ଆଜିକାଲି ସୁସ୍ଥ ରହିବାକୁ ଲୋକେ ଫିଟ୍‌ନେସ୍ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି । କିଏ ରାସ୍ତାଘାଟ, ପାର୍କରେ ଚଲାବୁଲା, ଯୋଗ ପ୍ରାଣାୟାମ ଆଦି କରୁଛନ୍ତି ତ ଆଉ କିଏ ଜିମ୍ ଯାଇ ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରୁଛନ୍ତି । ତେବେ ଜିମ୍ ଯାଉଥିବା ଲୋକ ଟ୍ରେଡମିଲ୍ ନିଶ୍ଚୟ ବ୍ୟବହାର କରୁଥିବେ । ଚାଲିବା ଓ ଦୌଡ଼ିବା ପରିବର୍ତ୍ତେ ଲୋକେ ଟ୍ରେଡମିଲ୍‌କୁ ବ୍ୟବହାର କରନ୍ତି । କିନ୍ତୁ, ଏହି ଟ୍ରେଡମିଲ୍‌ର ଆବିଷ୍କାର କାହିଁକି କରାଯାଇଥିଲା ? ଏହା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ପ୍ରକୃତରେ ଏହି ଟ୍ରେଡମିଲ୍‌ର ବ୍ୟବହାର ଲୋକଙ୍କ ବ୍ୟାୟାମ ପାଇଁ ନୁହେଁ ବରଂ ଲୋକଙ୍କୁ ଦଣ୍ଡ ଦିଆଯିବା ଲାଗି ତିଆରି ହୋଇଥିଲା । ସାର୍ ୱିଲିୟମ୍‌ଙ୍କ ଦ୍ୱାରା ଏହି ଟ୍ରେଡମିଲ୍‌ର ଆବିଷ୍କାର କରିଥିଲେ । ଜଣେ ସିଭିଲ୍ ଇଞ୍ଜିନିୟର ଥିଲେ ୱିଲିୟମ୍ । ସେ ଏହାକୁ ୧୮୧୮ ମସିହାରେ ନିର୍ମାଣ କରିଥିଲେ । ଯାହା ପ୍ରଥମେ ରନିଙ୍ଗ ହ୍ୱିଲ୍ ଭାବେ ପରିଚିତ ଥିଲା । 

ତେବେ ମକ୍କା ପେଶିବା ଲାଗି ସେ ଏହି ମେସିନ୍‌କୁ ଆବିଷ୍କାର କରିଥିଲେ । ସେହି ସମୟରେ ସେ ଏହାକୁ ଟ୍ରେଡ୍‌ହ୍ୱିଲ୍‌ର ନାଁ ଦେଇଥିଲେ । ଟ୍ରେଡହ୍ୱିଲ୍‌ରେ ୨ଟି ଚକା ଥିଲା । ଯେଉଁଥିରେ ମଣିଷ ଚାଲିପାରିବ । ଲଣ୍ଡନର ବ୍ରିକ୍ସଟନ ଜେଲ୍‌ରେ ଏହି ଟ୍ରେଡହ୍ୱିଲ୍‌ର ସବୁଠୁ ଲୋକପ୍ରିୟ ଡିଜାଇନ ସ୍ଥାପିତ କରାଯାଇଥିଲା । ଏହାର ଚକା ଚଉଡ଼ା ଥିବାବେଳେ ଜେଲ୍‌ରେ ଥିବା କଏଦୀ ନିଜ ଗୋଡ଼ରେ ଏଥିରେ ଲାଗିଥିବା ଚକାକୁ ଘୂରାଉଥିଲେ । କହିରଖୁ କି, ବ୍ରିକ୍ସଟନ ଜେଲ୍‌ରେ ଲାଗିଥିବା ଏହି ଟ୍ରେଡହ୍ୱିଲ୍ ଏକ ଅଣ୍ଡରଗ୍ରାଉଣ୍ଡ ମେସିନ୍ ସହ ସଂଯୋଗ ଥିଲା । ଯାହା ମକା ପେଶିବାରେ ସାହାଯ୍ୟ କରୁଥିଲା । ଏଥିରେ ମକା ପେଶାଯିବା ସହ କଏଦୀଙ୍କୁ ବି ଦଣ୍ଡ ମିଳୁଥିଲା । ଏହି ମେସିନ୍‌ରେ ଏକାସଙ୍ଗେ ୨୪ କଏଦୀଙ୍କୁ ଏଭଳି ଦଣ୍ଡ ଦିଆଯାଉଥିଲା । ଖରାଦିନେ ଦୈନିକ ୧୦ ଘଣ୍ଟା ଏବଂ ଶୀତଦିନ ରାତିରେ ୭ ଘଣ୍ଟା ଧରି କଏଦୀମାନେ ଏଭଳି ଯନ୍ତ୍ରଣାଦାୟକ ଦଣ୍ଡ ଭୋଗୁଥିଲେ । ଏହା କଏଦୀଙ୍କ ପାଇଁ ଥିଲା ଶାରିରୀକ ଓ ମାନସିକ ଅତ୍ୟାଚାରର ଯମ ଯନ୍ତ୍ରଣା । 

ତେବେ ଖୁବ୍‌ଶୀଘ୍ର ଏହି ଟ୍ରେଡହ୍ୱିଲ୍ ମକା ପେଶିବା ବଦଳରେ କେବଳ ଜେଲ୍‌ରେ କଏଦୀଙ୍କୁ ଦଣ୍ଡ ଦେବା ପାଇଁ ହିଁ ରଖାଗଲା । ଏଭଳି ଲଗାତାର କରିବା ଫଳରେ ଏହି ମେସିନ୍‌ରୁ ଖସିପଡ଼ି ଅନେକ କଏଦୀ ଗୁରୁତର ଆଘାତ ହେବା ସହ ଲଗାତାର କଏଦୀଙ୍କର ମୃତ୍ୟୁ ହେବାରେ ଲାଗିଲା । ଧିରେ ଧିରେ ଏହାକୁ ଏତେ କ୍ରୂର ବୋଲି ବିବେଚନା କରାଗଲା ଯେ, ୧୮୯୮ରେ ଇଂଲଣ୍ଡ ଏହାକୁ ବନ୍ଦ କରିଦେଲା । ଏହାପରେ ପୁନର୍ବାର ଆମେରିକାରେ ପ୍ରଥମ ଥର ପାଇଁ ଟ୍ରେଡମିଲ୍ ଦେଖାଗଲା । ଏହି ମେସିନ୍‌ ଉପରେ କିଛି ସମୟ ପର୍ଯ୍ୟନ୍ତ ଚାଲିବା ଫଳରେ ଶରୀର ଫିଟ୍ ରହୁଥିବା ଜଣାପଡ଼ିଥିଲା । ଯାହା ପରେ ଏହାକୁ ଡାକ୍ତରଖାନାରେ ଫିଟନେସ୍ ପାଇଁ ବ୍ୟବହାର କରାଗଲା । ଶରୀରକୁ ମଜବୁତ୍ କରିବା ଲାଗି ପ୍ରଥମ ଥର ଟ୍ରେଡମିଲ୍‌କୁ ଡିଜାଇନ କରାଗଲା । ଯାହା ବର୍ତ୍ତମାନ ଜିମ୍‌ମାନଙ୍କରେ ବ୍ୟବହାର ହେଉଛି ।