ଲାଞ୍ଜିଗଡ,୧୨/୯(ଆପ୍ର): ଲାଞ୍ଜିଗଡ ସହରର ପରମ ଆରାଧ୍ୟ ଅଗ୍ନି ଭୈରବଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଶୁକ୍ରବାର ମହା ସମାରୋହରେ ପାଳିତ ହୋଇଯାଇଛି I ପ୍ରଥା ଅନୁଯାୟୀ ନୂଆଖାଇ (ଲାଞ୍ଜିଗଡରେ ଦଶମୀ ନୂଆଖାଇ ହୋଇଥାଏ), ଆଉ ବାସୀ ପର୍ବ ପାଳିତ ହେବା ପରେ ତ୍ରୟୋଦଶୀ ଦିନ ଲାଞ୍ଜିଗଡଠାରେ ଥିବା ପ୍ରସିଦ୍ଧ ଭୈରବ ମନ୍ଦିରରୁ ଭୈରବ ଦେବଙ୍କ ଖଣ୍ଡା ବାହାର କରାଯାଇ ସ୍ଥାନୀୟ ରାଜ ଉଆସକୁ ନିଆଯାଇଥାଏ ।

ସେଠାରୁ ପୂଜାର୍ଚ୍ଚନା ପରେ ଅଗ୍ନି ଭୈରବଙ୍କ ଗୋଟିଏ ଖଣ୍ଡା, ବାଲି ଭୈରବଙ୍କ ଗୋଟିଏ ଖଣ୍ଡା ଓ ବୁଢା ଭୈରବଙ୍କ ଦୁଇଟି ଖଣ୍ଡାକୁ ବାଲି ଘରକୁ ନିଆଯାଇଥାଏ । ସେହି ଦିନ ହିଁ ସ୍ଥାନୀୟ ଶୁକ୍ଲିନାଳକୁ ପୂଜକମାନେ ଯାଇ ନଅଟି ଚାଙ୍ଗୁଡିରେ ବାଲି ଭର୍ତ୍ତି କରି ଆଣିଥାନ୍ତି I ଲୋକଙ୍କ ଘରୁ ନଅ ପ୍ରକାର ଶସ୍ୟ ସଂଗ୍ରହ କରି ତାକୁ ବାଲି ଘରେ ରଖି ପୂଜାର୍ଚ୍ଚନା ଜାରି ରଖିଥାନ୍ତି । ଏହା ପରେ ଅଶ୍ୱପଞ୍ଚମୀ ତିଥିରେ ଭୈରବ ଦେବଙ୍କ ଝାମୁ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥାଏ ।

ଏହା ପୂର୍ବରୁ ତିନି ଭୈରବଙ୍କ ପ୍ରତୀକ ବାଲି ଘରୁ ମୁଖ୍ୟ ମନ୍ଦିରକୁ ଯିବା ସହିତ ସେଠାରୁ ଆଜ୍ଞାମାଳ ଆଣିବା ପରେ ନିଆଁରେ ତିଆରି ଖନ୍ଦା( ଝାମୁ)କୁ ତିନିଥର ପ୍ରଦକ୍ଷିଣ କରି ସାରିବା ପରେ ଠାକୁରାଣୀ ଗୁଡି଼(ମନ୍ଦିର)କୁ ଯାଇ ଦେବୀଙ୍କୁ ଆମନ୍ତ୍ରଣ କରିଥାନ୍ତି । ଏହାପରେ ଠାକୁରାଣୀ ଦେବୀ ମଧ୍ୟ ସାମିଲ ହୋଇଥିଲେ ଝାମୁଯାତ୍ରାରେ । ଏହି ସମୟରେ ଚାରୋଟି କଟା କଦଳୀ ଗଛକୁ ଧଳା କପଡା ଘୋଡାଇ ପ୍ରସ୍ତୁତ କରାଯାଇଥିଲା ଗଉରୀଘର । ଯେଉଁଠି ବଡଭୋଗ (ପାରା ବଳି)ଦେବା ପରେ ଝାମୁଯାତ୍ରାର ପ୍ରସ୍ତୁତି ପର୍ବ ଶେଷ ହୋଇଥିଲା । ଏହା ପରେ ଅଗ୍ନି ଭୈରବଙ୍କ କାଳେସୀ ଡହଡହ ତତଲା ରଡ ନିଆଁ ଉପରେ ଚାଲିବା ଦ୍ରୁଶ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା ।

ଏହି ସମୟରେ ଶ୍ରଦ୍ଧାଳୁଙ୍କ ହର୍ଷଧ୍ୱନୀ ସହିତ ଡମବାଜା, ଘୁମୁରା ଓ କୀର୍ତ୍ତନର ଶବ୍ଦ ଗୁଞ୍ଜରି ଉଠୁଥିଲା I ଯାତ୍ରା ସରିଲା ପରେ ମାନସିକ କରିଥିବା ଲୋକଙ୍କ ଦ୍ୱାରା ଶହଶହ କୁକୁଡା, ପାରା, ବତକ, ଛେଳି ଆଦି ବଳି ଦିଆଯାଇଥିଲା । ଅଗ୍ନିଭୈରବ, ବାଲି ଭୈରବ ଅଭିମନ୍ୟୁ ପାତ୍ର , ଠାକୁରାଣୀଙ୍କ ପୂଜାରୀ ଜମ୍ବେଶ୍ୱର ପୂଜାରୀ, ଗୁରମାଇଁ ମାନସ ରଞ୍ଜନ ମାଝୀ, ପାଟ ଘୁମରିଆ ପରମାନନ୍ଦ ପାତ୍ର, ଚଲାନ ଚନ୍ଦ୍ର ଶେଖର ଦଳପତି ପ୍ରମୁଖ ପୂଜା ଅର୍ଚ୍ଚନାରେ ସାମିଲ ହୋଇଥିଲେ I

ଏହି କାର୍ଯ୍ୟକ୍ରମକୁ ଲାଞ୍ଜିଗଡ ରାଜା ସୁରେନ୍ଦ୍ର ପ୍ରତାପ ସିଂଦେଓ , ଲାଞ୍ଜିଗଡ଼ର ହରିହର ସାଂସ୍କୃତିକ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା , ଲାଞ୍ଜିଗଡ଼ ଯୁବକ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଏହି ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଲାଞ୍ଜିଗଡ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ତା କରାଯାଇଥିଲା I ସେହିପରି ଗୁରୁବାର ଦିନ ବିଶ୍ବନାଥପୁର, ବନ୍ଧପାରି ଓ ବଳଭଦ୍ରପୁର ଠାରେ ମଧ୍ୟ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି I