ନୂଆଦିଲ୍ଲୀ: ସୁରକ୍ଷା ଓ ମାନକ ଯାଞ୍ଚକୁ ନେଇ ସମଗ୍ର ଦେଶରେ ବଢୁଥିବା ଦାବିକୁ ଦୃଷ୍ଟିରେ ରଖି ଭାରତ ସରକାର ଖୁବ୍ ଶୀଘ୍ର କଡା ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ମେଡିକାଲ ଉତ୍ପାଦ, ପ୍ରସାଧନ ସାମଗ୍ରୀକୁ ନେଇ ସରକାର ବହୁ ଜଲଦି ଏକ ନ୍ୟାୟିକ ଖସଡା ପ୍ରସ୍ତୁତ କରୁଛନ୍ତି। ଯେଉଁଥିରେ ଉତ୍ପାଦର ମାନକ ପରୀକ୍ଷଣ, ବଜାର ନୀରିକ୍ଷଣ ସହ ଜଡିତ ନୂତନ ନିୟମ ଜାରି କରାଯିବ।
ସୂଚନା ମୁତାବକ, ମଧ୍ୟପ୍ରଦେଶରେ କୋଲ୍ଡରିଫ୍ ନାମକ ଏକ କଫ୍ ସିରପ ବ୍ୟବହାର କରିବା ପରେ ଏକାଧିକ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଭାରତୀୟ ଔଷଧ ନିର୍ମାତାମାନେ ଠିକ୍ ଭାବେ ନିୟମ ପାଳନ କରୁନାହାନ୍ତି ବୋଲି ସମଗ୍ର ଦେଶରେ ଚର୍ଚ୍ଚା ହୋଇଥିଲା। ଏହାଛଡା ଅନେକ ଦେଶ ଭାରତୀୟ ମେଡିକାଲ ଉତ୍ପାଦକୁ ନେଇ ବାରମ୍ୱାର ଅଭିଯୋଗ କରିଆସୁଛନ୍ତି। ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ମଧ୍ୟ ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଥିଲା।
ଏଥିପାଇଁ ସରକାର ନୂତନ ଭାବେ “ଔଷଧ, ମେଡିକାଲ ଡତ୍ପାଦ ଓ ପ୍ରସାଧାନ ଅଧିନିୟମ ୨୦୨୫” ବିଲ୍ ପ୍ରଣୟନ କରିବାକୁ ଯାଉଛନ୍ତି। ଆସନ୍ତା ଶୀତକାଳିନ ଅଧିବେସନରେ ସରକାର ଏହି ବିଲ୍ ପାରିତ କରିବାକୁ ଯୋଜନା ରଖିଛନ୍ତି। ଏନେଇ ଭାରତୀୟ ଔଷଧ ନିୟାମକ (DCG)ର ମୁଖ୍ୟ ଡାକ୍ତର ରାଜୀବ ରଘୁବଂଶୀ ଗତ ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି।
ଏହି ବୈଠକ ସମୟରେ ଭାରତୀୟ ଔଷଧ ନିୟାମକ(DCG) ସମେତ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO)ର ଅନେକ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ନୂତନ ନିୟମର ସଠିକ କାର୍ଯ୍ୟକାରୀତା ଦିଗକୁ ନେଇ ଏହି ବୌଠକରେ ଆଲୋଚନା ହୋଇଥିଲା।
ଏହି ବିଲ୍ ପାରିତ ହୋଇଗଲେ, ନୂଆ ଅଧିନିୟମ ଅନୁଯାୟୀ CDSCOକୁ ସମସ୍ତ ଔଷଧ, ମେଡିକାଲ ଉତ୍ପାଦ ଓ ପ୍ରସାଧନ ସାମଗ୍ରୀର ଯାଞ୍ଚ ପାଇଁ କ୍ଷମତା ମିଳିଯିବ। ଯାହାଦ୍ୱାରା ଭାରତରେ ନିର୍ମିତ ସମସ୍ତ ଘରୋଇ ଓ ରପ୍ତାନୀ ସାମଗ୍ରୀର ଯାଞ୍ଚ ଏବଂ ନିରିକ୍ଷଣ CDSCO କରିବ ବୋଲି ସୂଚନା ମିଳିଛି।
ନୂଆ ନିୟମ ଅଧିନରେ, CDSCOକୁ ମିଳିଥିବା ସ୍ୱତନ୍ତ୍ର କ୍ଷମତାରେ ନକଲି ଓ ନିମ୍ନମାନର ଔଷଧ ବିରୁଦ୍ଧରେ ତତ୍କାଳ ପ୍ରଭାବରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଏହାସହ ଲାଇସେନ୍ସ ପ୍ରକ୍ରିୟାକୁ ଡିଜିଟାଲାଇଜ୍ କରିବା, ରାଜ୍ୟସ୍ତରୀୟ ନିୟାମକଙ୍କ ମଧ୍ୟରେ ଉତ୍ତମ ତାଳମେଳ ଓ ଟେଷ୍ଟିଂ ଲ୍ୟାବ କ୍ଷମତାକୁ ବଢାଇବା ଭଳି ବିଭିନ୍ନ ପ୍ରସଙ୍ଗରେ ଏହି ସଂସ୍ଥା ଜଡିତ ରହିବ।
ସଂପ୍ରତି ଦେଶରେ କାର୍ଯ୍ୟ କରୁଥିବା ଔଷଧ ଓ ପ୍ରସାଧନ ଅଧିନିୟମ ୧୯୪୦କୁ ହଟାଇ ଏହି ନୂତନ ନିୟମକୁ କାର୍ଯ୍ୟକାରୀ କରାଯିବ। ଏହାସହ ଏହି ନିୟମକୁ ଆନ୍ତର୍ଜାତୀୟ ମାନଦଣ୍ଡ ଆଧାରରେ ପ୍ରସ୍ତୁତ କରାଯାଉଛି। ଉତ୍ପାଦନ ଠାରୁ ବଜାର ବଣ୍ଟନ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ ଦାୟିତ୍ୱ ଏବଂ ସ୍ୱଚ୍ଛତା ସୁନିଶ୍ଚିତ କରିବା ଏହି ନିୟମର ମୂଳ ଲକ୍ଷ୍ୟ ରହିଛି। ଭାରତରେ ମିଳୁଥିବା ନକଲି ଏବଂ ନିମ୍ନମାନର ଔଷଧର ସମସ୍ୟା କର୍ତ୍ତୃପକ୍ଷଙ୍କ ପାଇଁ ଏକ ବଡ଼ ଚିନ୍ତାର ବିଷୟ ହୋଇଛି।
CDSCO ପକ୍ଷରୁ ଜାରି ୨୦୨୩-୨୪ର ରିପୋର୍ଟ ଅନୁସାରେ, ଏହି ବର୍ଷ ପରୀକ୍ଷା କରାଯାଇଥିବା ପ୍ରାୟ ୫୫୦୦ ଔଷଧର ନମୁନାରୁ ୩.୨ ପ୍ରତିଶତ ଔଷଧ ନିମ୍ନମାନର ତଥା ନକଲି ବୋଲି ଜଣାପଡିଛି। ରିପୋର୍ଟ ଅନୁସାରେ ଏହି କାରଣରୁ ଗତ ଦୁଇ ବର୍ଷ ମଧ୍ୟରେ ୪୦ରୁ ଅଧିକ ଔଷଧ କମ୍ପାନି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ମଧ୍ୟ ହୋଇଛନ୍ତି।