ନୂଆଦିଲ୍ଲୀ, ୯।୭: ଘରେ ଯଦି ଏକ୍ସପାଏରୀ ମେଡିସିନ୍‌ ରହିଛି ଏହାକୁ ଭୁଲ୍‌ରେ ବି ବାହାରେ ଫୋପାଡ଼ନ୍ତୁନି । ଏହାକୁ ତୁରନ୍ତ ଫ୍ଲସ୍ କରନ୍ତୁ । ଏଭଳି କିଛି ନିର୍ଦ୍ଦେଶ ଦେଇଛି କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ । କିଛି ଔଷଧ ମଣିଷ ବା ପଶୁଙ୍କୁ  କ୍ଷତି ପହଞ୍ଚାଇବାରୁ ରୋକିବା ପାଇଁ ଟଏଲେଟ୍ ଫ୍ଲସ୍ କରିବା ନିରାପଦ । ମୋଟ୍ ୧୭ଟି ଔଷଧର ତାଲିକା ପ୍ରକାଶ କରିଛି ଏହି ସଂସ୍ଥା । ଆପଣଙ୍କ ଘରେ ଯଦି ଏହି ଏକ୍ସପାଏରୀ ମେଡିସିନ୍ ରହିଛି, ତେବେ ଏହାକୁ ତୁରନ୍ତ ଫ୍ଲସ୍ କରନ୍ତୁ ।

ସାଧାରଣତଃ ଘରେ ଥିବା ଏକ୍ସପାଏରୀ ବା ପୁରୁଣା ଔଷଧକୁ ଆମେ ବାହାରେ କିମ୍ୱା ଡଷ୍ଟବିନ୍‌ରେ ଫୋପାଡ଼ି ଦେଇଥାଉ । କିନ୍ତୁ, ଏବେଠୁ ଫୋପାଡ଼ିବା ପୂର୍ବରୁ ଦୁଇଥର ଚିନ୍ତା କରନ୍ତୁ । କାରଣ ଆମେ ବାହାରେ ଫୋପାଡ଼ୁଥିବା ଏହି ଏକ୍ସପାଏରୀ ମେଡିସିନ୍‌ କାହାର ଜୀବନ ବି ନେଇପାରେ । ବାହାରେ ଥିବା ଡଷ୍ଟବିନ୍‌ ହେଉ କିମ୍ୱା ରାସ୍ତାରେ ପଡ଼ିଥିବା ଖାଦ୍ୟ ପଦାର୍ଥକୁ ପଶୁମାନେ ଖାଇଥାନ୍ତି । ଏହି ଏକ୍ସପାଏରୀ ଔଷଧକୁ ଖାଇବା ଫଳରେ ଏହା ସେମାନଙ୍କ ପାଇଁ ବିପଦଜନକ ହୋଇପାରେ । ମଣିଷ ବା ପଶୁଙ୍କୁ କ୍ଷତି ପହଞ୍ଚାଇବାରୁ ରୋକିବା ପାଇଁ ଟଏଲେଟରେ ଏହାକୁ ଫ୍ଲସ୍ କରିବା ହେଉଛି ଉପଯୁକ୍ତ ଉପାୟ । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଏଭଳି ନିର୍ଦ୍ଦେଶ ଦେଇଛି ଫାର୍ମାବିଜ୍ ରିପୋର୍ଟ ଅନୁଯାୟୀ, ତାଲିକାଭୁକ୍ତ ଅଧିକାଂଶ ଔଷଧ ହେଉଛି ଓପିଓଏଡ୍ ବା ନିଷିଦ୍ଧ ସିନ୍ଥେଟିକ୍ ଓପିଓଏଡ୍ । ଯାହାକୁ ଯନ୍ତ୍ରଣା, ଚିନ୍ତା ଏବଂ ଅନ୍ୟାନ୍ୟ ରୋଗର ଚିକିତ୍ସା ପାଇଁ ଖାଇଥାନ୍ତି ।

୧୭ ଏକ୍ସପାଏରୀ ଔଷଧର ତାଲିକା:

୧.ଫେଣ୍ଟାନିଲ

୨.ଫେଣ୍ଟାନିଲ ସିଟ୍ରେଟ୍

୩.ଡାଇଆଜେପାମ

୪.ବୁପ୍ରେନର୍ଫିନ

୫.ବୁପ୍ରେନର୍ଫିନ ହାଇଡ୍ରୋକ୍ଲୋରାଇଡ

୬.ମର୍ଫିନ ସଲଫେଟ୍

୭.ମେଥାଡୋନ ହାଇଡ୍ରୋକ୍ଲୋରାଇଡ

୮.ହାଇଡ୍ରୋମର୍ଫୋନ ହାଇଡ୍ରୋକ୍ଲୋରାଇଡ

୯.ହାଇଡ୍ରୋକୋଡୋନ ବାଇଟାର୍ଟ୍ରେଟ

୧୦.ଟାପେଣ୍ଟାଡୋଲ

୧୧.ଅକ୍ସିକୋଡୋନ ହାଇଡ୍ରୋକ୍ଲୋରାଇଡ

୧୨.ଅକ୍ସିକୋଡୋନ

୧୩.ଅକ୍ସିମର୍ଫୋନ ହାଇଡ୍ରୋକ୍ଲୋରାଇଡ

୧୪.ସୋଡିଅମ ଅକ୍ସିବେଟ

୧୫.ଟ୍ରାମାଡୋଲ

୧୬.ମେଥିଲଫେନିଡେଟ

୧୭.ମେପେରିଡିନ ହାଇଡ୍ରୋକ୍ଲୋରାଇଡ

ସିଡିଏସସିଓ ଅନୁଯାୟୀ, ଏହି ଔଷଧଗୁଡ଼ିକର ଏକ୍ସପାଏରୀ ଶେଷ ହେବା ପରେ ଏହାକୁ ଫ୍ଲସ୍ କରିବା ନିରାପଦ, କାରଣ ଏଗୁଡ଼ିକର ଅପବ୍ୟବହାର ବିପଜ୍ଜନକ ହୋଇପାରେ । ସିଡିଏସସିଓ କହିଛି, ଏହି ଔଷଧଗୁଡ଼ିକ ଗ୍ରହଣ କଲେ ଏହା ମଣିଷ ହେଉ କିମ୍ୱା ପଶୁ ଉଭୟଙ୍କ ଜୀବନ ପ୍ରତି ବିପଦ ଆଣିପାରେ । ଏପରିକି କିଛି ପରିସ୍ଥିତିରେ ଏହାର ଗୋଟିଏ ଡୋଜ୍ ଖାଇବା ବି ମାରାତ୍ମକ ହୋଇପାରେ । ଯଦି କୌଣସି ଔଷଧଗୁଡ଼ିକ ବ୍ୟବହାର ହୋଇନାହିଁ, କିନ୍ତୁ ସେସବୁ ଏକ୍ସପାଏରୀ ହୋଇଯାଇଛି, ତେବେ ସେଗୁଡ଼ିକୁ ତୁରନ୍ତ ଫ୍ଲସ୍ କରିଦିଅନ୍ତୁ । ମଣିଷ ଓ ପୋଷା ପଶୁମାନଙ୍କୁ ବିପଦରେ ନପକାଇବା ପାଇଁ ସିଡିଏସସିଓ ଏହି ପରାମର୍ଶ ଦେଇଛି ।