ମାଲକାନଗିରି,୨୬/୪ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଗଙ୍ଗାଲୁର ଅଞ୍ଚଳରେ ଯବାନଙ୍କ ତଲାସି ଅଭିଯାନ ବେଳେ ୭ମାଓବାଦୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଆଇଡି ବୋମା, ବ୍ୟାଟେରୀ, କର୍ଡେକ୍ସ ତାର, ଜେଲାଟିନ୍ ଷ୍ଟିକ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ ହୋଇଛି ।
ସୂଚନା ଅନୁଯାୟୀ ପୋଲିସ, ଡିଆରଜି, କୋବ୍ରା ଏବଂ ସିଆରପିଏଫର ଯବାନମାନେ ମିଳିତ ରୂପେ ବିଜାପୁର ଜିଲ୍ଲାର ଗାଙ୍ଗାଲୁର ଥାନା ଅଞ୍ଚଳର ଚୋକାନପାଲ ଜଙ୍ଗଲରେ ତଲାସି ଅଭିଯାନ ସମୟରେ ଜଙ୍ଗଲ ମଧ୍ୟରେ ୭ ଜଣ ସନ୍ଦିଗ୍ଧ ମହିଳା ଓ ପୁରୁଷ ଯବାନମାନଙ୍କୁ ଦେଖି ଖସିଯିବାକୁ ଚେଷ୍ଟା କରିଥିଲେ । ତେବେ ସୁରକ୍ଷା ବାହିନୀର ମିଳିତ ଦଳ ସେମାନଙ୍କୁ ଘେରି କାବୁ କରିଥିଲେ । ତାଙ୍କୁ ପଚରାଉଚରାବେଳେ ସେମାନେ ସମସ୍ତେ ମାଓବାଦୀ ବୋଲି ଜଣା ପଡିଥିଲା । ଏହାପରେ ଯବାନ ମାନେ ସେମାନଙ୍କ ନିକଟରୁ ବିସ୍ଫୋରକ ସାମଗ୍ରୀ ସହ ମାଓ ସାମଗ୍ରୀ ଜବତ କରି ୨ ଜଣ ମହିଳା ମାଓବାଦୀଙ୍କ ସମେତ ମୋଟ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।