ନୂଆଦିଲ୍ଲୀ,୦୭/୧୧; ଦିନିକିଆ ବିଶ୍ୱକପ୍‌ ଚାମ୍ପିଅନ୍‌ ଭାରତୀୟ ମହିଳା ଦଳର ସମସ୍ତ ସଦସ୍ୟ ଗତ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ସେମାନେ ଶ୍ରୀ ମୋଦିଙ୍କ ସହ ଆଲୋଚନା କରିବା ସହ ଫଟୋସୁଟ୍‌ କରିଥିଲେ । ଫଟୋସୁଟ୍‌ ଅବସରରେ ଅଲରାଉଣ୍ଡର ଅମନଜୋତ କୌର ନିଜ ବିଶ୍ୱକପ୍‌ ପଦକକୁ ପ୍ରତୀକା ରାୱଲଙ୍କୁ ଦେଇ ସମସ୍ତଙ୍କ ମନ ଜିଣି ନେଇଥିଲେ ।

ପ୍ରତୀକା ଆହତ ହୋଇ ନକ୍‌ ଆଉଟ୍‌ ରାଉଣ୍ଡରୁ ବାଦ୍‌ ପଡ଼ିବା ଫଳରେ ତାଙ୍କୁ ବିଶ୍ୱକପ୍‌ ପଦକ ପ୍ରଦାନ କରାଯାଇନଥିଲା । ମାତ୍ର ପ୍ରଧାନମନ୍ତ୍ରୀଙ୍କ ସହ ଫଟୋସୁଟ ପୂର୍ବରୁ ଅମନଜୋତ ବିଶ୍ୱକପ୍‌ ପଦକକୁ ନିଜ ବେକରେ ନପକାଇ ପ୍ରତୀକାଙ୍କୁ ପିନ୍ଧିବାକୁ ଦେଇଥିଲେ । ଏହି ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ୍‌ ମିଡିଆ ଅନୁଗାମୀମାନେ ଅମନଜୋତଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ, ପ୍ରତୀକା ଲିଗ୍‌ ପର୍ଯ୍ୟାୟରେ ୭ଟି ମ୍ୟାଚ୍‌ ଖେଳି ୫୧.୩୩ ଆଭରେଜରେ ମୋଟ ୩୦୮ (୧ଶତକ, ୧ଅର୍ଦ୍ଧଶତକ) ରନ୍‌ ସଂଗ୍ରହ କରିଥିଲେ । ମାତ୍ର ବାଂଲାଦେଶ ବିପକ୍ଷ ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବାବେଳେ ଗୁରୁତର ଆହତ ହୋଇ ନକ୍‌ ଆଉଟ୍‌ ରାଉଣ୍ଡରୁ ବାଦ୍‌ ପଡ଼ିଥିଲେ । ଫଳରେ ଶେଫାଳି ବର୍ମାଙ୍କୁ ଡାକରା ମିଳିଥିଲା ।