ଅମୃତସର,୨୩/୦୯: ଖଲିସ୍ତାନୀ  ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ  ଦୀପାବଳିରେ ଅଯୋଧ୍ୟାକୁ ଅନ୍ଧାର  କରିଦେବା ପାଇଁ ଧମକ ଦେଇଛି । ପଞ୍ଜାବକୁ ମଧ୍ୟ ଚେତାବନୀ ଦେଇ କହିଛି,  ଏଥର ରାଜ୍ୟରେ ଯେଉଁମାନେ ଦୀପାବଳି  ନ ମନାଇବେ, ସେମାନେ ହିଁ ରହିବେ । ଯେଉଁମାନେ ପାଳନ କରିବେ, ସେମାନଙ୍କୁ ରାଜ୍ୟ ଛାଡ଼ିବାକୁ ହେବ । ଅକ୍ଟୋବର  ୧୯ ସୁଦ୍ଧା ପ୍ରବାସୀମାନେ ପଞ୍ଜାବ ଛାଡ଼ି  ପଳାଇବାକୁ ସେ ଚେତାବନୀ ଦେଇଛି ।  ଯଦି ନ ଛାଡ଼ନ୍ତି, ତେବେ ଭୟଙ୍କର ପରିଣାମ  ଭୋଗିବାକୁ ହେବ ବୋଲି ସେ କହିଛି ।  

ଖଲିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଶିଖ୍‌ସ  ଫର୍‌ ଜଷ୍ଟିସ୍‌ (ଏସ୍‌ଏଫ୍‌ଜେ)ର ମୁଖ୍ୟ  ପନ୍ନୁ ନୂଆ ଭିଡିଓ ଜାରି କରି ଏହି ଧମକ  ଦେଇଛି । ନିଜ ଭିଡିଓରେ ସେ ବଟାଲା  ରେଳଷ୍ଟେସନର ଭିଡିଓ ସେୟାର କରି  କହିଛି, ଷ୍ଟେସନରେ ଖଲିସ୍ତାନୀ ସ୍ଲୋଗାନ  ଲେଖାଯାଇଛି । ପନ୍ନୁ ଦାବି କରିଛି ଯେ ସେ  ପଞ୍ଜାବ ଡିଜିପି ଗୌରବ ଯାଦବଙ୍କୁ ହିନ୍ଦୁଙ୍କ  ସାଥ୍‌ ନ ଦେବାକୁ ଚେତାବନୀ ଦେଇଛି ।  ରାଜ୍ୟର ଭଗୱନ୍ତ ମାନ୍‌ ସରକାରକୁ ବି  ଧମକ ଦେଇଛି । ଏହା ପୂର୍ବରୁ ପନ୍ନୁ  ଅଗଷ୍ଟ ୧୫ରେ ଟ୍ରେନ୍‌ରେ ବିସ୍ଫୋରଣ  କରିବ ବୋଲି କହିଥିଲା । ଏହି ଦିନ ଦିଲ୍ଲୀ  ଅଭିମୁଖେ ଯାଉଥିବା ଟ୍ରେନ୍‌ରେ ଯାତ୍ରା ନ  କରିବାକୁ ସେ କହିଥିଲା । ଯେ କୌଣସି  ମୁହୂର୍ତ୍ତରେ ଏଥିରେ ବିସ୍ଫୋରଣ ହେବା  ନେଇ ଚେତାଇଥିଲା ପନ୍ନୁ ।