କାଠମାଣ୍ଡୁ: ନେପାଳର ସର୍ବୋଚ୍ଚ ଅଦାଲତ ସୋମବାର ସକାଳେ ଟେଣ୍ଟ ସ୍ଥାପନ କରି ଆରମ୍ଭ ହୋଇଥିବା ଜଣାପଡିଛି। ଆପଣଙ୍କୁ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଦେଶବ୍ୟାପୀ ହୋଇଥିବା ଅଶାନ୍ତି ଓ ହିଂସାତ୍ମକ ପ୍ରଦର୍ଶନର ସମୟରେ ଦଙ୍ଗାକାରୀମାନେ ଅଦାଲତ ପ୍ରାଙ୍ଗଣରେ ନିଆଁ ଲଗାଇ ଦେଇଥିଲେ। ଯାହାଫଳରେ ନିଆଁ ଲାଗି କୋର୍ଟର ସମସ୍ତ ରେକର୍ଡମାନ ନଷ୍ଟ ହୋଇଯାଇଥିଲା। ଜେନ୍ ଜେଡ୍ (ଜେନ୍ ଜି) ଛାତ୍ରମାନଙ୍କ ଦ୍ୱାରା ନେତୃତ୍ୱ ଦିଆଯାଇଥିବା ଏହି ପ୍ରଦର୍ଶନ କାଠମାଣ୍ଡୁରେ ବ୍ୟାପକ ଧ୍ୱଂସଲୀଳା ସୃଷ୍ଟି କରିଥିଲା। ଯେଉଁଥିରେ ଦେଶର ସର୍ବୋଚ୍ଚ ଅଦାଲତ ସହିତ ପ୍ରାୟ ସମସ୍ତ ସରକାରୀ ଭବନମାନେ ବି ପ୍ରଭାବିତ ହୋଇଥିଲେ। ଏହି ଦଙ୍ଗା ଏତେ ପ୍ରଭାବଶାଳି ଥିଲା ଯେ ଏହା ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସରକାରକୁ ପତନ କରାଇଦେଇଥିଲା।

ଅଦାଲତ ପ୍ରାଙ୍ଗଣରେ ଥୁଆ ହୋଇଥିବା ଗାଡ଼ି ଓ ସମସ୍ତ ଆସବାବ ପତ୍ର ଏହି ଅଗ୍ନିକାଣ୍ଡରେ ଜଳିପୋଡି ପାଉଁଶ ହୋଇଯାଇଥିଲା। ନିଆଁ ଲାଗିବା ଦ୍ୱାରା ୨୬,୦୦୦ଟି ଚାଲୁ ମାମଲା ଫାଇଲ୍ ସହିତ ୩୬,୦୦୦ଟି ସଂରକ୍ଷିତ ରେକର୍ଡ ମଧ୍ୟ ନିଆଁର ଆଁରେ ନଷ୍ଟ ହୋଇଯାଇଛି।  

ଅଦାଲତଘର, ରେଜିଷ୍ଟ୍ରାର ଅଫିସ୍ ଏବଂ ନ୍ୟାୟମୂର୍ତ୍ତିମାନଙ୍କ ଚେମ୍ବରଗୁଡ଼ିକ ମଧ୍ୟ ଜଳିଯାଇଛି। ଏତେ ପରିମାଣରେ କ୍ଷୟକ୍ଷତି ହେଲା ପରେ ବି ନେପାଳ ହାଇକୋର୍ଟ ସୋମବାରଠୁ କାର୍ଯ୍ୟ କରିବା ଆରମ୍ଭ କରିଛି। କୋର୍ଟ ପରିସରରେ ନୂଆ ଟେଣ୍ଟ ହାଉସ ତିଆରି କରାଯାଇଥିବା ବେଳେ ଏଥିରେ ଆଶ୍ରୟ ନେଇ ଅଦାଲତ କର୍ମଚାରୀମାନେ ମକଦ୍ଦମାକାରୀମାନଙ୍କୁ ଭେଟି ନୂତନ ତାରିଖ ନିର୍ଦ୍ଧାରଣ କରୁଛନ୍ତି।

ନୂତନ ନିଯୁକ୍ତ ପ୍ରଧାନମନ୍ତ୍ରୀ ସୁଶିଲା କାର୍କୀଙ୍କ ଏକ ଲୋକସ୍ୱାଧୀନ ଭାଷଣରେ ନ୍ୟାୟିକ ଫାଇଲ୍‌ଗୁଡ଼ିକର ନଷ୍ଟ ସମ୍ୱଦ୍ଧରେ ଉଲ୍ଲେଖ କରିବା ସହ ଏହାର ନିର୍ମାଣ ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ବରିଷ୍ଠ ନ୍ୟାୟାଧିଶ କେଦାର ପ୍ରସାଦ କୋଇରାଲା କହିଛନ୍ତି ଯେ, ହାବିୟାସ୍ କର୍ପସ୍ (ଅବନତି ଆଦେଶ) ଭଳି ଜରୁରୀ ମାମଲାଗୁଡ଼ିକୁ ଆନେକ୍ସ୍ ଭବନକୁ ସ୍ଥାନାନ୍ତର କରାଯାଉଛି। ସମସ୍ତ ମକଦ୍ଦମାକରୀମାନଙ୍କୁ ମାମଲାର ଦସ୍ତାବିଜ୍‌ଗୁଡ଼ିକର ଫୋଟୋକପି ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି। ଯାହା ରେକର୍ଡ ପୁନର୍ନିର୍ମାଣରେ ସାହାଯ୍ୟ କରିବ। ଦ୍ୱିପ୍ରହର ୨ଟା ସୁଦ୍ଧା ୧୪୮ ଜଣ ମକଦ୍ଦମାକାରୀ କର୍ମଚାରୀମାନଙ୍କ ପାଖରେ ପହଞ୍ଚିଥିଲେ। ଅଦାଲତ କର୍ମଚାରୀମାନେ ସେମାନଙ୍କୁ ନୂଆ ତାରିଖ ପ୍ରଦାନ କରିବା ସହ ଅଦାଲତ କାର୍ଯ୍ୟ ଚାଲୁ ରଖିଥିଲେ।