ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମହାବାତ୍ୟାକୁ ୨୫ ବର୍ଷ: ଆଜିବି ମନରୁ ଲିଭିନି ୧୯୯୯ ମସିହାର ମହାବାତ୍ୟା, ଦୋହଲିଯାଇଥିଲା ଓଡ଼ିଶାର ମେରୁଦଣ୍ଡ

Published By : Prameya | October 29, 2024 8:01 AM

ଭୁବନେଶ୍ୱର,୨୯/୧୦: ମଙ୍ଗଳବାର ମହାବାତ୍ୟାକୁ ୨୫ ବର୍ଷ  ପୂରିବ । ୧୯୯୯ ଅକ୍ଟୋବର ୨୯ ତାରିଖରେ ଓଡ଼ିଶା ଶତାବ୍ଦୀର ସବୁଠୁ ବଡ଼  ବିପର୍ଯ୍ୟୟକୁ ସାମ୍ନା କରିଥିଲା । ଏଥିରେ  ପୋକମାଛି ଭଳି ମଣିଷ ମରିଥିଲେ । ଶବର ପାହାଡ଼ ଗଦା ହୋଇ ଯାଇଥିଲା ।  ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କର  ମୃତ୍ୟୁ ହୋଇଥିଲା । ୩୧ ହଜାର ୯୪୫  କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା ।  ମହାବାତ୍ୟା କୋପରେ ଓଡ଼ିଶାର  ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ଏହାର ୨୫  ବର୍ଷ ପରେ ସେହି ଅକ୍ଟୋବର ମାସରେ  ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳରେ ମାଡ଼ ହୋଇଥିଲା । କିନ୍ତୁ ମହାବାତ୍ୟାରୁ ମିଳିଥିବା  ଶିକ୍ଷା, ଅଭିଜ୍ଞତା ଓ ସରକାରଙ୍କ ତ୍ୱରିତ  ପଦକ୍ଷେପ ଯୋଗୁ ଜିରୋ କାଜୁଆଲିଟି  ବା ଶୂନ ମୃତ୍ୟୁ ସମ୍ଭବ ହୋଇଛି ।  

ବିଗତ ଦିନରେ ହୋଇଥିବା ବାତ୍ୟାର  ଭୟାବହତାକୁ ବୁଝିବା ଓ ଏଥିରୁ ଶିକ୍ଷା  ନେଇ ଏହାକୁ ମୁକାବିଲା ପାଇଁ ପ୍ରସ୍ତୁତ  ହେବାକୁ ସରକାର ପ୍ରତିବର୍ଷ ଅକ୍ଟୋବର  ୨୯ ତାରିଖରେ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ  ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ  ପାଳନ କରୁଛନ୍ତି । ଏହି ଅବସରରେ  ମହାବାତ୍ୟା ସମୟର ଦୁଃଖଦ ସ୍ମୃତି  ଠାରୁ ନେଇ ବିଭିନ୍ନ ସମୟରେ ଓଡ଼ିଶା  ସାମ୍ନା କରୁଥିବା ବାତ୍ୟାର ସଫଳ  ମୁକାବିଲା ଅନୁଭୂତି ଆଲୋଚନା ହେବ । 


୧୯୯୯ ମହାବାତ୍ୟା ଜଗତସିଂହପୁର  ଜିଲ୍ଲାର ଏରସମା ବ୍ଲକରେ ମାଡ଼  ହୋଇଥିଲା । ଏହା ପ୍ରଭାବରେ ଘଣ୍ଟାକୁ  ୨୬୦ରୁ ୨୭୦ କିଲୋମିଟର ବେଗରେ  ପବନ ହୋଇଥିଲା । ଜଗତସିଂହପୁର  ସହ ପୂରା ଉପକୂଳକୁ ଏହା ଛାରଖାର  କରି ଦେଇଥିଲା । ୧୦ ହଜାରରୁ ଅଧିକ  ଲୋକଙ୍କ ଜୀବନ ଯାଇଥିଲା । ସାଢ଼େ ୪  ଲକ୍ଷ ଗୃହପାଳିତ ପଶୁ ବି ମରିଥିଲେ ।  ଉପକୂଳ ଓଡ଼ିଶାର ୭୫% ଦ୍ରୁମ  ମାଟିରେ ଶୋଇଥିଲା । ମହାବାତ୍ୟା ପରେ  ଓଡ଼ିଶାର ଚିତ୍ର ବଦଳି ଯାଇଥିଲା । ସମ୍ପୂର୍ଣ୍ଣ  ଉପକୂଳ ଅଞ୍ଚଳ ଧ୍ୱଂସସ୍ତୂପରେ ପରିଣତ  ହୋଇଥିଲା । ସମୁଦ୍ରରୁ ଜନବସତି  ଅଞ୍ଚଳକୁ ୨୦ ଫୁଟର ଜୁଆର ପାଣି ମାଡ଼ି  ଆସିଥିଲା । ଏଭଳି ଧ୍ୱଂସଳୀଳା ରାଜ୍ୟକୁ  ଅନେକ ବର୍ଷ ପଛକୁ ନେଇ ଯାଇଥିଲା ।  

ମହାବାତ୍ୟା ଓଡ଼ିଶାର ମେରୁଦଣ୍ଡ  ଭାଙ୍ଗିଥିଲା ସତ, କିନ୍ତୁ ଅନେକ ସରକାରୀ  ଦୋଷ ଦୁର୍ବଳତାକୁ ସାମ୍ନାକୁ ଆଣିଥିଲା ।  ଏଥିରୁ ଶିଖିବା ପରେ ସରକାର  ତତ୍କାଳ ବିପର୍ଯ୍ୟୟ ପରିଚାଳନା ନୀତି  ଆଣିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ  ଏକ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ  କମିଟି ଗଢ଼ା ହେଲା । ଗାଁ, ପଞ୍ଚାୟତ,  ବ୍ଲକ୍‌ ଓ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ଟାସ୍କଫୋର୍ସ  ଗଢ଼ା ହେଲା । ଏହା ପରେ ଜନ୍ମ  ନେଇଥିଲା ଓସ୍‌ଡମା(ଓଡ଼ିଶା ରାଜ୍ୟ  ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ)  ଏବଂ ଓଡ୍ରାଫ୍‌ । ୧୯୯୯ ବାତ୍ୟା ପୂର୍ବରୁ  ମାତ୍ର ୨୩ଟି ବାତ୍ୟା ଆଶ୍ରୟସ୍ଥଳ ଥିଲା ।  ଏହା ପରେ ୧୦ ହଜାର ୪୨ଟି ବାତ୍ୟା  ଆଶ୍ରୟସ୍ଥଳୀ ଓ ଶହ ଶହ ବହୁମୁଖୀ  ବାତ୍ୟା ଆଶ୍ରୟସ୍ଥଳୀ ଖୋଲିଥିଲା । 

ମହାବାତ୍ୟା ପରେ ଓଡ଼ିଶା ୧୩ଟି  ବାତ୍ୟାକୁ ସାମ୍ନା କରି ସାରିଲାଣି ।  ଏଥିରୁ ୯ଟି ବାତ୍ୟା ସିଧାସଳଖ ଓଡ଼ିଶା  ଉପକୂଳରେ ମାଡ଼ ହୋଇଛି, ୪ଟିର  ପ୍ରଭାବ ପଡ଼ିଛି । କିନ୍ତୁ ଓଡ଼ିଶା ପ୍ରତିଥର  ଏହାକୁ ସଫଳ ମୁକାବିଲା କରିଛି ।  ୨୦୧୩ ଅକ୍ଟୋବରରେ ଫାଇଲିନ୍‌  ଗୋପାଳପୁରରେ ମାଡ଼ ହୋଇଥିଲା । ଏଥିରେ ପ୍ରାୟ ୯୦ଲକ୍ଷ ପ୍ରଭାବିତ  ହୋଇଥିଲେ ଓ ୨ଲକ୍ଷ ୩୦ହଜାର ଘର  ଭାଙ୍ଗି ଯାଇଥିଲା । ୨୪୦୦ କୋଟିର ସମ୍ପତ୍ତି ନଷ୍ଟ ହୋଇଥିଲା । ପ୍ରାୟ ୨୩  ଜଣଙ୍କ ମୃତ୍ୟୁ ହୋଇଥିଲା । ପରେ  ହୁଡହୁଡ୍‌, ତିତ୍‌ଲି, ବୁଲବୁଲ, ଫନି,  ଅମ୍ପାନ୍‌, ଗୁଲାବ, ଜୱାଦ, ସିତରଙ୍ଗ,  ମାଣ୍ଡୋସ୍‌, ଆସାନୀ ଓ ୟସ୍‌ ଭଳି  ବାତ୍ୟା ଓଡ଼ିଶାରେ ମାଡ଼ ହୋଇଛି । କିନ୍ତୁ  ସବୁଥର ମୃତ୍ୟୁ ସଂଖ୍ୟା ଓ କ୍ଷୟକ୍ଷତିର  ପରିମାଣ ପୂର୍ବାପେକ୍ଷା କମିଛି । ଗତ  ୫୭ ବର୍ଷରେ ରାଜ୍ୟବାସୀ ମୋଟ ୧୬ଟି  ବାତ୍ୟା ଦେଖିଲେଣି । ଗତ ୨୪ରେ ମାଡ଼  ହୋଇଥିବା ବାତ୍ୟା ଦାନାରେ କେନ୍ଦ୍ରାପଡ଼ା,  ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲା  ଅଧିକ କ୍ଷତିଗ୍ରସ୍ତ ହୋଇଛି । ୧୪ଟି ଜିଲ୍ଲାର  ୩୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।  ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ  ଏବେ ସବୁଠି ପ୍ରଶଂସା କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.