କେନ୍ଦୁଝର, ୮।୫: କେନ୍ଦୁଝର ଜିଲ୍ଲାରେ ଚଳିତବର୍ଷ ସର୍ବାଧିକ ୭୫ ଜଣ ପ୍ରାର୍ଥୀ ଲୋକସଭା ଓ ବିଧାନସଭା ପାଇଁ ମନୋନୟନପତ୍ର ଦାଖଲ କରିଛନ୍ତି । ଲୋକସଭା ପାଇଁ ୧୧ ଜଣ ଓ ଅବଶିଷ୍ଟ ୬ଟି ବିଧାନସଭା ପାଇଁ ୬୪ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଅସଂରକ୍ଷିତ ଚମ୍ପୁଆରେ ୧୬ ଜଣ ଓ ଘସିପୁରାରେ ୧୩ ଜଣ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ତେଲକୋଇରେ ୭, ଆନନ୍ଦପୁରରେ ୮, ପାଟଣାରେ ୧୦ ଓ କେନ୍ଦୁଝର ବିଧାନସଭା ଆସନରେ ୧୦ ଜଣ ପ୍ରାର୍ଥୀ ନାମାଙ୍କନ କରିଛନ୍ତି । ସର୍ବପୁରାତନ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ୪ ଜଣ ପ୍ରଥମ ଥର ପ୍ରାର୍ଥୀ ହୋଇଛନ୍ତି ।
ଲୋକସଭା ଆସନରୁ ସାହେବ ଜୁଆଙ୍ଗ ପ୍ରାର୍ଥୀ ହୋଇଛନ୍ତି । ମାନସ ଲୋକଶକ୍ତି ଦଳରୁ ସେ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବୟସ ୪୧ ଓ ଶିକ୍ଷାଗତ ଯୋଗ୍ୟତା ୯ମ ପାସ୍ । ସେହିପରି କେନ୍ଦୁଝର ଆସନରୁ ମଧ୍ୟ ଜଣେ ଜୁଆଙ୍ଗ ମହିଳା ପ୍ରାର୍ଥୀ ରହିଛନ୍ତି । ଗୋଲାପ ଜୁଆଙ୍ଗ ନାମ୍ନୀ ମହିଳା ଜଣଙ୍କ ସେହି ମାନସ ଲୋକଶକ୍ତି ଦଳରୁ ପ୍ରାର୍ଥୀ ହୋଇଛନ୍ତି । ତେଲକୋଇ ଆସନରୁ ମାନସ ଲୋକଶକ୍ତି ଦଳରୁ ପ୍ରମୋଦ ଜୁଆଙ୍ଗ ପ୍ରାର୍ଥୀ ହୋଇଛନ୍ତି । ଘସିପୁରା ଆସନରୁ ଖଟୁଆ ଜୁଆଙ୍ଗ ମାନସ ଲୋକଶକ୍ତି ଦଳରୁ ପ୍ରାର୍ଥୀ ହୋଇଛନ୍ତି । ପ୍ରଥମ ଥର ଜୁଆଙ୍ଗ ସମ୍ପ୍ରଦାୟରୁ ପ୍ରାର୍ଥୀ ହୋଇଥିବାରୁ ସେହି ସମ୍ପ୍ରଦାୟର ଲୋକେ ନିର୍ବାଚନକୁ ନେଇ ଉତ୍ସାହିତ ହୋଇପଡିଛନ୍ତି ।