ଭୁବନେଶ୍ୱର, ୫/୯ : ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତି ପାଇବା ପରେ ସ୍ନେହାଙ୍ଗିନୀ ଛୁରିଆ ଆଜି ରାଜ୍ୟରେ ମହିଳାମାନଙ୍କୁ ସୁରକ୍ଷା ଓ ସମ୍ମାନ ପ୍ରଦାନକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିଜୁ ମହିଳା ଜନତା ଦଳ ରାଜ୍ୟର ଅବହେଳିତ ଓ ନିଷ୍ପେସିତ ମହିଳାମାନଙ୍କ ସ୍ୱର ହେବ ଓ ତାଙ୍କ ନ୍ୟାୟ ପାଇଁ ଲଢେଇ କରିବ ବୋଲି ସେ କହିଛନ୍ତି ।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀମତୀ ଛୁରିଆ ପ୍ରଥମେ ତାଙ୍କୁ ପୁଣି ଥରେ ଦଳର ମହିଳା ସଭାନେତ୍ରୀ ଭାବେ ଦାୟିତ୍ୱ ଦେଇଥିବାରୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ପରେ ସେ କହିଛନ୍ତି ରାଜ୍ୟର ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସମୟରେ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ମହିଳାମାନଙ୍କୁ ସ୍ୱାବଲମ୍ୱୀ କରାଯାଇଥିଲା । ଶ୍ରୀମତୀ ଛୁରିଆ କହିଥିଲେ, ରାଜ୍ୟରେ ମହିଳାମାନଙ୍କ ସୁରକ୍ଷା, ସମ୍ମାନ ପାଇଁ ଲଢେଇ ଜାରି ରହିବ । ବିଜୁ ମହିଳା ଜନତା ଦଳ ଆଜି ସଙ୍କଳ୍ପ ନେଉଛି ଯେ, ରାଜ୍ୟର ମହିଳାମାନଙ୍କ ନ୍ୟାୟ ପାଇଁ ସ୍ୱର ଶାଣିତ କରିବ ।
ଏହି ସାମ୍ୱାଦିକ ସମ୍ମିଳନୀରେ, ଦଳର ମହିଳା ବ୍ୟାପାର ଦାୟିତ୍ୱ ପ୍ରଦାନ କରାଯାଇଥିବା ନେତ୍ରୀମାନେ ଯଥା ପୂର୍ବତନ ସାଂସଦ ତଥା ବରିଷ୍ଠ ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ରାଜଶ୍ରୀ ମଲ୍ଲିକ, ବରିଷ୍ଠ ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟସଭା ସାଂସଦ ତଥା ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ସୁଲତା ଦେଓ, ମେୟର ତଥା ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ସୁଲୋଚନା ଦାସ, ପୂର୍ବତନ ସାଂସଦ ତଥା ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ଶର୍ମିଷ୍ଠା ସେଠୀ, ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ଲୋପାମୁଦ୍ରା ବକ୍ସିପାତ୍ର, ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ମିନତୀ ବେହେରା, ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ଗୀତାଞ୍ଜଳି ବସ୍ତିଆ ଇତ୍ୟାଦି ଉପସ୍ଥିତ ଥିଲେ ।