ନୂଆଦିଲ୍ଲୀ,୦୪/୦୫: ଇଣ୍ଟର୍‌ନାଲ୍‌ ଆସେସ୍‌ମେଣ୍ଟ ୧୦ ମାର୍କ ଓ ଆସ୍‌ପ୍ରେସ୍‌ନାଲ୍‌ କମ୍ପୋନେଣ୍ଟ୍‌ରୁ ୧୦ ମାର୍କ । ଦୁଇଟିଯାକ ମିଶିଲେ ସବୁ ପରୀକ୍ଷାର୍ଥୀଙ୍କୁ ୨୦ ମାର୍କ ଅତି ସହଜରେ ମିଳିଯାଉଛି । ମାଟ୍ରିକ୍‌ ପରୀକ୍ଷାରେ ୫୦ ନମ୍ବର ସବ୍‌ଜେକ୍ଟିଭ୍‌ ଓ ୫୦ ନମ୍ବର ଅବ୍‌ଜେକ୍ଟିଭ୍‌ ରହିଛି । ଉଭୟକୁ ମିଶାଇ ଅତିକମ୍‌ରେ ୨୦ ମାର୍କ ରଖିଲେ ବି ଜଣେ ପରୀକ୍ଷାର୍ଥୀ ଅତି ସହଜରେ ପାସ୍‌ କରିଯିବା କଥା । ଏତେ ସରଳ ମୂଲ୍ୟାୟନ ବ୍ୟବସ୍ଥା ସତ୍ତେ୍ୱ ବି ଏଥର ମାଟ୍ରିକ ପରୀକ୍ଷାରେ ୧୭ ହଜାର ୩୮୪ ଜଣ ପରୀକ୍ଷାର୍ଥୀ ଫେଲ୍‌ ହୋଇଛନ୍ତି । ଶିକ୍ଷାବିତ୍‌ଙ୍କ ମତରେ ଫେଲ୍‌ ଛାତ୍ରଛାତ୍ରୀ ହୁଏତ ପ୍ରଶ୍ନପତ୍ର ବି ପଢ଼ିପାରୁନଥିବେ । ଖାତା, ବହି ସହିତ ସେମାନଙ୍କର କୌଣସି ସମ୍ପର୍କ ନଥିବ । କେବଳ ବାଧ୍ୟବାଧ୍ୟକତାରେ ମାଟ୍ରିକ୍‌ ପରୀକ୍ଷା ଦେଇଥିବେ । କେବଳ ଫେଲ୍‌ ପରୀକ୍ଷାର୍ଥୀଙ୍କ କଥା ନୁହେଁ, ଚଳିତ ବର୍ଷ ୮ ହଜାର ୩୬୨ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଆଦୌ ଦେଇନାହାନ୍ତି । 

ଆଶଙ୍କା କରାଯାଉଛି ଯେ, ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ସ୍କୁଲ୍‌ରେ ନଥିବେ । ଅର୍ଥାତ୍‌ କେବଳ କ୍ଲାସ୍‌ ରେଜିଷ୍ଟର୍‌ରେ ସେମାନଙ୍କ ନାଁ ଗଡୁଥିବ । ଅଥଚ ସେମାନେ ସ୍କୁଲ୍‌ ଡ୍ରପ୍‌ଆଉଟ୍‌ ଭାବେ ଶିକ୍ଷା ବ୍ୟବସ୍ଥାରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇଥିବେ । ଫେଲ୍‌ ପରୀକ୍ଷାର୍ଥୀ ଏବଂ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମିଶାଇଲେ ୨୫ହଜାର ୭୪୬ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ’ଣ ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ଏ ଦିଗରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଯାଞ୍ଚ୍‌ କରାଯିବାର ଆବଶ୍ୟକତା ଥିବା ଶିକ୍ଷାବିତ୍‌ ମତ ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ସମ୍ପର୍କରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ତେଣୁ ସେଥିରୁ ୮ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବାର କାରଣ ସ୍ୱାସ୍ଥ୍ୟଗତ ଓ ସାମାଜିକ ସମସ୍ୟା ଥାଇପାରେ । ୨୦୨୦ ମସିହା ପରଠାରୁ ମାଟ୍ରିକ୍‌ ପରୀକ୍ଷା ପରିଚାଳନା ଏବଂ ମୂଲ୍ୟାୟନ ବ୍ୟବସ୍ଥାରେ ବାରମ୍ବାର ପରିବର୍ତ୍ତନ ହୋଇଆସୁଛି ।

 କରୋନା ମହାମାରୀ ଯୋଗୁଁ ୨୦୨୧ ବର୍ଷର ମାଟ୍ରିକ୍‌ ପରୀକ୍ଷା ହୋଇନଥିଲା । ନବମ ଶ୍ରେଣୀ ଷାଣ୍ମାସିକ, ବାର୍ଷିକ ଏବଂ ଦଶମ ଶ୍ରେଣୀର ଅଭ୍ୟାସ ପରୀକ୍ଷା ମୂଲ୍ୟାୟନ ଭିତ୍ତିରେ ମାଟ୍ରିକ୍‌ ଫଳ ପ୍ରକାଶ ପାଇଥିଲା । ସେହିପରି ୨୦୨୨ ବର୍ଷରେ ବିଦ୍ୟାଳୟ ସ୍ତରରେ ଇଣ୍ଟରନାଲ୍‌ ଆସେସମେଣ୍ଟ୍‌ ଓ ବୋର୍ଡ ତରଫରୁ ସମେଟିଭ୍‌ ଆସେସମେଣ୍ଟ୍‌ ୧ ଓ ୨ କରାଯାଇଥିଲା । ଏହାକୁ ଆଧାର କରି ୨୦୨୨ ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ପରେ ୭ ହଜାର ୭୯୦ଜଣ ଫେଲ୍‌ ହୋଇଥିଲେ । ୨୦୨୩ ବର୍ଷ ପରୀକ୍ଷା ମୂଲ୍ୟାୟନରେ ପୁଣିଥରେ ସଂସ୍କାର ଅଣାଯାଇଥିଲା । ୱେଟେଜ୍‌ ନୁହେଁ ବରଂ ବିଭିନ୍ନ ପରୀକ୍ଷାର ମୋଟ୍‌ ମାର୍କକୁ ମିଶାଇ ମୂଲ୍ୟାୟନ କରାଯାଇଥିଲା । ଦୁଇଟି ସମେଟିଭ୍‌ ଆସେସମେଣ୍ଟ୍‌ ଭିତରୁ ଯେଉଁଥିରେ ଅଧିକ ମାର୍କ ରଖିଥିବେ ତାକୁ ହିଁ ମାର୍କସିଟ୍‌କୁ ଅଣାଗଲା । ଫଳରେ ଶହେ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୭ଜଣ ମାଟ୍ରିକ୍‌ ପାସ୍‌ କରିଗଲେ । 

୨୦୨୪ରେ ଇଣ୍ଟରନାଲ୍‌ ଆସେସମେଣ୍ଟ୍‌ ଏବଂ ଅବ୍‌ଜେକ୍ଟିଭ୍‌, ସବ୍‌ଜେକ୍ଟିଭ୍‌ ବ୍ୟବସ୍ଥା ଯୋଗୁଁ ପାସ୍‌ ହାର ୯୭% ହେଲା । ଏବର୍ଷ ଇଣ୍ଟରନାଲ ଆସେସ୍‌ମେଣ୍ଟ ୧୦ ମାର୍କ ଓ ଆସ୍‌ପ୍ରେସନାଲ୍‌ କମ୍ପୋନେଣ୍ଟ୍‌ରୁ ୧୦ ନମ୍ବର ଛାଡ଼ିଲେ ଅବ୍‌ଜେକ୍ଟିଭ୍‌ ଓ ସବ୍‌ଜେକ୍ଟିଭ୍‌ରୁ ୮୦% ମାର୍କ ହିସାବକୁ ନିଆଗଲା । ମୂଲ୍ୟାୟନ ପ୍ରକ୍ରିୟା ସରଳ ଓ ସହଜ ପରେ ମଧ୍ୟ ୧୭ ହଜାର ୩୮୪ ପରୀକ୍ଷାର୍ଥୀ ଫେଲ୍‌ ହେବା ଶିକ୍ଷା ସଂସ୍କାର ନୀତି ପ୍ରତି ଉପହାସ ବୋଲି କୁହାଯାଇପାରେ । ଏ ସମ୍ପର୍କରେ ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ସଭାପତି ସତ୍ୟକାମ ମିଶ୍ର କହନ୍ତି, ମାଟ୍ରିକ୍‌ ପାସ୍‌ କରିବା ଏବେ ଆଦୌ କଷ୍ଟକର ନୁହେଁ । ସାଧାରଣ ଢଙ୍ଗରେ ପଢୁଥିଲେ ବି ଛାତ୍ରଛାତ୍ରୀ ସହଜରେ ମାଟ୍ରିକ୍‌ରେ ଭଲ ପ୍ରତିଶତ ମାର୍କ ରଖି ପାସ୍‌ କରିପାରିବେ । ଏହା ପରେ ବି ଏତେ ସଂଖ୍ୟାରେ ଛାତ୍ରଛାତ୍ରୀ ଫେଲ୍‌ ହେବା ପ୍ରାଥମିକ ସ୍ତରରେ ପାଠପଢ଼ାର ମାନକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। 

ନବମ ଯାଏ ‘ଅଲ୍‌ ପାସ୍‌’ ବ୍ୟବସ୍ଥାରେ ଦଶମ ଶ୍ରେଣୀରେ ପହଞ୍ଚିବା ପରେ ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀ ପାଠକୁ ସାମ୍ନା କରିପାରୁନାହାନ୍ତି । ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ଶ୍ରୀ ମିଶ୍ର କହିଛନ୍ତି, ସତ କହିବାକୁ ଗଲେ ସେମିତି ଛାତ୍ରଛାତ୍ରୀ ସ୍କୁଲ୍‌ରେ ନାହାନ୍ତି । ସରକାର ଚାପ ପକାଇବାରୁ ପ୍ରଧାନଶିକ୍ଷକମାନେ ସିଟ୍‌ ପୂରଣ କରିବାକୁ ରେଜିଷ୍ଟର୍‌ ଫୁଲ୍‌ କରିଦେଇ ଦାୟିତ୍ୱ ସାରୁଛନ୍ତି । ସ୍କୁଲ୍‌ରେ କେତେ ପିଲା ପଢ଼ିବାକୁ ଆସୁଛନ୍ତି କେବେ ଯାଞ୍ଚ୍‌ ହେଇଛି କି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପକ୍ଷରେ ବୋର୍ଡର ପୂର୍ବତନ ସଭାପତି ସୁଶାନ୍ତ ଦାସ କହିଛନ୍ତି, କରୋନା ବେଳଠାରୁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି । ପାଠପଢ଼ା ବନ୍ଦ ହେବା, ଅନ୍‌ଲାଇନ୍‌ କ୍ଲାସ୍‌ ଆଦି ବିଭିନ୍ନ ବ୍ୟବସ୍ଥା ଶିକ୍ଷା ବ୍ୟବସ୍ଥାର ମୂଳଦୂଆକୁ ପ୍ରଭାବିତ କରିଛି । ସେହିପରି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବାରୁ କପି ରୋକାଯାଇ ପାରିଛି । ତେଣୁ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀ ଫେଲ୍‌ ହୋଇଥାଇ ପାରନ୍ତି ବୋଲି ଶ୍ରୀ ଦାସ ଆଶଙ୍କା ପ୍ରକାଶ କରିଛନ୍ତି ।