ନୂଆଦିଲ୍ଲୀ: ନେପାଳର ଅନ୍ତରୀଣ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା, ପୁଷ୍ପ କମଳ ଦହଲ 'ପ୍ରଚଣ୍ଡ' ଏବଂ ପୂର୍ବତନ ମନ୍ତ୍ରୀ ଦୀପକ ଖାଡକାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। ଦୁଇ ସପ୍ତାହ ପୂର୍ବେ ସେମାନଙ୍କ ବାସଭବନରେ ପୋଡ଼ିଯାଇଥିବା ସେଠାରେ ଠଉଳ ଥିବା ବିଡାବିଡା ଟଙ୍କା ନୋଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ଲୋକଙ୍କ ଦାବିକୁ ନଜରରେ ରଖି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସୂଚନା ମୁତାବକ, ଗତ ସେପ୍ଟେମ୍ବର ତାରିଖରେ, ଜେନ୍-ଜି ପ୍ରଦର୍ଶନକାରୀମାନେ ନେପାଳର କଂଗ୍ରେସ ସଭାପତି ଦେଉବା, ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ସମେତ ପୂର୍ବତନ ଶକ୍ତି ମନ୍ତ୍ରୀ ଖଡକାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ତେବେ ଅନଲାଇନରେ ଭାଇରାଲ ହୋଇଥିବା ଭିଡିଓଗୁଡ଼ିକରେ ଲୋକମାନେ ସେମାନଙ୍କ ଘରେ ପ୍ରବେଶ କରି ଭଙ୍ଗାରୁଜା କରୁଥିବା ଏବଂ ବିଡାବିଡା ୫୦୦ ଏବଂ ୧୦୦୦ ଟଙ୍କାର ନୋଟ ଜାଳି ଦେଉଥିବା ଦେଖିବାକୁ ମିଳିଥିଲା।

ଏହି ମାମଲା ଭାଇରାଲ ହେବା ପରେ, ସରକାର ପ୍ରମାଣ ସଂଗ୍ରହ ପାଇଁ ମନି ଲଣ୍ଡରିଂ ତଦନ୍ତ ବିଭାଗର ଏକ ଦଳକୁ ସେମାନଙ୍କ ବାସଭବନକୁ ପଠାଇଥିଲେ। ଅଧିକାରୀଙ୍କ ଅନୁଯାୟୀ, ବିଭାଗର ଦଳ ସେପ୍ଟେମ୍ବର ୨୧ ତାରିଖରେ ଦେଉବା ଏବଂ ଖଡ଼କାଙ୍କ ଘରୁ ଏବଂ ସେପ୍ଟେମ୍ବର 23 ତାରିଖରେ ପ୍ରଚଣ୍ଡଙ୍କ ଘରୁ ପୋଡ଼ିଯାଇଥିବା ମୁଦ୍ରା, ପାଉଁଶ ଏବଂ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରିଥିଲେ। ଏହି ନମୁନାଗୁଡ଼ିକୁ ଜାତୀୟ ଫରେନସିକ୍ ସାଇନ୍ସ ଲାବୋରେଟୋରୀକୁ ପଠାଯାଇଛି।

ଏନେଇ ଅଧିକାରୀମାନେ କହିଛନ୍ତି ଯେ ବିଭାଗ ଏକ ଆନୁଷ୍ଠାନିକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ଦେଉବା ଏବଂ ପ୍ରଚଣ୍ଡ ଗତ ଦୁଇ ଦଶନ୍ଧି ଧରି କୌଣସି ନା କୌଣସି ଭାବରେ କ୍ଷମତାରେ ରହିଆସିଛନ୍ତି। ଅନ୍ୟପଟେ ଗଣମାଧ୍ୟମ ରିପୋର୍ଟ ଦାବି କରିଛି ଯେ ଉଭୟ ନେତା ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ବିପୁଳ ପରିମାଣରେ ବେଆଇନ ସମ୍ପତ୍ତି ଅର୍ଜନ କରିଛନ୍ତି। ତଥାପି, ଦେଉବାଙ୍କ କାର୍ଯ୍ୟାଳୟ ଅଭିଯୋଗକୁ ଅସ୍ୱୀକାର କରିଛି। ଏବଂ ବିବୃତ୍ତିରେ କୁହାଯାଇଛି ଯେ ଏହି ଭିଡିଓଗୁଡ଼ିକ AI ସାହାଯ୍ୟରେ ତିଆରି କରାଯାଇଥିଲା ଏବଂ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଉଦ୍ଦିଷ୍ଟ ଥିଲା।

ଜେନ୍-ଜିଙ୍କ ବିରୋଧ ପ୍ରଦର୍ଶନର ହିଂସାତ୍ମକ ଦମନ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି, ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକର ଏବଂ ଅନ୍ୟ ତିନି ଜଣଙ୍କ ପାସପୋର୍ଟ ଜବତ କରାଯାଇଛି। ଅଧିକାରୀଙ୍କ ଅନୁଯାୟୀ, ଯେଉଁମାନଙ୍କର ପାସପୋର୍ଟ ଜବତ କରାଯାଇଛି ସେମାନଙ୍କ ମଧ୍ୟରେ ତତ୍କାଳୀନ ଗୃହ ସଚିବ ଗୋକର୍ଣ୍ଣ ମଣି ଦୁୱାଡି, ତତ୍କାଳୀନ ଜାତୀୟ ତଦନ୍ତ ବିଭାଗ ମୁଖ୍ୟ ହୁତା ରାଜ ଥାପା ଏବଂ କାଠମାଣ୍ଡୁର ତତ୍କାଳୀନ ମୁଖ୍ୟ ଜିଲ୍ଲା ଅଧିକାରୀ ଛବି ରିଜାଲଙ୍କ ପାସପୋର୍ଟ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଏବେ ଏହି ପାଞ୍ଚ ଜଣ ଦେଶ ଛାଡି ପାରିବେ ନାହିଁ। କାଠମାଣ୍ଡୁର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଆହତ ପ୍ରଦର୍ଶନକାରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହେବା ସହିତ ଏହି ଦୁଇ ଦିନିଆ ପ୍ରତିବାଦରେ ମୃତ୍ୟୁ ସଂଖ୍ୟା ୭୬କୁ ବୃଦ୍ଧି ପାଇଛି।