ଲେହ: ଲଦାଖରେ ହୋଇଥିବା ହିଂସାତ୍ମକ ପ୍ରତିବାଦରେ ସାମିଲ ଥିବା ପରିବେଶବିଦ୍ ନେତା ସୋନମ ୱାଙ୍ଗଚୁକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଲଦାଖର ଡିଜିପି (ଡାୟରେକ୍ଟର୍ ଜେନେରାଲ୍ ଅଫ୍ ପୋଲିସ) ଏସଡି ସିଂହ ଜାମୱାଲଙ୍କ ଲଦାଖ ହିଂସାକୁ ନେଇ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟର ଖୁଲାସା କରିଛନ୍ତି। ସୂଚନା ମୁତାବକ, ଗତ ୨୪ ସେପ୍ଟେମ୍ବରରେ ଲେହରେ ଭିଷଣ ହିଂସାତ୍ମକ ପ୍ରତିବାଦ ଆରମ୍ଭ ହୋଇଥିଲା। ଯେଉଁଥିରେ ଅତିକମରେ ୪ ଜଣଙ୍କର ମୃତ୍ୟୁ ହେବା ସହ ୮୦ରୁ ଅଧିକ ଜଣ ଆହତ ହୋଇଥିଲେ।

ଡିଜିପି ଜାମୱାଲ ସୂଚନା ଦେଇ କହିଛନ୍ତି ଯେ, "ସୋନାମ୍ ୱାଙ୍ଗଚୁକ ଅରବ ଯୁଦ୍ଧ, ନେପାଳ ଏବଂ ବାଂଲାଦେଶର ଉଦାହରଣ ଦେଇ ଲୋକମାନଙ୍କୁ ହିଂସା ପାଇଁ ଉତ୍ତେଜିତ କରିଥିଲେ।" ସେ ଲଦାଖର ସ୍ୱାୟତ୍ତଶାସନ ଦାବି ସହିତ ଜଡ଼ିତ ପ୍ରତିବାଦକୁ ରାଜନୈତିକ ରୂପେ ବ୍ୟବହାର କରି ବିଦେଶୀ ଶକ୍ତିଙ୍କ ସହ ଯୋଡ଼ିବାକୁ ଚେଷ୍ଟା କରିଥିଲେ।

ତେବେ ସବୁଠୁ ବଡ କଥା ହେଉଛି ଯେ, ପୋଲିସର ଅନୁସନ୍ଧାନରେ ଜଣାପଡ଼ିଛି ୱାଙ୍ଗଚୁକ ପାକିସ୍ତାନର ଆଇଏସଆଇ (ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ) ସହ ଯୋଗାଯୋଗରେ ଥିଲେ। ସେ ପାକିସ୍ତାନୀ ଗୁଇନ୍ଦା ବିଭାଗ ସହ ଫୋନ ଓ ସୋସିଆଲ୍ ମିଡିଆ ମାଧ୍ୟମରେ ଯୋଗାଯୋଗ ରଖିଥିଲେ। ଯାହା ଲଦାଖର ସୀମାନ୍ତ ବିବାଦକୁ ଉତ୍ତେଜିତ କରିବାର ଉଦ୍ଦେଶ୍ୟରେ ଥିଲା ବୋଲି ଅନୁମାନ କରାଯାଉଛି।

ୱାଙ୍ଗଚୁକ କେବଳ ପାକିସ୍ତାନ ନୁହେଁ, ବାଂଲାଦେଶକୁ ମଧ୍ୟ ଗସ୍ତ କରିଥିଲେ। ପୋଲିସ ରିପୋର୍ଟ ଅନୁଯାୟୀ, ସେ ୨୦୨୪ ମସିହାରେ ବାଂଲାଦେଶ ଯାଇଥିଲେ ଏବଂ ସେଠାରେ ବିଦେଶୀ ଏନ୍ଜିଓମାନଙ୍କ ସହ ବୈଠକ କରିଥିଲେ ଯେଉଁଥିରେ ଲଦାଖର ପ୍ରତିବାଦକୁ ଆଞ୍ଚଳିକ ଅସ୍ଥିରତାରେ ପରିଣତ କରିବାର ଯୋଜନା ମଧ୍ୟ ସାମିଲ ରହିଥିଲା।

ଲଦାଖ ପୋଲିସ ଟିମ୍ ମୋବାଇଲ୍ ଫୋନ୍ ରେକର୍ଡ୍, ସୋସିଆଲ୍ ମିଡିଆ ଚାଟ ଏବଂ ଭିଡିଓ ଫୁଟେଜ୍ ଯାଞ୍ଚ କରି ଏହି ସମସ୍ତ ତଥ୍ୟ ସଂଗ୍ରହ କରିଛି। ଯାଞ୍ଚ ସମୟରେ ୱାଙ୍ଗଚୁକଙ୍କ ସହ ଜଡିତ ପାକିସ୍ତାନୀ ନମ୍ବର ଏବଂ ବାଂଲାଦେଶ ସମ୍ପର୍କିତ ବ୍ୟାଙ୍କ ଅକାଉଣ୍ଟ ଗୁଡ଼ିକର ସଂଯୋଗ ଥିବା ଜଣାପଡିଛି। ଡିଜିପି ଜାମୱାଲ ଏନେଇ ସୂଚନା ଦେଇ କହିଛନ୍ତି ଯେ, "ଏହା କେବଳ ସ୍ଥାନୀୟ ପ୍ରତିବାଦ ନୁହେଁ, ଏଥିରେ ବିଦେଶୀ ଗୁଇନ୍ଦା ବିଭାଗର ଷଡ଼ଯନ୍ତ୍ର ମଧ୍ୟ ରହିଛି।" ଅନ୍ୟପଟେ ପୋଲିସ ୱାଙ୍ଗଚୁକଙ୍କୁ ଅଟକ କରିବା ପାଇଁ ଏଫ୍‌ଆଇର୍ (ଫାସ୍ଟ୍ ଇଣ୍ଟିମେଶନ୍ ରିପୋର୍ଟ୍) ଦାଖଲ କରିଛି ଏବଂ ରାଷ୍ଟ୍ରୀୟ ନିରାପତ୍ତା ସଂସ୍ଥା (ଏନ୍‌ଆଇ‌ଏ)ଙ୍କ ସହଯୋଗରେ ଅଧିକ ଅନୁସନ୍ଧାନ ଚାଲୁ ରହିଛି।

ଏ ସମ୍ପର୍କରେ ସୂଚନା ମିଳିବା ପରେ ଗୃହ ମନ୍ତ୍ରଣାଳୟ ଏହି ବିଷୟରେ ସତର୍କ ହେବା ସହ ଲଦାଖର ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବଢ଼ାଇଛି। ମୁଖ୍ୟମନ୍ତ୍ରୀ ଅଫିସ୍ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, "ଏହା ଦେଶ ପାଇଁ ଏକ ବଡ ଷଡ଼ଯନ୍ତ୍ର, ଆଉ ଏହାକୁ ଦମନ କରିବା ପାଇଁ ସମସ୍ତ ବିଭାଗ ସଜାଗ ରହିବାର ଆବଶ୍ୟକତା ରହିଛି।"

ଏହି ଘଟଣା ସାମ୍ନାକୁ ଆସିବା ପରେ ୱାଙ୍ଗଚୁକ କିମ୍ବା ତାଙ୍କ ସମର୍ଥକମାନେ ଏହି ଅଭିଯୋଗ ବିରୁଦ୍ଧରେ କୌଣସି ବିବୃତ୍ତି ଜାରି କରିନାହାନ୍ତି କିନ୍ତୁ ସୋସିଆଲ୍ ମିଡିଆରେ ଏହାକୁ ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ଅଭିହିତ କରାଯାଉଛି।

ଆପଣଙ୍କୁ ଜମାଇରଖୁ ଯେ, ଲଦାଖର ପ୍ରତିବାଦ ମୂଳତଃ ୨୦୨୦ରୁ ଆରମ୍ଭ ହୋଇଥିବା ସ୍ୱାୟତ୍ତଶାସନ ଏବଂ ପରିବେଶ ସୁରକ୍ଷା ଦାବି ଉପରେ ଆଧାରିତ। କିନ୍ତୁ ଏହାପଛରେ ବର୍ତ୍ତମାନ ବିଦେଶୀ ଶକ୍ତିଙ୍କ ହାତ ରହିଥିବା ଜଣାପଡିଛି। ଯାହା ଚୀନ ଓ ପାକିସ୍ତାନ ସହିତ ସୀମାନ୍ତ ସଂଘର୍ଷକୁ ଅଧିକ ଜଟିଳ କରିବାରେ ଲାଗିଛି। ଏହି ଘଟଣା ଭାରତର ଉତ୍ତର ସୀମାନ୍ତରେ ସୁରକ୍ଷା ବିଷୟରେ ମଧ୍ୟ ନୂତନ ଚିନ୍ତା ସୃଷ୍ଟି କରିଛି।