ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଆଜି ତୃତୀୟ ଟି-ଟ୍ୱେଣ୍ଟି : ଭାରତର ‘କ୍ଲିନ୍‌ ସୁଇପ୍‌’ ଲକ୍ଷ୍ୟ

Published By : Rasmita Pradhan | October 12, 2024 9:12 AM

ହାଇଦ୍ରାବାଦ, ୧୨/୧୦ : ଘରୋଇ ଭାରତ ଓ ବାଂଲାଦେଶ ମଧ୍ୟରେ ଆସନ୍ତାକାଲି ଖେଳାଯିବ ତୃତୀୟ ଟି-ଟ୍ୱେଣ୍ଟି ମୁକାବିଲା। ପ୍ରଥମ ୨ଟି ମ୍ୟାଚ ଜିତି ଭାରତ ସିରିଜ ହାତେଇ ସାରିଛି। ଆଜି ଆଉ ଏକ ବିଜୟ ସହ ସିରିଜ ମୂଳପୋଛ କରିବାକୁ ଘରୋଇ ଦଳ ପ୍ରୟାସ କରିବ। ଭ୍ରମଣକାରୀ ବାଂଲାଦେଶ ଦଳ ମଧ୍ୟ ସ୍ୱଦେଶ ଫେରିବା ପୂର୍ବରୁ ଏକ ମ୍ୟାଚ ଜିତି ସମ୍ମାନ ବଞ୍ଚାଇବାକୁ ଉଦ୍ୟମ କରିବ । ପ୍ରଥମ ୨ଟି ଯାକ ମ୍ୟାଚ୍‌ରେ ଭାରତ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ପ୍ରଥମ ମ୍ୟାଚ୍‌ରେ ବୋଲର ଓ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟକ୍ରମ ବ୍ୟାଟରମାନେ ଚମକ ଦେଖାଇଥିଲେ। ମାତ୍ର ବାଂଲାଦେଶ ଦଳ ସବୁ ବିଭାଗରେ ଫେଲ ମାରିଥିଲା। 

ଆଜି ମଧ୍ୟ ଭାରତର ରାଜୁତି ଦେଖିବାକୁ ମିଳିବ। ଘରୋଇ ଦଳକୁ ହରାଇବା ଭଳି ଦକ୍ଷତା ବାଂଲାଦେଶ ଦଳ ନିକଟରେ ନଥିବା ପ୍ରମାଣିତ ହୋଇ ସାରିଛି। ପ୍ରଥମ ୨ଟି ମ୍ୟାଚ୍‌ ଖେଳିପାରି ନଥିବା ସଦସ୍ୟମାନଙ୍କୁ ମଧ୍ୟ ଏକ ସୁଯୋଗ ଦେବାକୁ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତା କରିପାରେ । ରବି ବିଷ୍ଣୋଇ, ତିଳକ ବର୍ମା, ଜିତେଶ ଶର୍ମା ଓ ହର୍ଷିତ ରାଣା ପ୍ରଥମ ୨ଟି ମ୍ୟାଚ୍‌ ଖେଳି ନଥିଲେ । ଭାରତ ସିରିଜ ଜିତିସାରିଥିବାରୁ ଏମାନଙ୍କୁ ସୁଯୋଗ ଦେଇପାରେ । ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ରବି ବିଷ୍ଣୋଇ, ମୟଙ୍କ ଯାଦବ କିମ୍ବା ଅର୍ଶଦୀପ ସିଂହଙ୍କ ସ୍ଥାନରେ ହର୍ଷିତ, ସଞ୍ଜୁ ସାମସନଙ୍କ ସ୍ଥାନରେ ଜିତେଶ ଓ ନୀତିଶଙ୍କ ସ୍ଥାନରେ ତିଳକଙ୍କୁ ଖେଳିବାକୁ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ସାମସନଙ୍କ ଅନୁପସ୍ଥିତିରେ ରିୟାନ ପରାଗ ଓପନ କରିପାରନ୍ତି । ଏହି ସିରିଜ ଜରିଆରେ ନୀତିଶ କୁମାର ରେଡ୍ଡୀ ଓ ମୟଙ୍କ ଯାଦବଙ୍କ ଭଳି କିଛି ନୂଆ ତାରକାଙ୍କ ଆବିର୍ଭାବ ମଧ୍ୟ ଘଟିଛି । ନୀତିଶ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ୩୪ଟି ବଲ୍‌ରୁ ୭୪ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ ଓ ବୋଲିଂ କରି ୨ଟି ୱିକେଟ୍‌ ନେଇଥିଲେ । ମୟଙ୍କ ଗତ ଆଇପିଏଲ୍‌ ଭଳି ଦ୍ରୁତ ବେଗରେ ବଲ୍‌ ପକାଇ ନଥିଲେ ମଧ୍ୟ ସଠିକ୍‌ ଲାଇନ ଓ ଲେଙ୍ଗ୍‌ଥ ବଜାୟ ରଖି ଘାତକ ସାବ୍ୟସ୍ତ ହୋଇଥିଲେ । ବର୍ତ୍ତମାନ ତାଙ୍କୁ ଫିଟ୍‌ ରଖିବା ବିସିସିଆଇର ଦାୟିତ୍ୱ । 

ବାଂଲାଦେଶର ଭେଟେରାନ ଷ୍ଟାର ମହମୁଦୁଲ୍ଲା ଆଜି କ୍ୟାରିୟର୍‌ର ଅନ୍ତିମ ଟି-ଟ୍ୱେଣ୍ଟି ଖେଳିବେ । ତେଣୁ ଦଳ ତାଙ୍କୁ ବିଜୟ ଭେଟି ଦେବାକୁ ପ୍ରୟାସ କରିବ । ଏଥିପାଇଁ ପ୍ରଥମେ ବ୍ୟାଟିଂ ବିଭାଗକୁ ସୁଦୃଢ କରିବାକୁ ହେବ । ବାକି ସ୍ପିନରମାନେ ଲୟ ଫେରି ପାଇଲେ ବାଂଲାଦେଶ ଟକ୍କର ଦେଇପାରିବ । ଆଜି ଅଭିଷେକ ଶର୍ମାଙ୍କ ଉପରେ ନଜର ରହିବ। ଗତ ଆଇପିଏଲ୍‌ରେ ଅଭିଷେକ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳି ଏହି ଗ୍ରାଉଣ୍ଡ୍‌ରେ ୨୪୯.୧୨ ଷ୍ଟ୍ରାଇକ ରେଟ୍‌ରେ ୨୮୪ ରନ୍‌ ସଂଗ୍ରହ କରିଥିଲେ । ସନରାଇଜର୍ସର ଘରୋଇ ଗ୍ରାଉଣ୍ଡ୍‌ରେ ଆସନ୍ତା କାଲି ମ୍ୟାଚ୍‌ ଖେଳାଯିବ । ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡ଼ିୟମ୍‌ ବ୍ୟାଟିଂ ପାଇଁ ବେଶ୍‌ ଅନୁକୂଳ । ସ୍ପିନରମାନେ ମଧ୍ୟ ପିଚ୍‌ର ଯଥେଷ୍ଟ ଫାଇଦା ଉଠାଇ ପାରିବେ । ଶନିବାର ବର୍ଷା ସମ୍ଭାବନା ରହିଛି । ତଥାପି ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । 

ଭାରତୀୟ ଦଳ: ସଞ୍ଜୁ ସାମସନ, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା/ନୀତିଶ କୁମାର ରେଡ୍ଡୀ, ରିଙ୍କୁ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ୱାସିଂଟନ ସୁନ୍ଦର, ହର୍ଷିତ ରାଣା/ମୟଙ୍କ ଯାଦବ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ/ରବି ବିଷ୍ଣୋଇ ।

ବାଂଲାଦେଶ ଦଳ: ପରଭେଜ ହୋସେନ, ଲିଟନ ଦାସ, ନଜମୁଲ ହୋସେନ ଶାନ୍ତୋ(ଅଧିନାୟକ), ତୋହିଦ ହୃଦୟ, ମହମୁଦୁଲ୍ଲା, ମେହଦି ହାସାନ ମିରାଜ, ମେହଦି ହାସାନ, ରିଶଦ ହୋସେନ, ଟସ୍କିନ ଅହମ୍ମଦ, ତନଜିମ ହାସାନ ସାକିବ ମୁସ୍ତାଫିଜୁର ରେହମାନ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.