ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବଢ଼ୁଛି କୁକୁର, ବିଲେଇଙ୍କ ଆକ୍ରମଣ ପ୍ରବୃତ୍ତି; ୪ ମାସରେ ୪ ହଜାର ଲୋକ ଆକ୍ରମଣର ଶିକାର

Published By : Prameya | July 12, 2025 10:23 AM

ଭୁବନେଶ୍ୱର,୧୨/୦୭: ନୂଆପଲ୍ଲୀର  ମାନସ ମହାରଣା । ଗତକାଲି ରାତିରେ ସେ ବଜା  ସାରି ଘରକୁ ଫେରୁଥିଲେ । ଘର ପାଖ ଗଳିରେ ପଶିବା ବେଳେ ତାଙ୍କ ଗାଡ଼ି ଆଗକୁ ଦଳେ କୁକୁର ଚାଲିଆସିଥିଲେ । ମାନସ ଭୟରେ ଗାଡ଼ି ଅଟକାଇ  ଦେଇଥିବା ବେଳେ ଗୋଟିଏ କୁକୁର ତାଙ୍କ ଗୋଡ଼କୁ  କାମୁଡ଼ିଦେଇଥିଲା । ଏହାପରେ ମାନସ କ୍ୟାପିଟାଲ ହସ୍ପିଟାଲ ଯାଇ ଆଣ୍ଟି-ର‌୍ୟାବିଜ୍‌ ଟିକା ନେଇଥିଲେ । 

କେବଳ ମାନସ ନୁହନ୍ତି ତାଙ୍କ ପରି ବହୁଲୋକ ଦୈନିକ କ୍ୟାପିଟାଲ ହସ୍ପିଟାଲକୁ  ଆସୁଛନ୍ତି । ସହରର ମୁଖ୍ୟ ରାସ୍ତାରୁ ନେଇ ଛକ,  ବଜାର ଓ ଗାଁରେ କୁକୁର, ବିଲେଇ କାମୁଡାର ଶିକାର ହେଉଛନ୍ତି ଲୋକେ । ଦିନ ଅପେକ୍ଷା ରାତିରେ ଏମାନେ ଅଧିକ ହିଂସ୍ର ହେଉଛନ୍ତି । କେବଳ ବୁଲା କୁକୁର ନୁହେଁ ପୋଷା କୁକୁର  ଓ ବିଲେଇମାନେ ମଧ୍ୟ କାମୁଡ଼ୁଛନ୍ତି । ଫଳରେ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢୁଛି ।  

ତଥ୍ୟ କହୁଛି, ଗତ ଚାରିମାସରେ ରାଜଧାନୀ ସମେତ ଉପକଣ୍ଠ ଅଞ୍ଚଳର ୪ ହଜାର ଲୋକ ବୁଲା  କୁକୁର, ପୋଷା କୁକୁର ଓ ବିଲେଇଙ୍କ ଆକ୍ରମଣର  ଶିକାର ହୋଇଛନ୍ତି । ଏମାନେ ସମସ୍ତେ କ୍ୟାପିଟାଲ ହସ୍ପିଟାଲକୁ ଆସି ଆଣ୍ଟି-ରାବିଜ୍‌ ଟିକା ନେଇଛନ୍ତି ।  ଏହି ଚାରିମାସରେ ୧୭,୦୨୨ରୁ ଅଧିକ ଆଣ୍ଟି-ରାବିଜ୍‌  ଟିକା ଦିଆଗଲାଣି । କୁକୁର କାମୁଡ଼ାର ଶିକାର ହୋଇ ଏବେ ପ୍ରତିଦିନ ୩୦ରୁ ୩୫ଜଣ ରୋଗୀ ହସ୍ପିଟାଲକୁ  ଆସି ଟିକା ନେଉଛନ୍ତି । ଯାହା ଏକ ଚିନ୍ତାର ବିଷୟ  ପାଲଟିଛି । ହସ୍ପିଟାଲରେ ପର୍ଯ୍ୟାପ୍ତ ଭ୍ୟାକସିନ୍‌ ମହଜୁଦ  ରହିଥିବା କର୍ତ୍ତୃପକ୍ଷ କହିଛନ୍ତି । ସେପଟେ ସହରରେ  କୁକୁର କାମୁଡ଼ା, କୁକୁର ବନ୍ଧ୍ୟାକରଣ ଓ ଟିକାକରଣ  ସମ୍ପର୍କିତ ଅଭିଯୋଗ ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ୧୯୨୯ ଟୋଲଫ୍ରି ନମ୍ବର  ଜାରି କରାଯାଇଛି । ହେଲେ ଅଧିକାଂଶ ସମୟରେ ଏହି ନମ୍ବରରୁ କଲ୍‌ କଲେ କୌଣସି ଉତ୍ତର ମିଳୁନଥିବା ଅଭିଯୋଗ ହୋଇଛି ।  

ସୋଆ ଭେଟେରନାରୀ ମହାବିଦ୍ୟାଳୟର  ବରିଷ୍ଠ ପ୍ରଫେସର ଡ. ବୀରକିଶୋର ପରିଡ଼ା  କହିଛନ୍ତି, ସ୍ୱାଭାବିକ ଭାବରେ ବର୍ଷା ଋତୁରୁ  ଶୀତ ପର୍ଯ୍ୟନ୍ତ କୁକୁର କାମୁଡ଼ାର ପରିମାଣ  ବଢିଥାଏ । ଏବେ କୁକୁରମାନଙ୍କ ବ୍ରିଡିଂ  ସମୟ । ଏହି ସମୟରେ ସେମାନଙ୍କ  ସେକ୍ସୁଆଲ ଆନ୍‌ଞ୍ଜାଇଟି ରହିଥାଏ । ହଠାତ୍‌ କିଛି  ବିପଦର ଆଶଙ୍କା ପାଇଲେ କୁକୁରମାନେ ହିଂସ୍ର  ହୋଇଯାଆନ୍ତି । ଶୀତଦିନରେ କୁକୁର ଛୁଆ ଜନ୍ମ  ନିଅନ୍ତି । ସେ ସମୟରେ ମଧ୍ୟ ଜଗିରଖି ଚଳିବାକୁ  ପଡ଼ିବ । କାରଣ ମା’ କୁକୁର ମଧ୍ୟ କାମୁଡିବାକୁ  ଗୋଡାଏ । ଏହି ସମୟରେ ଯଦି କୁକୁର କାମୁଡେ ତେବେ ୯୦ରୁ ୯୫% ଜଳାନ୍ତକ ହେବାର ଆଶଙ୍କା  ରହିଥାଏ । ତେଣୁ ଏଥିପ୍ରତି  ସଚେତନ ହେବା ସହ ଘରେ  ଥିବା ପୋଷା କୁକୁର ଓ ବିଲେଇଙ୍କୁ  ଧାର୍ଯ୍ୟ ସମୟରେ ଟିକାକରଣ  କରିବା ଆବଶ୍ୟକ ବୋଲି ସେ  କହିଛନ୍ତି । କ୍ୟାପିଟାଲ ହସ୍ପିଟାଲ  ନିର୍ଦ୍ଦେଶକ ଡା. ରୁପଭାନୁ  ମିଶ୍ର କହିଛନ୍ତି, କେବଳ  ବୁଲା କୁକୁର କାମୁଡୁଥିବା  ଲୋକେ ଆସି ଟିକା ନେଉଛନ୍ତି  ତାହା ନୁହେଁ । ସେମାନଙ୍କ ମଧ୍ୟରେ ବିଲେଇ  ଓ ପୋଷା କୁକୁର କାମୁଡ଼ା ଓ ଆଞ୍ଚୁଡା ଜନିତ  ସଂଖ୍ୟା ରହିଥାଏ ।

ପ୍ରକାଶ ଥାଉକି, ରାଜ୍ୟରେ  କୁକୁର କାମୁଡ଼ା ମାମଲା ଗତ ୪ବର୍ଷରେ ସଙ୍ଗୀନ  ରହିଛି । ବିଧାନସଭା ତଥ୍ୟ କହୁଛି, ୨୦୨୧ରେ ୫୯୦୮୫, ୨୦୨୨ରେ ୬୪୬୪୨, ୨୦୨୩ରେ  ୨ଲକ୍ଷ ୬୦ହଜାର ଓ ୨୦୨୪ରେ ୨ଲକ୍ଷ  ୪୩ହଜାର ବ୍ୟକ୍ତିଙ୍କୁ କୁକୁର  କାମୁଡ଼ିଛି । ୨୦୨୩ରେ  ସର୍ବାଧିକ କୁକୁର କାମୁଡ଼ା ମାମଲାରେ ଦେଶର  ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି । ଏବେ ଆଣ୍ଟି-ରାବିଜ୍‌ ଟିକା ସମସ୍ତ ୟୁପିଏଚସି, ୟୁସିଏଚସି,  ପିଏଚ୍‌ସି, ସିଏଚ୍‌ସି, ଏସଡିଏଚ, ଡିଏଚ୍‌ଏଚ  ଓ ମେଡିକାଲ କଲେଜ ହସ୍ପିଟାଲରେ ଉପଲବ୍ଧ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.