ମାଲକାନଗିରି,୦୮/୦୯: ୧୯୯୨ ଅକ୍ଟୋବର ୨ ତାରିଖରେ ମାଲକାନଗିରି ସବଡିଭିଜନକୁ  ଜିଲ୍ଲା ଘୋଷଣା କରାଯାଇଥିଲା । ପୂର୍ବରୁ ଏହା କୋରାପୁଟ ଜିଲ୍ଲା ଅଧୀନରେ ଥିଲା । ଜିଲ୍ଲା  ବିଭାଜନ ପରେ ରାଜସ୍ୱ ଓ ବନ ବିଭାଗର  ସୀମା ନର୍ଦ୍ଧାରଣ ଠିକ୍‌ରେ ହୋଇ ନ ଥିବାରୁ ଖଇରପୁଟ, ମାଥିଲି ବ୍ଲକର ୨୬ରୁ ଅଧିକ ଗାଁ  କେଉଁ ଜିଲ୍ଲା ଅଧୀନରେ ଯାଉଛି ଏପର୍ଯ୍ୟନ୍ତ ଠିକ୍‌ ହୋଇ ନାହିଁ । ଏସବୁ ଗାଁର ଲୋକେ ଜଙ୍ଗଲ  ଜମିପଟ୍ଟା ପାଇବାରୁ ବଞ୍ଚିତ ହେଉଛନ୍ତି । ଜିଲ୍ଲା ଘୋଷଣାର ୩୩ ବର୍ଷ ପରେ ମଧ୍ୟ ସମସ୍ୟା ଦୂର ହୋଇପାରିନି । ଗ୍ରାମବାସୀ ଅସୁବିଧାଭୋଗୁଛନ୍ତି ।

ଗ୍ରାମବାସୀ କହିଛନ୍ତି, ସେମାନେ  କୋରାପୁଟ ଜିଲ୍ଲା ଅଧୀନ ଜଙ୍ଗଲରେ ଘର କରି  ରହୁଛନ୍ତି । କିନ୍ତୁ ସମସ୍ତ କାମ ପାଇଁ ମାଲକାନଗିରି  ଜିଲ୍ଲା ଉପରେ ନିର୍ଭରଶୀଳ । ଆଧାରକାର୍ଡ,  ଭୋଟର କାର୍ଡ, ରାସନକାର୍ଡ ସମେତ  ଅନ୍ୟ ସରକାରୀ ସୁବିଧା ମାଲକାନଗିରିରୁ  ପାଉଛନ୍ତି । ହେଲେ ଘରଗୁଡିକ କୋରାପୁଟ  ଜିଲ୍ଲା ଅଧୀନରେ ଥିବାରୁ କେଉଁ ଜିଲ୍ଲାର  ଅଧିବାସୀ ତାହା ଜାଣି ପାରୁ ନଥିବା କହିଛନ୍ତି ।  ନିକଟରେ ବନ ବିଭାଗ ସର୍ଭେରୁ ମଧ୍ୟ ଏହା  ସ୍ପଷ୍ଟ ହୋଇଛି । ସମସ୍ୟାର ସମାଧାନ ପାଇଁ  ଅଞ୍ଚଳବାସୀ କୋରାପୁଟ ଓ ମାଲକାନଗିରି  ପ୍ରଶାସନକୁ ବାରମ୍ବାର ଜଣାଇଆସୁଥିଲେ ମଧ୍ୟ  ସମାଧାନ ହୋଇପାରିନାହିଁ । ଖଇରପୁଟ ବ୍ଲକ  ଗୋବିନ୍ଦପାଲ୍ଲୀ ପଞ୍ଚାୟତ ସପ୍ତଧାରା ଓ କଷିଗାଡ଼  ନଦୀ ପାଶ୍ୱର୍ ଘାଟି ଉପରେ ୧୫ଟି ଗାଁ ରହିଛି ।  ସେହିପରି ମାଡକାପଦର ପଞ୍ଚାୟତରେ ୬ଟି ଗାଁ,  ମାଥିଲି ବ୍ଲକ ଧୁଙ୍ଗିଆପୁଟ ପଞ୍ଚାୟତରେ ୨ଟି ଗାଁ,  କଟନିପାଲ୍ଲୀ ପଞ୍ଚାୟତରେ ଗୋଟିଏ ଗାଁ, କିଆଙ୍ଗ  ପଞ୍ଚାୟତରେ ଗୋଟିଏ ଏଭଳି ମୋଟ ୨୬ ଟି  ଗାଁ କୋରାପୁଟ ଜିଲ୍ଲା ଅଧୀନରେ ରହିଥିବା  ବେଳେ ଗ୍ରାମବାସୀ ମାଥିଲି ଓ ଖଇରପୁଟ ବ୍ଲକ  ଦ୍ୱାରା ସମସ୍ତ ସୁବିଧା ପାଉଛନ୍ତି । ଏହି ଗାଁଗୁଡ଼ିକ  ରାଜସ୍ୱ ମାନଚିତ୍ରରେ କୋରାପୁଟ ଜିଲ୍ଲା ବୋଲି  ଦର୍ଶାଯାଇଛି । ଏଠାରେ ସମସ୍ତ ଉନ୍ନୟନ କାର୍ଯ୍ୟ  ମାଲକାନଗିରି ଦ୍ୱାରା ଚାଲିଛି । ପୂର୍ବରୁ ଅନେକ  ଲୋକଙ୍କୁ ମାଲିକାନଗିରି ଜିଲ୍ଲା ଦର୍ଶାଇ ଜଙ୍ଗଲ  ଜମିପଟ୍ଟା ମଧ୍ୟ ଦିଆଯାଇଛି । ଏବେ ବି ଆହୁରି  ଲୋକ ଜଙ୍ଗଲ ଜମିପଟ୍ଟା ପାଇବାରୁ ବଞ୍ଚିତ  ଅଛନ୍ତି । ଅନ୍ୟପକ୍ଷେ ମାଥିଲି ବନ ବିଭାଗ ତଦନ୍ତ  ରିପୋର୍ଟ ଦେବା ପାଇଁ ଅନିଚ୍ଛା ପ୍ରକାଶ କରୁଛି ।  ମାଥିଲି ବନାଞ୍ଚଳ ଅଧିକାରୀ ବାସୁଦେବ  ନାୟକ କହିଛନ୍ତି, ମୋଟ ୨୬ଟି ଗାଁ କୋରାପୁଟ  ଜିଲା ରାଜସ୍ୱ ମାନଚିତ୍ରରେ ଦର୍ଶାଯାଇଥିବାରୁ  ସେହି ଗାଁ ଲୋକଙ୍କୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ  ପାଇଁ ରିପୋର୍ଟ ଦେବା ସମ୍ଭବ ନୁହେଁ । ରାଜସ୍ୱ  ମାନଚିତ୍ରରେ ମାଲକାନଗିରି-କୋରାପୁଟ ସୀମା  ଗୋବିନ୍ଦପାଲ୍ଲୀ ପୁଲିସ ଚେକ୍‌ ପୋଷ୍ଟ୍‌ ନିକଟରେ  ରହିଛି । କିନ୍ତୁ ଗୋବିନ୍ଦପାଲ୍ଲୀଠାରୁ ୧୨ କିମି ଦୂର  କଷିଗାଡ଼ରେ ମାଲକାନଗିରି-କୋରାପୁଟ ସୀମା  ବୋଲି ନାମଫଳକ ଲଗାଯାଇଛି । ଜିଲ୍ଲା ପ୍ରଶାସନ  ଠିକ୍‌ରେ ସୀମା ନିର୍ଦ୍ଧାରଣ କଲେ ଏସବୁ  ଗାଁର ଲୋକେ ଉପକୃତ ହୋଇପାରିବେ ।