ଭୁବନେଶ୍ୱର,୧୯/୧୦:ଆଲୋକର ପର୍ବ ଦୀପାବଳି ପାଇଁ ସାରା ଦେଶ ଉତ୍ସବ ମୁଖରିତ । ଭୁବନେଶ୍ୱର, କଟକ ସମେତ ରାଜ୍ୟର ସବୁ ସହର ଓ ଗାଁରେ ଜୋରସୋର୍ରେ ଚାଲିଛି ବାଣ ବେପାର । ଦୀପାବଳିରେ ସନ୍ଧ୍ୟା ୭ରୁ ୯ଟା ଯାଏଁ ସବୁଜ ବାଣ ଫୁଟାଇବାକୁ ପ୍ରଶାସନ ଅନୁମତି ଦେଇଛି । ହେଲେ ଆତସବାଜି କରିବାକୁ ଯାଇ କିଛି ସମୟର ଉନ୍ମାଦନାରେ ଅନେକ ଅଘଟଣ ଘଟୁଛି । ଆଲୋକର ପର୍ବରେ ସାମାନ୍ୟ ଅସାବଧାନତା ଯୋଗୁଁ ଅନେକ ପରିବାର ଅନ୍ଧକାରକୁ ଚାଲିଯାଉଛି । ଖାଲି ସେତିକି ନୁହେଁ, ଏହି ଢୋ ଢା ପ୍ରତିଯୋଗିତା ପରିବେଶରେ ଭରି ଦେଉଛି ପ୍ରଦୂଷଣର ବିଷ ।
କେଇ ଘଣ୍ଟାରେ ବାୟୁର ମାନ ଏତେ ବିଗିଡ଼ିଯାଉଛି, ସ୍ୱାଭାବିକ ସ୍ଥିତିକୁ ଫେରିବାକୁ କିଛି ଦିନ ଲାଗିଯାଉଛି । ପ୍ରତିବର୍ଷ ସବୁଜ ବାଣ କଥା କୁହାଯାଏ । ଆତସବାଜି ପାଇଁ ଦୁଇ ଘଣ୍ଟାର ମହଲତ ଦିଆଯାଏ । ମାତ୍ର ସତରେ ଏହା ପାଳନ ହୁଏ କି? ଗଲା ଦୁଇଦିନ ହେବ, କ’ଣ ଢୋ ଢା ଶବ୍ଦ ଶୁଭୁନାହିଁ । ନା ଦୀପାବଳି ରାତି ୯ଟା ପରେ ସବୁଆଡ଼େ ନୀରବତା ଛାଇଯିବ । ଯଦି କେବଳ ସବୁଜ ବାଣ ଫୁଟୁଛି, ତେବେ ଦୀପାବଳି ରାତି କାହିଁକି ଚାରିଆଡ଼ ଧୂଆଁ ହୋଇଯାଏ । କ’ଣ ପାଇଁ ପବନ ବାରୁଦିଆ ଗନ୍ଧାଏ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ପ୍ରବଳ ଆତସବାଜି ଧୂଆଁରେ ଧଇଁସଇଁ ହୋଇପାରନ୍ତି ଶ୍ୱାସ ରୋଗୀ । ହୃଦ୍ ସମସ୍ୟା ବି ଉପୁଜିପାରେ । ରକ୍ତଚାପ ବଢ଼ିବା ସହ ଆଖି, ନାକ, ଗଳାରେ ପୋଡ଼ା ଜଳା ଅନୁଭବ ହୋଇପାରେ । ବେଳେ ବେଳେ ମସ୍ତିଷ୍କକୁ ବିଚଳିତ କରିପାରେ ଧୂଆଁ ଓ ପ୍ରଚଣ୍ଡ ଶବ୍ଦ । ବୟସ୍କ, ଗର୍ଭବତୀ, ଶିଶୁ, ଦିବ୍ୟାଙ୍ଗ ଓ ରୋଗାକ୍ରାନ୍ତ ଲୋକଙ୍କ ପାଇଁ ଏହା ବଡ଼ ବିପଦ ହୋଇପାରେ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ରାଜ୍ୟ ସରକାର କେବଳ ସବୁଜ ବାଣକୁ ଅନୁମତି ଦେଇ ହାତ ଟେକି ଦେଇଛନ୍ତି । ୧୨୫ ଡେସିବିଲରୁ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇଲେ ପୁଲିସ ଗିରଫ କରିବା ସହ ୬ ମାସ ଜେଲ୍ ଓ ୧୦ ହଜାର ଜରିମାନା ଦଣ୍ଡ ଦେବା ବ୍ୟବସ୍ଥା ରହିଛି । ମାତ୍ର କେତେ ଜଣ ଏମିତି ଦଣ୍ଡ ପାଇଛନ୍ତି? ପାରମ୍ପରିକ ବାଣ ପ୍ରସ୍ତୁତିରେ ଅଙ୍ଗାରକ ଓ ଗନ୍ଧକ ସହିତ ପୋଟାସିୟମ, ନାଇଟ୍ରେଟ, ଆର୍ସେନିକ, ମାଙ୍ଗାନିଜ, ସୋଡିୟମ ଅକ୍ସାଲେଟ୍, ଆଲୁମିନିୟମ, କ୍ୟାଡମିୟମ, ଲୁହା ପାଉଡର, ପୋଟାସିୟମ ପର୍କ୍ଲୋରେଟ, ଷ୍ଟ୍ରୋଣ୍ଟିଅମ ନାଇଟ୍ରେଟ୍, ବେରିୟମ ନାଇଟ୍ରେଟ୍ ପରି ଧାତବ ଓ ଅଣଧାତବ ପଦାର୍ଥ ବ୍ୟବହୃତ ହୁଏ ।
ଏଗୁଡ଼ିକ ଜଳିଲେ ଗନ୍ଧକ ଓ ଯବକ୍ଷାରଜାନ ଡାଇଅକ୍ସାଇଡ୍, ଅଙ୍ଗାରକାମ୍ଳ, କାର୍ବନ ମନୋକ୍ସାଇଡ୍ ପରି ବିଷାକ୍ତ ବାଷ୍ପ ନିର୍ଗତ ହୁଏ । ଏହାସହ ନିର୍ଗତ ଭାସମାନ କଣିକା ପଦାର୍ଥ ପିଏମ୍ ୧୦ ଓ ପିଏମ୍ ୨.୫ ସ୍ତରରେ ହଠାତ୍ ବୃଦ୍ଧି କରିଥାଏ । ସବୁଜ ବାଣରେ ପାରମ୍ପରିକ ବାଣଠାରୁ ୩୦% କମ୍ ପ୍ରଦୂଷଣ ନିର୍ଗତ ହୁଏ । ମାତ୍ର ଏହା ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ ନୁହେଁ । ରଙ୍ଗୀନ ବାଣ ଓ ଅଧିକ ଶବ୍ଦ ସୃଷ୍ଟି କରୁଥିବା ଆତସବାଜି ଅଧିକ ବିପଜ୍ଜନକ । ଏଥିରୁ ଧୂଆଁ ବାହାରି ବାୟୁମଣ୍ଡଳରେ ଗାଢ଼ ଧୂଆଁ(ସ୍ମଗ୍) ସୃଷ୍ଟି କରେ, ଯାହାକି ସ୍ୱାସ୍ଥ୍ୟ ପାଇଁ ଅତି କ୍ଷତିକାରକ । ବିଶେଷଜ୍ଞଙ୍କ ମତରେ, କୌଣସି ବାଣ ସୁରକ୍ଷିତ ନୁହେଁ । ପିଲାଙ୍କ ପାଇଁ ଆସୁଥିବା କରୁଥିବା ଝୁର୍ଝୁରି, ଡିଆସିଲି, ଘରି, ସୁତୁଲି ବାଣରୁ ବେଶି ଧୂଆଁ ବାହାରେ । ଏପରିକି ଦୀପ ଜାଳିବା ପାଇଁ ବଜାରରେ ମିଳୁଥିବା ଶସ୍ତା ଓ ନିମ୍ନମାନର ତେଲରୁ ବି ଅତ୍ୟଧିକ ଧୂଆଁ ବାହାରିଥାଏ ।