ପୁରୀ,୨୭/୧୦: ଜଳି ପୋଡ଼ି ଗଲେ ଚିକିତ୍ସା ହେବାକୁ ମେଡିକାଲରେ ଆବଶ୍ୟକ ବେଡ୍‌  ନାହିଁ । ତେଣେ ରାଜସ୍ୱ ଲୋଭରେ ପ୍ରଶାସନ ଚଳିତ ବର୍ଷ ଦୀପାବଳିରେ ବାଣ ଦୋକାନ ଖୋଲିବାକୁ ଟ୍ରେଡ୍‌  ଲାଇସେନ୍ସ ଦେବାକୁ ପଦକ୍ଷେପ ନେଇଛି । ପୁରୀ ସହର  ସମେତ ସମସ୍ତ ତହସିଲ ଅଞ୍ଚଳର ଲୋକଙ୍କୁ କମ  ଶବ୍ଦ ଓ ପ୍ରଦୂଷଣ କରୁଥିବା ସବୁଜ ବାଣ ସୁବିଧାରେ  ପାଇବା ନିମନ୍ତେ ସ୍ଥାନ ଚିହ୍ନଟ କରିଛି । ବାଣ ବିକ୍ରି  କରିବାକୁ ଆଗ୍ରହୀ ବ୍ୟକ୍ତିମାନେ ପ୍ରଶାସନ ଠାରୁ ବାଣ  ଲାଇସେନ୍ସ ନେଇ ଉକ୍ତ ସ୍ଥାନରେ ଲୋକଙ୍କୁ ବାଣ ବିକ୍ରି  କରିବେ । ପୁରୀ ପୌରାଞ୍ଚଳର ତାଳବଣିଆ ଠାରେ  ସବୁ ବର୍ଷ ଭଳି ପ୍ରାୟ ୭୦ରୁ ଅଧିକ ବାଣ ଦୋକାନ  କରିବାକୁ ପଦକ୍ଷେପ ନିଆଯାଇଛି । ଟ୍ରେଡ୍‌ ଲାଇସେନ୍ସ  ବାବଦରେ ଦୋକାନୀଙ୍କୁ ଠାରୁ ୨ ହଜାର ଟଙ୍କା ଆଦାୟ  କରାଯାଇଥିବା ବେଳେ ପୌରସଂସ୍ଥା ଟେଣ୍ଟ ଦୋକାନ  ବାବଦରେ ୧୦ ହଜାରରୁ ଅଧିକ ଟଙ୍କା ଆଦାୟ କରୁଥିବା  ଅଭିଯୋଗ ହୋଇଛି । ଏପର୍ଯ୍ୟନ୍ତ ନିରାପଦ ଦୀପାବଳି  ପାଳନ ନିମନ୍ତେ ମେଡିକାଲରେ ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍‌  ଖୋଲିବା କିମ୍ବା ସଦର ମୁଖ୍ୟ ଚିକିତ୍ସାଳୟରେ ରହିଥିବା  ୪ ଶଯ୍ୟା ବିଶିଷ୍ଟ ବର୍ଣ୍ଣ ୟୁନିଟ୍‌ର ବେଡ ସଂଖ୍ୟା ବଢ଼ା  ଗଲାନାହିଁ । ମାତ୍ର ଅନ୍ୟପଟେ ବାଣ ଦୋକାନରୁ ରାଜସ୍ୱ  ଆଦାୟ କରିବାକୁ ପ୍ରଶାସନ ତରତର ହେଲାଣି । 

୫ ମାସ ତଳେ ନରେନ୍ଦ୍ର ବାଣ ବିସ୍ଫୋରଣରେ ୧୭ରୁ  ଅଧିକ ଲୋକଙ୍କ ଜୀବନ ହାନି ହୋଇଥିଲା ।  ଏହି କ୍ଷତ ଏବେବି ତାଜା ରହିଛି । ଏଥିରୁ  କିଛି ବି ଶିଖିଲାନି ପ୍ରଶାସନ । ଘଟଣାର  ଅତିରିକ୍ତ ଶାସନ ସଚିବସ୍ତରୀୟ ତଦନ୍ତକୁ  ସରକାର ଚାପି ରଖିଛନ୍ତି । ସେପଟେ  ଦୀପାବଳି ଆସୁଥିଲେ ହେଁ ବର୍ଣ୍ଣ ୟୁନିଟିରେ  ଶଯ୍ୟା ସଂଖ୍ୟା ବଢ଼ାଇବା କିମ୍ବା ପୁରୁଷ ଓ ମହିଳାଙ୍କ  ନିମନ୍ତେ ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍‌ କରିବାକୁ ଦୃଷ୍ଟି ଦିଆଯାଉନି । 

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଥିବା ୪  ଶଯ୍ୟା ବିଶିଷ୍ଟ ବର୍ଣ୍ଣ ୟୁନିଟ୍‌ରେ ଚିକିତ୍ସା  ବେଳେ ମହିଳା ଓ ପୁରୁଷ ରୋଗୀଙ୍କୁ  ନାକେଦମ ହେବାକୁ ପଡ଼ୁଛି । ସମସ୍ତ  ଶଯ୍ୟାଗୁଡ଼ିକ ଖୁବ୍‌ ପାଖାପାଖି ପଡ଼ିଥିବାରୁ ପୋଡ଼ି  ଯାଇଥିବା ପୁରୁଷ ଓ ମହିଳାମାନେ ସେମାନଙ୍କ ଲାଜ ମଧ୍ୟ  ଲୁଚାଇ ପାରୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ନରେନ୍ଦ୍ର  ବାଣ ବିସ୍ଫୋରଣ ବେଳେ ପୁରୁଷ ଓ ମହିଳାଙ୍କ ନିମନ୍ତେ  ଅଲଗା ଭାବେ ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍‌ ଖୋଲିବାକୁ ଦାବି  ହୋଇଥିଲା । ପ୍ରତି ବ୍ଲକ ଅଞ୍ଚଳରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ  କେନ୍ଦ୍ରମାନଙ୍କରେ ବର୍ଣ୍ଣ ୟୁନିଟ୍‌ କରିବାକୁ ମଧ୍ୟ ପ୍ରସ୍ତାବ  ଦିଆଯାଇଥିଲା । ଏନେଇ ଆଇନ ମନ୍ତ୍ରୀଙ୍କ ନିକଟରେ ମଧ୍ୟ  ଗତ ରଥଯାତ୍ରା ବୈଠକରେ ଉପସ୍ଥିତି ବୁଦ୍ଧିଜୀବୀ ଦାବି  ରଖିଥିଲେ । ହେଲେ ସରକାର ଆଖି ବୁଜି ଦେଇଥିଲେ । 

ଏବେ ଦୀପାବଳି ଆସୁଥିବା ବେଳେ କିଛି ବଡ଼  ଅଘଟଣ ଘଟିଲେ ଲୋକଙ୍କ ଜୀବନ ରକ୍ଷା କିପରି ହେବ  ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁରୀ ଜିଲ୍ଲାର ବିଭିନ୍ନ  ଗାଁ ଗଣ୍ଡାରେ ଲୁଚା ଛପାରେ ବାଣ ତିଆରି ହେଉଥିବା  ବେଳେ ଦୀପାବଳି ଆସିଲେ ଏହା ଖୁବ୍‌ ଜୋରଦାର ହୋଇଥାଏ। କୁଟୀର ଶିଳ୍ପ ଭାବେ ଗଢ଼ି ଉଠିଥିବା ଏହି  ବାଣ ତିଆରିକୁ ପ୍ରଶାସନ ରୋକ୍‌ ଦେଇପାରୁନି । ତେଣୁ  ଦୀପାବଳି ଓ ଏହା ପରେ ଆସୁଥିବା ମେଳଣ ଉତ୍ସବରେ  ବାଣ ବିସ୍ଫୋରଣ ଘଟିଲେ ଧନଜୀବନ ହାନି ଭୟ ରହିଛି ।  ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ପ୍ରତିକାର  ବ୍ୟବସ୍ଥା କରୁ ବୋଲି ପ୍ରଶାସନ ନିକଟରେ ଦାବି ହୋଇଛି ।

ଏନେଇ ଅତିରିକ୍ତ ଜିଲ୍ଲାପାଳ ଶରତ କୁମାର  ବେହେରା କହିଛନ୍ତି, ସବୁବର୍ଷ ଭଳି ନିରାପଦ ଦୀପାବଳି  ପାଳନ ନିମନ୍ତେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାଣ ବିକ୍ରି ନିମନ୍ତେ  ସ୍ଥାନ ଚିହ୍ନଟ କରିବାକୁ ତହସିଲଦାରମାନଙ୍କୁ କୁହାଯାଇଥିଲା ।  ସେମାନଙ୍କ ରିପୋର୍ଟ ଆଧାରରେ ନିରାପଦ ଓ କମ୍‌ ପ୍ରଦୂଷଣ  କରୁଥିବା ବାଣ ବିକ୍ରିୟ ନିମନ୍ତେ ଲାଇସେନ୍ସ ଦିଆଯିବ । ବାଣ  ବିକ୍ରି ସ୍ଥାନରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯିବ । ସମସ୍ତେ ନିରାପଦରେ ରହି ଆଲୋକର ପର୍ବ ଦୀପାବଳି  ପାଳନ କରିବା ଉଚିତ୍‌ ବୋଲି ଶ୍ରୀ ବେହେରା କହିଛନ୍ତି ।