ଭୁବନେଶ୍ୱର ୧୪/୧୨ (ଲାଲିମା ପ୍ରିୟଦର୍ଶିନୀ କର) : ସେ ନିର୍ଭୀକ, ଦୃଢ଼ମନା, ଦୁଃସାହସୀ, ବୁଦ୍ଧିମତୀ । ମାଟିରୁ ମହାକାଶ ଯାଏ ସେ ପରିବ୍ୟାପ୍ତ । ସେ ଶକ୍ତିରୂପା । ତା’ର ଶକ୍ତି ଓ ସଂକଳ୍ପ ଆଗରେ ସ୍ୱୟଂ ବିଶ୍ୱନିୟନ୍ତା ବି ଶକ୍ତିହୀନ । ତା’ ଚଲାପଥରେ ଠିଆ ହୋଇଛି ସଫଳତା ଓ ଉପଲବ୍ଧିର ଅଗଣିତ ନଭଶ୍ଚୁମ୍ଭୀ ସୌଧ । ରୋଷେଇଠୁ ରାଷ୍ଟ୍ର ନିର୍ମାଣ... ସବୁଠି ତା’ର ଜୟଗାନ । ଆବହମାନ କାଳରୁ ସେ ନିଜ ଶକ୍ତି, ଶୌର୍ଯ୍ୟ ଓ ଧୈର୍ଯ୍ୟର ପ୍ରମାଣ ଦେଇ ଆସିଛି । ପ୍ରତ୍ୟେକ କ୍ଷେତ୍ରରେ ପରାକାଷ୍ଠା ଦେଖାଇ ଉଡ଼ାଇଛି ବିଜୟ ପତାକା । ଭାରତର ଅଗ୍ନିବର୍ଷୀ ନାରୀ ବିଶ୍ୱ ଦରବାରରେ ନିଜ ପରାକାଷ୍ଠା ଦେଖାଇ ଦେଶକୁ ଗୌରବାନ୍ୱିତ କରିଛନ୍ତି । ବିଦାୟୀ ବର୍ଷରେ ବି ଭାରତୀୟ ନାରୀ ଠିଆ କରିଛି ସଫଳତାର ଅସଂଖ୍ୟ ମାଇଲଖୁଣ୍ଟ ।
ଶୁଟିଂରେ ଅଲିମ୍ପିକ୍ ପଦକ ବିଜୟିନୀ ପ୍ରଥମ ଭାରତୀୟ :
ହରିଆଣା ଝିଅ ମନୁ ଭାକର । ନିଜର ଅନନ୍ୟ କ୍ରୀଡ଼ା ପ୍ରତିଭା ଜରିଆରେ ସେ ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ଗୌରବାନ୍ୱିତ କରିଛନ୍ତି । ଯୁବ ବୟସରେ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରି ଦେଶର ପ୍ରତ୍ୟେକ ମହିଳାଙ୍କ ପାଇଁ ପ୍ରେରଣାଦାୟୀ ପାଲଟିଛନ୍ତି । ଚଳିତ ବର୍ଷ ପ୍ୟାରିସ୍ରେ ଅନୁଷ୍ଠିତ ଅଲିମ୍ପିକ୍ରେ ପଦକ ଜିତି ସେ ବିଦେଶରେ ଜାତୀୟ ପତାକା ଉଡ଼ାଇଛନ୍ତି । ଶୁଟିଂରେ ଅଲିମ୍ପିକ୍ ପଦକ ଲାଭ କରିଥିବା ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି ମନୁ । ଏଥିସହିତ ଗୋଟିଏ ଅଲିମ୍ପିକ୍ରେ ଦୁଇଟି ପଦକ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା ମଧ୍ୟ ହୋଇଛନ୍ତି । ୧୦ ମିଟର ପିସ୍ତଲ ପ୍ରତିଯୋଗିତାରେ ମନୁ କାଂସ୍ୟ ପଦକ ଜିତିଛନ୍ତି । ୧୦ ମିଟର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଣ୍ଟ୍ରେ ବି କାଂସ୍ୟ ପଦକ ଜିତିଛନ୍ତି । ଦୁଇ ଦୁଇଟି ଚମତ୍କାର ପ୍ରଦର୍ଶନ ଜରିଆରେ ସମଗ୍ର ଦେଶକୁ ସେ ଗୌରବାନ୍ୱିତ କରିଛନ୍ତି । ଏହି ଉପଲବ୍ଧି ଜରିଆରେ ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଅଭିନବ ବିନ୍ଦ୍ରା, ବିଜୟ କୁମାର ଓ ଗଗନ ନାରଙ୍ଗଙ୍କ ଭଳି ସେଲିବ୍ରିଟି ଶୁଟର୍ଙ୍କ ତାଲିକାରେ ସାମିଲ ହୋଇଛନ୍ତି ମନୁ । ମନୁଙ୍କର ମାର୍ଶଲ ଆର୍ଟ, ଟେନିସ୍, ବକ୍ସିଂ ଓ ସ୍କେଟିଂ ଭଳି ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ରହିଛି ।
ଗୋଲ୍ଡ ମେଡାଲିଷ୍ଟ୍ ପାରାଲିମ୍ପିଆନ୍ :
ରାଜସ୍ଥାନର ଜୟପୁର ବାସିନ୍ଦା ଅବନି ଲେଖାରା । ୨୦୧୨ ମସିହାର ସଡ଼କ ଦୁର୍ଘଟଣା ତାଙ୍କୁ ହ୍ୱିଲଚେୟାର୍ରେ ବାନ୍ଧିଦେଲା । କିନ୍ତୁ ତାଙ୍କ ସାହସ, ସଂକଳ୍ପ ଓ ଜିତିବାର ଜିଦ୍କୁ ନୁହେଁ । ସମର୍ଥନର ଖୁଣ୍ଟ ଭଳି ତାଙ୍କ ସାଙ୍ଗରେ ଠିଆ ହେଲେ ବାପା । ଅବନିଙ୍କୁ ଶାରୀରିକ ଓ ମାନସିକ ସମର୍ଥନ ଦେଇ କ୍ରୀଡ଼ାରେ ପ୍ରବେଶ ଲାଗି ଉତ୍ସାହିତ କଲେ । ଶାରୀରିକ ସମସ୍ୟା ସତ୍ତେ୍ୱ ଅବନି ତୀରନ୍ଦାଜୀକୁ ଚୟନ କଲେ । ଅବନି ନିଜର ନିଷ୍ଠା ଜରିଆରେ ଏହି ଆହ୍ୱାନକୁ ଉପଲବ୍ଧିରେ ରୂପାନ୍ତରିତ କଲେ । ଚଳିତ ବର୍ଷ ପ୍ୟାରିସ୍ ପାରାଲିମ୍ପିକ୍ସରେ ୧୦ ମିଟର ରାଇଫଲ ୱିମେନ୍ସ ସିଙ୍ଗଲ ଫାଇନାଲ୍ରେ ଅବନି ସ୍ୱର୍ଣ୍ଣ ପଦକ ଜିତିଲେ । ଏହା ଜରିଆରେ ଭାରତର ସଫଳ ପାରାଲିମ୍ପିଆନ୍ଙ୍କ ମଧ୍ୟରେ ନିଜର ଉପସ୍ଥିତିକୁ ସେ ସୁନିଶ୍ଚିତ କଲେ । ୨୦୨୦ ମସିହାରେ ମଧ୍ୟ ୧୦ ମିଟର ରାଇଫଲ ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।
ପ୍ରଥମ ମହିଳା ଫାଇଟର ପାଇଲଟ୍ :
ଭାରତୀୟ ବାୟୁସେନାର ସମ୍ମାନାସ୍ପଦ ୧୮ ‘ଫ୍ଲାଇଙ୍ଗ୍ ବୁଲେଟ୍ସ’ ସ୍କ୍ୱାଡ୍ରନ୍ରେ ଯୋଗ ଦେଇଥିବା ପ୍ରଥମ ମହିଳା ଫାଇଟର ପାଇଲଟ୍ ଭାବେ ସ୍କ୍ୱାଡ୍ରନ୍ ଲିଡର ମୋହନା ସିଂହ ଜିତରୱାଲ ଇତିହାସ ସୃଷ୍ଟି କରିଛନ୍ତି । ୨୦୧୬ ମସିହାରେ ସେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ । ଭାରତୀୟ ବାୟୁସେନାରେ ଯୁଦ୍ଧ କ୍ଷେତ୍ରରେ ପ୍ରବେଶ ଦ୍ୱାରକୁ ଭାରତ ସରକାର ମହିଳାଙ୍କ ପାଇଁ ଉନ୍ମୁକ୍ତ କରିବା ପରେ ମୋହନା ଏଥିରେ ମୁତୟନ ହୋଇଥିଲେ । ୧୮ ‘ଫ୍ଲାଇଙ୍ଗ୍ ବୁଲେଟ୍ସ’ ସ୍ୱଦେଶୀ ଏଲ୍ସିଏ ତେଜସ ଫାଇଟର୍ ଜେଟ୍ମାନଙ୍କର ପରିଚାଳନା କରେ । ଚଳିତ ବର୍ଷ ସେପ୍ଟେମ୍ବରରେ ମୋହନା ଏହି ସ୍କ୍ୱାଡ୍ରନ୍ରେ ଯୋଗ ଦେଇ ପ୍ରଥମ ମହିଳା ଫାଇଟର ପାଇଲଟ୍ ଭାବେ ଭାରତୀୟ ସଶସ୍ତ୍ର ବାହିନୀରେ ଲିଙ୍ଗଗତ ପ୍ରାଚୀରକୁ ଧ୍ୱସ୍ତ କରିଥିଲେ । ଏହି ଐତିହାସିକ ମୁହୂର୍ତ୍ତ ମେକ୍ ଇନ୍ ଇଣ୍ଡିଆ ପ୍ରୟାସରେ ଭାରତର ଗୁରୁତ୍ୱପୂର୍ଣ୍ଣ ଲମ୍ଫ ଥିଲା ।
ବିଶ୍ୱର ଶୀର୍ଷ ଶକ୍ତିଶାଳୀ ବ୍ୟକ୍ତିତ୍ୱ :
ପେପ୍ସିକୋର ପୂର୍ବତନ ଚେୟାରମ୍ୟାନ୍ ଓ ସିଇଓ ଇନ୍ଦ୍ରା ନୂୟୀ । ନିରନ୍ତର ବିକାଶ ଦିଗରେ ସେ ଆନ୍ଦୋଳନର ଜଣେ ଅଗ୍ରଦୂତ । ଅଧିକରୁ ଅଧିକ ପୋଷକ ତତ୍ତ୍ୱ, ପରିବେଶରୁ ଅଙ୍ଗାରକାମ୍ଳ ମାତ୍ରା ହ୍ରାସ ଏବଂ କର୍ମଚାରୀ ଓ ସମୁଦାୟଗୁଡ଼ିକୁ ସଶକ୍ତ କରିବା ଉପରେ ସେ ଫୋକସ୍ କରୁଛନ୍ତି । ତାଙ୍କର ଉଲ୍ଲେଖନୀୟ ଉପଲବ୍ଧିକୁ ଉଭୟ ଭାରତ ସରକାର ଓ ଜାତିସଂଘରୁ ମାନ୍ୟତା ମିଳିଛି । ନ୍ୟାସନାଲ୍ ୱିମେନ୍ସ ହଲ୍ ଅଫ୍ ଫେମ୍ ଓ ସ୍ମିଥ୍ସୋନିଆନ୍ ନ୍ୟାସନାଲ୍ ପୋଟ୍ରେଟ୍ ଗ୍ୟାଲେରୀରେ ତାଙ୍କୁ ସାମିଲ କରାଯାଇଛି । ପ୍ରତିଷ୍ଠିତ ନେତୃତ୍ୱ ନିମନ୍ତେ ନୂୟୀଙ୍କୁ ୨୦୨୪ ଜର୍ଜ ଡବ୍ଲ୍ୟୁ ବୁଶ୍ ମେଡାଲ ଦ୍ୱାରା ସମ୍ମାନିତ କରାଯାଇଛି । ବିଶ୍ୱର ଶୀର୍ଷ ୧୦୦ ଶକ୍ତିଶାଳୀ ମହିଳା ତାଲିକାରେ ନୂୟୀ ନିରନ୍ତର ନିଜର ସ୍ଥାନ ବଜାୟ ରଖିଛନ୍ତି ।
ଗରିବଙ୍କ ହକ୍ ପାଇଁ ସମର୍ପିତ ଜୀବନ :
ପୂର୍ବତନ ସରକାରୀ କର୍ମଚାରୀ ଅରୁଣା ରୟ ଜଣେ ସମାଜ କର୍ମୀ । ଭାରତର ଗ୍ରାମାଞ୍ଚଳ ଗରିବଙ୍କ ଅଧିକାର ପାଇଁ ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ ସେ ଉତ୍ସର୍ଗ କରିଛନ୍ତି । ଅରୁଣା ମଜଦୁର କିସାନ ଶକ୍ତି ସଂଗଠନର ପ୍ରତିଷ୍ଠାତା, ଯାହା ସ୍ୱଚ୍ଛତା, ସମାନ ପାରିଶ୍ରମିକ ଓ ସରକାରୀ ଉତ୍ତରଦାୟିତ୍ୱ ଉପରେ ଜୋର୍ ଦିଏ । ମଜଦୁର କିସାନ ଶକ୍ତି ସଂଗଠନ ଓ ନ୍ୟାସ୍ନାଲ କ୍ୟାମ୍ପେନ୍ ଫର୍ ପିପୁଲ୍ସ ରାଇଟ୍ ଟୁ ଇନ୍ଫର୍ମେସନ୍ ଜରିଆରେ ଅରୁଣା ଭାରତରେ ସୂଚନା ଅଧିକାର ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି । ତାଙ୍କ ପ୍ରୟାସ ୨୦୦୫ ମସିହାରେ ଭାରତର ସୂଚନା ଅଧିକାର ଅଧିନିୟମର ମାର୍ଗରେ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ମଧ୍ୟ ନ୍ୟାସ୍ନାଲ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ୱିମେନ୍ର ଅଧ୍ୟକ୍ଷା ।
ମିସ୍ ଇଣ୍ଡିଆ-୨୦୨୪ :
ଚଳିତ ବର୍ଷ ସୁନ୍ଦରୀ ପ୍ରତିଯୋଗିତାରେ ଉଲ୍ଲେଖଯୋଗ୍ୟ ଉପଲବ୍ଧି ହାସଲ କରିଛନ୍ତି ନିକିତା ପଡ଼ୱାଲ । ସମ୍ମାନାସ୍ପଦ ଫେମିନା ମିସ୍ ଇଣ୍ଡିଆ-୨୦୨୪ ପ୍ରତିଯୋଗିତାରେ ସେ ମିସ୍ ଇଣ୍ଡିଆ ଟାଇଟଲ ହାସଲ କରିଛନ୍ତି । ୨୦୨୩ ଫେମିନା ମିସ୍ ଇଣ୍ଡିଆ ନନ୍ଦିନୀ ଗୁପ୍ତା ତାଙ୍କୁ ମୁକୁଟ ପିନ୍ଧାଇଥିଲେ । ୧୮ ବର୍ଷ ବୟସରେ ଟିଭି ଆଙ୍କର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ନିକିତା । ଜଣେ ଥିଏଟର କଳାକାର ଭାବେ ୬୦ରୁ ଅଧିକ ନାଟକରେ ସେ ଅଭିନୟ କରିଛନ୍ତି । ୨୫୦ ପୃଷ୍ଠା ସମ୍ବିଳିତ ନାଟକ ‘କ୍ରୀଷ୍ଣ-ଲୀଲା’ ମଧ୍ୟ ସେ ରଚନା କରିଛନ୍ତି । ଏବେ ସେ ସିନେ ଦୁନିଆରେ ଏଣ୍ଟ୍ରି କରିଛନ୍ତି । ଫିଚର ଫିଲ୍ମ ‘ଚମ୍ବଲ ପାର୍’ରେ ସେ ମୁଖ୍ୟ ନାୟିକା ଭୂମିକା ନିର୍ବାହ କରିଛନ୍ତି, ଯାହା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ବେଶ ପ୍ରଶଂସା ସାଉଁଟିଥିଲା ।
ସଫଳ ଅଲିମ୍ପିଆନ୍ରୁ ରାଜନେତା :
୩ ଥର ଅଲିମ୍ପିକ୍ ପଦକ ବିଜୟିନୀ ଭିନେଶ ଫୋଗଟ୍ ଭାରତର ଜଣେ ଲୋକପ୍ରିୟ କୁସ୍ତିଯୋଦ୍ଧା । ସେ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ଫାଇନାଲରେ ପହଞ୍ଚିଥିବା ପ୍ରଥମ ମହିଳା କୁସ୍ତିଯୋଦ୍ଧା ଥିଲେ । କିନ୍ତୁ ମାତ୍ର ୧୦୦ ଗ୍ରାମ୍ ଓଜନ ବଢ଼ିବା ଯୋଗୁ ପ୍ରତିଯୋଗିତାର ୨ୟ ଦିନ ତାଙ୍କୁ ଖେଳିବାକୁ ଅନୁମତି ମିଳିନଥିଲା । ଏହା ସତ୍ତେ୍ୱ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଭିନେଶ ପାଲଟି ସାରିଥିଲେ ଜଣେ ସଫଳ ଅଲିମ୍ପିଆନ୍ । ଏହା ପରେ ସେ କୁସ୍ତିରୁ ଅବସର ଘୋଷଣା କଲେ । ଏଥିସହିତ ରାଜନୀତିରେ ତାଙ୍କର ପାଳି ଆରମ୍ଭ ହେଲା । କଂଗ୍ରେସ ପାର୍ଟିରେ ଯୋଗ ଦେଇ ଜୁଲାନା ନିର୍ବାଚନମଣ୍ଡଳୀରୁ ସେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଜିତିଲେ । ବର୍ତ୍ତମାନ ସେ ହରିଆଣାରେ ବିଧାୟକ ଅଛନ୍ତି । ଭିନେଶ ଏହା ପୂର୍ବରୁ ବିଶ୍ୱ ଚାମ୍ପିଅନ୍ସିପ, କମନ୍ୱେଲ୍ଥ ଗେମ୍ସ ଓ ଏସିଆନ ଗେମ୍ସରେ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି ।
ମହାକାଶରୁ ପ୍ରେରଣାର ବାର୍ତ୍ତା :
ଚଳିତ ବର୍ଷ ମହାକାଶ ମିଶନରେ ପ୍ରେରଣାର ସ୍ରୋତ ଥିଲେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ । ଗତ ଜୁନ୍ ୫ ତାରିଖରେ ନାସା ମହାକାଶଚାରୀ ସୁନିତା ବୋଇଂର ଷ୍ଟାର୍ଲାଇନର ମହାକାଶଯାନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା କରିଥିଲେ । ସାଥୀ ମହାକାଶଚାରୀ ବୁଚ୍ ୱିଲମୋରଙ୍କ ସହ ପର ଦିନ ସେ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ । ମାତ୍ର ୮ ଦିନର ମିଶନରେ ମହାକାଶ ଯାତ୍ରା କରିଥିବା ସୁନିତା ମହାକାଶଯାନରେ ବୈଷୟିକ ତ୍ରୁଟି ଯୋଗୁ ଅଦ୍ୟାବଧି ସେଠାରେ ଫସି ରହିଛନ୍ତି । ୨୦୨୫, ଫେବ୍ରୁଆରୀ ପୂର୍ବରୁ ତାଙ୍କର ପୃଥିବୀ ପ୍ରତ୍ୟାବର୍ତ୍ତନ ସମ୍ଭବ ନୁହେଁ ବୋଲି ନାସା ସ୍ପଷ୍ଟ କରିଛି । ମହାକାଶ କେନ୍ଦ୍ରରେ ରହି ବିଭିନ୍ନ କାର୍ଯ୍ୟରେ ସୁନିତା ବ୍ୟସ୍ତ ଅଛନ୍ତି । ମହାକାଶ ବିଜ୍ଞାନ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀଙ୍କୁ ମହାକାଶରେ ରହଣିର ବିଭିନ୍ନ ଜଟିଳତା ବିଷୟରେ ଜ୍ଞାନ ବାଣ୍ଟିବା ସହିତ ଜଟିଳ ସ୍ଥିତିର ମୁକାବିଲା ପାଇଁ ମନ୍ତ୍ର ଦେଉଛନ୍ତି ।