ନୂଆଦିଲ୍ଲୀ: ବଲୁଚିସ୍ତାନର ମସ୍ତୁଙ୍ଗ ଜିଲ୍ଲାର ସ୍ପେଜାଣ୍ଡ ଅଞ୍ଚଳରେ ଥିବା ରେଳ ଟ୍ରାକରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଯାହାପଳରେ ପେଶାୱରରୁ କ୍ୱେଟାକୁ ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନର ୬ଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଏହି ଘଟଣା ମଙ୍ଗଳବାର ସଂଧ୍ୟା ସମୟରେ ଘଟିଥିବା ଜଣାପଡିଛି। ଏହି ଟ୍ରେନରେ ପ୍ରାୟ ୨୭୦ ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ, ଏହି ଦୁର୍ଘଟଣା ଯୋଗୁଁ ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।
ଆହତମାନଙ୍କ ମଧ୍ୟରୁ ୩ ଜଣକୁ ସ୍ଥାନୀୟ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଏକ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାକୁ ସୈନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରାଥମିକ ତଦନ୍ତରେ ଏହା ଏକ ଆତଙ୍କୀ ବିସ୍ଫୋରଣ ବୋଲି ବୋଲି ଅନୁମାନ କରାଯାଉଛି। କିନ୍ତୁ ଏଯାଏ କୌଣସି ଗୋଷ୍ଠୀ ଏହାର ଦାୟିତ୍ୱ ଗ୍ରହଣ କରିନାହାନ୍ତି।
ଘଟଣା ପରେ କ୍ୱେଟାରୁ ଏକ ଉଦ୍ଧାରକରୀ ଟ୍ରେନକୁ ଘଟଣାସ୍ଥଳକୁ ପଠାଯାଇଛି। ଏହି ଟ୍ରେନରେ ସ୍ଥାନିୟ ଅଧିକାରୀଙ୍କ ଦଳ ସହ ଉଦ୍ଧାର କାର୍ଯ୍ୟରେ ଆବଶ୍ୟକିୟ ସାମଗ୍ରୀ ରହିଛି। ଅନ୍ୟପଟେ ପୋଲିସ ଓ ସୈନ୍ୟ ଅଧିକାରୀମାନଙ୍କ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଉଦ୍ଧାର ଓ ସୁରକ୍ଷା କାର୍ଯ୍ୟ ଜାରି ରହିଛି ଏବଂ ଯାତ୍ରୀମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ପାକିସ୍ତାନ ରେଳ ଅଧିକାରୀମାନେ ରେଳମାର୍ଗର ନିରୀକ୍ଷଣ ବଢ଼ାଇଛନ୍ତି।
ପୂର୍ବରୁ ଜୁଲାଇ ୨୯ ତାରିଖରେ ପାକିସ୍ତାନର ସିନ୍ଧ ପ୍ରଦେଶ ନିକଟରେ ହୋଇଥିବା ବିସ୍ଫୋରଣ ଯୋଗୁଁ ଜାଫର ଏକ୍ସପ୍ରେସ ଟ୍ରେନର ତିନୋଟି କୋଚ୍ ଲାଇନଚ୍ୟୁତ ହୋଇଥିଲା। ଟ୍ରେନଟି କ୍ୱେଟା ଯାଉଥିଲା ଏବଂ ଏହି ଦୁର୍ଘଟଣାରେ ଜଣେ ଆହତ ହୋଇଥିଲେ। ସେହିପରି ଜୁନ୍ ମାସରେ ମଧ୍ୟ ଜାଫର ଏକ୍ସପ୍ରେସକୁ ଟାର୍ଗେଟ କରାଯାଇଥିଲା। ଜାକୋବାବାଦର ଗୋରୁ ବଜାର ନିକଟରେ ରେଳ ଟ୍ରାକ ନିକଟରେ ବିସ୍ଫୋରଣ ଯୋଗୁଁ ଜାଫର ଏକ୍ସପ୍ରେସର ଛଅଟି କୋଚ୍ ଲାଇନଚ୍ୟୁତ ହୋଇଥିଲା।
ମାର୍ଚ୍ଚ ମାସର ପ୍ରାରମ୍ଭରେ ମଧ୍ଯ, କ୍ୱେଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସକୁ ଗୁଡଲାର ଏବଂ ପିରୁ କୁନରିର ପାର୍ବତ୍ୟ ଅଞ୍ଚଳ ନିକଟରେ ଏକ ସୁଡ଼ଙ୍ଗରେ ବିଦ୍ରୋହୀମାନେ ଅପହରଣ କରିଥିଲେ। ବିଦ୍ରୋହୀମାନେ ଟ୍ରାକଗୁଡ଼ିକୁ ବିସ୍ଫୋରଣ କରି ଟ୍ରେନଟି ଅଟକିବା ମାତ୍ରେ ନିଜ ନିୟନ୍ତ୍ରଣକୁ ନେଇଯାଇଥିଲେ। ନଅ ବଗି ବିଶିଷ୍ଟ ଏହି ଟ୍ରେନରେ ୪୦୦ରୁ ଅଧିକ ଯାତ୍ରୀ ଥିଲେ। BLA ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। ଯେଉଁଥିରେ ୩୧ ଜଣ ସାଧାରଣ ନାଗରିକ ଏବଂ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା ଏବଂ ୩୦୦ରୁ ଅଧିକ ଯାତ୍ରୀଙ୍କୁ ବନ୍ଧକ କରାଯାଇଥିଲା।