ଝରିଗାଁ, ୭/୧ (ଆ ପ୍ର) - ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁପୁଗାଁ ପଞ୍ଚାୟତ ଅନ୍ତର୍ଗତ ବାରବାକୁଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ଧାନ ଖଳାରେ ନିଆଁ ଲାଗି ୨ ଏକର ଧାନ ନଷ୍ଟ ହୋଇ ଥିବା ଜଣାପଡିଛି।
ବାରବାକୁଳି ଗ୍ରାମର ଚାଷୀ ମିଶ୍ର ସାନ୍ତା ଏକ ମାସ ତଳେ ୮ ଏକର ଜମିରୁ ଧାନ କାଟି ଘରୁ ପ୍ରାୟ ୫୦ ମିଟର ଦୂରରେ ଥିବା ଖଳାରେ ରଖିଥିଲେ। ସେଥି ମଧ୍ୟରୁ ୬ ଏକର ଜମିର ଧାନ ମଳି ଦେଇଥିଲେ।ବଳକା ୨ ଏକର ଜମିର ଧାନ ଖଳାରେ ଗଛିତ ରହିଥିଲା । ତେବେ ବୁଧବାର ମଧ୍ୟାହ୍ନ ସମୟରେ ହଠାତ ଖଳାରେ ନିଆଁ ଲାଗିଥିବା କିଛି ଲୋକ ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ।କିନ୍ତୁ କୌଣସି ସୁଫଳ ମିଳି ନଥିଲା। ଶେଷରେ ଝରିଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି। ତେବେ ନିଆଁ ଲାଗିବାର କାରଣ ସ୍ପଷ୍ଟ ଜଣାପଡି ନଥିବା ବେଳେ ଧାର ଉଧାର କରି ଚାଷ କରିଥିବା ଚାଷୀ ମିଶ୍ର ସାନ୍ତା ଚିନ୍ତାରେ ପଡିଛନ୍ତି।ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରି କ୍ଷତି ପୁରଣ ଦେବା ପାଇଁ ଦାବି ହୋଇଛି।