ନୂଆଦିଲ୍ଲୀ,୨୫/୦୭: ଜୁନ୍‌ ୧୨ରେ ହୋଇଥିବା ଅହମ୍ମଦାବାଦ ଏୟାର ଇଣ୍ଡିଆ ପ୍ଲେନ୍ କ୍ରାସ୍‌ ସାରା ଦେଶକୁ ଦୋହଲାଇ ଦେଇଥିଲା । ଏଥିରେ ୨୬୦ରୁ ଅଧିକ ଜଣଙ୍କ ଜୀବନ ଯାଇଥିଲା । ଏହା ପରେ ବି ବିମାନ ଦୁର୍ଘଟଣା ଘଟିଛି । ଏହାକୁ ନେଇ ପାଇଲଟ୍‌ଙ୍କୁ ନେଇ ବଡ଼ ଖୁଲାସା ହୋଇଛି । ବିମାନ ଦୁର୍ଘଟଣାକୁ ନେଇ ପାଇଲଟ୍‌ଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି । ବିଶେଷ କରି ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ହେବାକୁ ନେଇ ଚାପରେ ରହିଛନ୍ତି ପାଇଲଟ୍‌ । ଅନେକ ପାଇଲଟ୍‌ଙ୍କ ମାନସିକ ଅବସ୍ଥା ଭଲ ନାହିଁ । ଜଣାପଡିଛି କି ଦୁର୍ଘଟଣାର  ୪ଦିନ ପରେ ଅର୍ଥାତ୍‌ ୧୬ ଜୁନ୍‌ରୁ ଏକକାଳୀନ ୧୧୨ ଜଣ ପାଇଲଟ୍‌ ଅଚାନକ୍‌ ଅସୁସ୍ଥତା କାରଣ ଦର୍ଶାଇ ଛୁଟି ନେଇଥିଲେ । ଅର୍ଥାତ୍‌ ସମସ୍ତେ ସିକ୍‌ ଲିଭରେ ରହିଥିଲେ । ଡିଜିସିଏ କ୍ରୁ ସଦସ୍ୟଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ଏବଂ ପାଇଲଟ୍‌ଙ୍କ ପାଇଁ ସହାୟତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପରାମର୍ଶ ଦେଇଛି ।

ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ପାଇଲଟ୍‌ମାନଙ୍କ ମଧ୍ୟରେ ମାନସିକ ଚାପ ସୃଷ୍ଟି ହୋଇଥିଲା । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଏବଂ ରାଷ୍ଟ୍ରମନ୍ତ୍ରୀ ମୁରଲୀଧନ ମୋହନ ଲୋକସଭାରେ କହିଛନ୍ତି ଯେ, ଏହି ଦୁର୍ଘଟଣା ପରେ ପାଇଲଟ୍‌ମାନେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେଥିପାଇଁ ସିକ୍‌ ଲିଭ ଆବେଦନ କରିଥିଲେ । ଜୁନ୍‌ ୧୬ରୁ ମୋଟ୍‌ ୧୧୨ ଜଣ ପାଇଲଟ୍‌ ଅସୁସ୍ଥତା ସୂଚନା ଦେଇ ଛୁଟି ନେଇଥିଲେ । ସେମାନଙ୍କ ମଧ୍ୟରେ ୫୧ କମାଣ୍ଡର ଏବଂ ୬୧ ଫାଷ୍ଟ ଅଫିସର୍‌ ରହିଛନ୍ତି ।

କାହିଁକି ସଂସଦରେ ଉଠିଲା ମାମଲା ? ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପରେ ବହୁ ସଂଖ୍ୟକ ପାଇଲଟ୍ କ୍ରୁ ସଦସ୍ୟ ଅସୁସ୍ଥ ହେବାର ରିପୋର୍ଟ ଆସିଥିଲା । ସଂସଦରେ ଏ ସମ୍ପର୍କରେ ପ୍ରଶ୍ନ ଉଠିଥିଲା । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସଂସଦରେ କହିଥିଲେ ଯେ, ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ, ପାଇଲଟ୍ ଅସୁସ୍ଥ ହେବା ସମ୍ପର୍କିତ ଛୁଟିରେ ବୃଦ୍ଧି ପାଇଛି । ଏହି ଛୁଟିଗୁଡ଼ିକ ସମସ୍ତେ ଅଳ୍ପ ସମୟ ପାଇଁ ମାଗିଥିଲେ ।

ମନ୍ତ୍ରୀ କହିଛନ୍ତି ଯେ ଦୁର୍ଘଟଣା ପରେ, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) କ୍ରୁ ସଦସ୍ୟ ଏବଂ ବିମାନ ଟ୍ରାଫିକ୍ ନିୟନ୍ତ୍ରକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ବିଷୟରେ କଥା ହୋଇଥିଲା । ଏହା ସହିତ, ଏକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା ଯାହା ଦ୍ୱାରା ପାଇଲଟ୍‌ମାନେ ଯେପରି ଦୁର୍ଘଟଣା ଦ୍ୱାରା ପ୍ରଭାବିତ ନ ହୁଅନ୍ତି । ଦୁର୍ଘଟଣା ପରେ ସେମାନେ ସିକ୍‌ ଲିଭ୍‌ ନେଇ ମାନସିକ ଚାପରୁ ମୁକ୍ତି ପାଇବାକୁ ଚେଷ୍ଟ କରିଥାଇପାରନ୍ତି ବୋଲି କୁହାଯାଉଛି ।