ଭୁବନେଶ୍ୱର: ଓଡ଼ିଶା ମାଇନିଂ କର୍ପୋରେସନ ଲିମିଟେଡ୍ (ଓଏମସି)ର କ୍ୱାଲିଟି ସର୍କଲ ଟିମ୍ଗୁଡ଼ିକୁ ମିଳିଲା ବଡ ସଫଳତା। ଏହି ଟିମ୍ ଗତ ୧୩ ଓ ୧୪ ସେପ୍ଟେମ୍ବରରେ ଭୁବନେଶ୍ୱରରେ ଆୟୋଜିତ ୭ମ ଚାପ୍ଟର କନଭେନସନ ଅନ୍ କ୍ୱାଲିଟି କନସେପ୍ଟସ (CCQC-2025)ରେ ୧୯ଟି ସ୍ୱର୍ଣ୍ଣ ଓ ୩ଟି ରୌପ୍ୟ ପୁରସ୍କାର ହାସଲ କରିଛନ୍ତି। କ୍ୱାଲିଟି ସର୍କଲ ଫୋରମ ଅଫ୍ ଇଣ୍ଡିଆ (QCFI), ଭୁବନେଶ୍ୱର ଚାପ୍ଟର ଦ୍ୱାରା ଆୟୋଜିତ ଏହି ସମ୍ମିଳନୀ ଓଡ଼ିଶାର ବିଭିନ୍ନ ଶିଳ୍ପକୁ ଏକତ୍ର କରି “ଆତ୍ମ ନିର୍ଭର ବିକଶିତ ଭାରତ ପାଇଁ ଗୁଣବତ୍ତା ଧାରଣା” ଥିମ୍ରେ ନୂତନ ଓ ନିରନ୍ତର ଉନ୍ନତିକୁ ପ୍ରଦର୍ଶନ କରିଥିଲା।
QCFI ଗୁଣବତ୍ତା ସ୍ୱୀକୃତି ପାଇଁ ଏକ ଅଗ୍ରଣୀ ଓ ପ୍ରତିଷ୍ଠିତ ସଂଗଠନ ଭାବେ ପରିଚିତ। ଯାହା କାର୍ଯ୍ୟକ୍ଷେତ୍ରରେ ଉତ୍ପାଦନଶୀଳତା ଓ ସୁରକ୍ଷାକୁ ବୃଦ୍ଧି କରୁଥିବା ନୂତନ ଓ ସ୍ଥାୟୀ ଅଭ୍ୟାସକୁ ପ୍ରୋତ୍ସାହିତ କରେ। ଏହି କାର୍ଯ୍ୟକ୍ରମରେ ଓଏମସିର ଟିମ୍ଗୁଡ଼ିକ ନୂତନ, ଟିମ୍ୱାର୍କ ଓ ସମସ୍ୟା ସମାଧାନ ଦକ୍ଷତା ପାଇଁ ପ୍ରଶଂସିତ ହୋଇଛନ୍ତି। ମୋଟ ୨୨ଟି ଟିମ୍ ଖଣି ଓ ପ୍ଲାଣ୍ଟରୁ ଉତ୍ପାଦନ, ବିକ୍ରୟ, ପରିବେଶ, ସୁରକ୍ଷା, ଆଇଟି, ଗୁଣବତ୍ତା ନିୟନ୍ତ୍ରଣ ଓ ସ୍ୱାସ୍ଥ୍ୟ ସେବା ଆଦି ବିଷୟରେ ପ୍ରକଳ୍ପ ଉପସ୍ଥାପନ କରିଥିଲେ। ସ୍ୱର୍ଣ୍ଣ ପୁରସ୍କାର ଜିତିଥିବା ଟିମ୍ଗୁଡ଼ିକ ଏବେ ଆଗାମୀ ନ୍ୟାସନାଲ କନଭେନସନ ଅନ୍ କ୍ୱାଲିଟି କନସେପ୍ଟସ (NCQC-2025)ରେ ଓଏମସିକୁ ପ୍ରତିନିଧିତ୍ୱ କରିବେ।
ଓଏମସିର କ୍ୱାଲିଟି ସର୍କଲ ଟିମ୍ଗୁଡ଼ିକ QCFI ମଞ୍ଚରେ ନିରନ୍ତର ସଫଳତା ହାସଲ କରିଆସୁଛନ୍ତି। ପୂର୍ବରୁ ମଧ୍ୟ ସେମାନେ CCQCରେ ସ୍ୱର୍ଣ୍ଣ ଓ ରୌପ୍ୟ ପୁରସ୍କାର ସହ NCQCରେ ପାର ଏକ୍ସଲେନ୍ସ ଓ ଏକ୍ସଲେନ୍ସ ପୁରସ୍କାର ଜିତିଛନ୍ତି। ୨୦୨୩ରେ ଚୀନର ବେଜିଂରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ କନଭେନସନ ଅନ୍ କ୍ୱାଲିଟି କଣ୍ଟ୍ରୋଲ ସର୍କଲ (ICQCC)ରେ ଓଏମସି ଦୁଇଟି ସ୍ୱର୍ଣ୍ଣ ପୁରସ୍କାର ହାସଲ କରି ଖଣି କ୍ଷେତ୍ରରେ ଗୁଣବତ୍ତା ଉତ୍କର୍ଷତାରେ ନିଜର ନେତୃତ୍ୱ ପ୍ରମାଣ କରିଛି।
ଭାରତର ଅଗ୍ରଣୀ ଖଣି କମ୍ପାନୀଗୁଡ଼ିକ ମଧ୍ୟରୁ ଅନ୍ୟତମ ଓଏମସି ବର୍ତ୍ତମାନ ଓଡ଼ିଶାରେ ୧୯ଟି ଖଣି ପରିଚାଳନା କରୁଛି। ଓଏମସି ଦ୍ୱାରା ଖଣିଜ ଯେପରି କ୍ରୋମ, ଲୌହ ଓ ବକ୍ସାଇଟ ଖଣିଜ ଖନନ କରାଯାଏ। ଯାହା ଷ୍ଟିଲ, ସ୍ପଞ୍ଜ ଆଇରନ, ପିଗ ଆଇରନ, ଆଲୁମିନିୟମ, ଫେରୋ-ମାଙ୍ଗାନିଜ, ଫେରୋ-କ୍ରୋମ ଆଦି ଖଣିଜ ଆଧାରିତ ଶିଳ୍ପର ଆବଶ୍ୟକତା ପୂରଣ କରିଥାଏ।