ନୂଆଦିଲ୍ଲୀ,୧୦/୦୫: ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ୧୧ ଜଣ ଶିଶୁଙ୍କ ମୃତ୍ୟୁ ପରେ, କଫ୍ ସିରପ୍‌ ମାମଲାକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ। ତାମିଲନାଡୁ ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫ୍‌ଏସ୍‌ଡିଏ) କାଞ୍ଚିପୁରମ ସ୍ଥିତ ଶ୍ରେଶନ୍ ଫାର୍ମା କମ୍ପାନୀରୁ "କୋଲ୍ଡରିଫ୍" କଫ୍ ସିରପ୍‌ର ନମୁନା ନେଇଛି। ଏଥିରେ ବିପଦଜନକ ରସାୟନିକ ଡାଇଥାଇଲିନ୍ ଗ୍ଲାଇକଲ୍ (ଡିଇଜି) ମିଳିଛି। ଏହା ସେହି କଫ୍ ସିରପ୍ ଯାହା ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ପିଲାଙ୍କ ମୃତ୍ୟୁର କାରଣ ହୋଇଥିଲା।

କୋଲ୍ଡରିଫ୍ କଫ ସିରପରେ ବିପଜ୍ଜନକ ରସାୟନିକ ପଦାର୍ଥ ମିଳିବା ପରେ ତାମିଲନାଡୁ, ମଧ୍ୟପ୍ରଦେଶ ଏବଂ କେରଳ ସରକାର ଏହାକୁ ନିଷିଦ୍ଧ କରିଛନ୍ତି। ଅନେକ ରାଜ୍ୟ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କୋଲ୍ଡରିଫ୍ କଫ ସିରପ୍‌କୁ ନେଇ ବିବାଦ ଏବଂ ଏହା ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଆସନ୍ତୁ ଜାଣିବା...

କଫ୍‌ ସିରପ୍‌କୁ ନେଇ ଏତେ ଚର୍ଚ୍ଚା କାହିଁକି?

ତାମିଲନାଡୁର କାଞ୍ଚିପୁରମରେ ଶ୍ରୀସାନ ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ନିର୍ମିତ କୋଲ୍ଡରିଫ୍ କଫ୍ ସିରପ୍ ଅନେକ ପିଲାଙ୍କଠାରେ କିଡ୍‌ନୀ ସଂକ୍ରମଣ ସୃଷ୍ଟି କରିଥିଲା, ଯାହା ଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ତାମିଲନାଡୁ, ମଧ୍ୟପ୍ରଦେଶ ଏବଂ କେରଳ ସରକାର ଏହି କଫ୍ ସିରପ୍ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାରି ଭିତରେ ରାଜସ୍ଥାନରେ ଆଉ ଏକ କଫ୍ ସିରପ୍ ଏବଂ ଏହାର କମ୍ପାନୀ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। କଫ୍ ସିରପ୍ ତଦନ୍ତ ପାଇଁ ଉତ୍ତରାଖଣ୍ଡରେ ମଧ୍ୟ ଚଢ଼ାଉ ଆରମ୍ଭ ହୋଇଛି। ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ଏହି କଫ୍ ସିରପ୍ ସେବନ ପରେ ସେପ୍ଟେମ୍ବର ୭ ତାରିଖ ପରଠାରୁ ୧୪ ଜଣ ପିଲାଙ୍କର ମୃତ୍ୟୁ ହୋଇଛି। ରାଜସ୍ଥାନରେ ମଧ୍ୟ ଏହି କଫ୍ ସିରପ୍ ସହିତ ଜଡ଼ିତ ସନ୍ଦେହଜନକ ମୃତ୍ୟୁର ରିପୋର୍ଟ ରହିଛି।

କଫ୍‌ ସିରପ୍‌ ପରୀକ୍ଷଣରୁ କଣ ମିଳିଲା?

ପରୀକ୍ଷାରୁ ଜଣାପଡ଼ିଛି ଯେ କୋଲ୍ଡରିଫ୍ କଫ୍ ସିରପରେ ଡାଇଥାଇଲିନ୍ ଗ୍ଲାଇକୋଲର ମାତ୍ରା ଅଧିକ ରହିଛି। ଅଧିକାରୀମାନେ କହିଛନ୍ତି ଯେ ସିରପରେ ୪୮.୬ ପ୍ରତିଶତ ଡାଇଥାଇଲିନ୍ ଗ୍ଲାଇକୋଲ ରହିଛି, ଯାହା ଏକ ଅତ୍ୟନ୍ତ ବିପଜ୍ଜନକ ରାସାୟନିକ ପଦାର୍ଥ। ଏହା ସ୍ୱାସ୍ଥ୍ୟ ବିଭାଗର ମାନଦଣ୍ଡ ବିରୁଦ୍ଧରେ ରହିଛି।

କେନ୍ଦ୍ରର ଆଡ୍‌ଭାଇଜରି:

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅତ୍ୟନ୍ତ ସତର୍କତାର ସହିତ ପିଲାମାନଙ୍କ ପାଇଁ କଫ୍ ସିରପ ବ୍ୟବହାର କରିବାକୁ ପରାମର୍ଶ ଦେଇଛି। ମନ୍ତ୍ରଣାଳୟର ପରାମର୍ଶରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ "ଦୁଇ ବର୍ଷରୁ କମ୍ ବୟସର ପିଲାମାନଙ୍କୁ କୌଣସି ପ୍ରକାରର କଫ୍‌ ସିରପ ଦେବା ଉଚିତ ନୁହେଁ।" ସେମାନେ ଏହା ମଧ୍ୟ କହିଛନ୍ତି ଯେ "ଏହି ଔଷଧଗୁଡ଼ିକ ସାଧାରଣତଃ ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୁପାରିଶ କରାଯାଏ ନାହିଁ।" ବିଶେଷଜ୍ଞମାନେ କହିଛନ୍ତି ଯେ, ଅଧିକାଂଶ ପିଲାଙ୍କ କାଶ ଔଷଧ ବିନା ଦୂର ହୋଇଯାଏ। ତେଣୁ, ଔଷଧ ଅପେକ୍ଷା ଜଳୀୟ ଅଂଶ, ବିଶ୍ରାମ ଏବଂ ଅନ୍ୟାନ୍ୟ ସହାୟକ ଚିକିତ୍ସାକୁ ପ୍ରାଥମିକତା ଦିଆଯିବା ଉଚିତ।