ନୂଆଦିଲ୍ଲୀ ୦୫/୧୨: ପରମାଣୁ ଯୁଦ୍ଧ ହେଲେ, ମଣିଷର ପରିଚୟ ବଦଳିଯିବ । ଗୋଟିଏ ପରମାଣୁ ଯୁଦ୍ଧ ନୂଆ ବିକାଶବାଦୀ ପରିବର୍ତ୍ତନକୁ ଜନ୍ମ ଦେଇପାରେ ।  ସଦ୍ୟ ଅଧ୍ୟୟନରୁ ଏହା ସାମ୍ନାକୁ ଆସିଛି । ଅକ୍ସଫୋର୍ଡ  ବିଶ୍ୱବିଦ୍ୟାଳୟର ପ୍ରଫେସର ଟିମ୍‌ କୁଲ୍‌ସନ ଏହି  ଦାବି କରିଛନ୍ତି। କୁଲ୍‌ସନ ରୟାଲ ସୋସାଇଟି  ଦ୍ୱାରା ସମ୍ମାନିତ ଜଣେ ପ୍ରତିଷ୍ଠିତ ପ୍ରାଣୀ ବିଜ୍ଞାନୀ ଓ  ଜୀବବିଜ୍ଞାନୀ । 

କୁଲ୍‌ସନ କହିଛନ୍ତି, ବୈଶ୍ୱିକ ପରମାଣୁ ଯୁଦ୍ଧ ପରେ  ପ୍ରାକୃତିକ ଚୟନ ବଂଶାନୁକ୍ରମିକ ପରିବର୍ତ୍ତନକୁ  ପ୍ରୋତ୍ସାହିତ କରିପାରେ । ଯାହା ଦ୍ୱାରା ସମାଜ ନଷ୍ଟ  ହେବା ପରେ ମାନବତାକୁ ଜୀବିତ ରଖିବାରେ  ସହାୟକ ହୋଇପାରିବ । ଏହା ଦ୍ୱାରା ‘ସୁପର୍‌ହ୍ୟୁମାନ୍‌’  ସୃଷ୍ଟି ହୋଇପାରନ୍ତି, ଯିଏ ବର୍ତ୍ତମାନର ମନୁଷ୍ୟ  ତୁଳନାରେ ଅଧିକ ଶକ୍ତିଶାଳୀ, ଫିଟ୍‌ ଓ ଯୁଦ୍ଧରେ ଅଧିକ  ପାରଙ୍ଗମ ହେବେ । 

କୁଲ୍‌ସନ ଅନୁମାନ କରିଛନ୍ତି,  ଆମେ କଠୋର ପରିବେଶରେ ସମସ୍ୟାଗୁଡ଼ିକର  ମୁକାବିଲା କରିବା, ଆଶ୍ରୟସ୍ଥଳୀ ପ୍ରସ୍ତୁତ କରିବା  ଏବଂ ହରାଇଥିବା କୌଶଳ ଓ ବିଜ୍ଞାନକୁ ଏକସଙ୍ଗେ  ଯୋଡ଼ିବା ପାଇଁ ‘ହାଇପର ଇଣ୍ଟେଲିଜେନ୍ସ’ ପ୍ରାପ୍ତ  କରିପାରିବା । ତାଙ୍କର ଦାବି ଯେ ମନୁଷ୍ୟ ସଙ୍କୁଚିତ  ହୋଇପାରେ ଏବଂ ବାଦୁଡ଼ି ଭଳି ଉଡ଼ିବା ପାଇଁ ତା’ର  ଡେଣା ବିକଶିତ ହୋଇପାରେ । ଏହା ତାକୁ ବିପଦରୁ  ରକ୍ଷା କରିପାରିବ । କୁଲ୍‌ସନ ନିଜର ନୂଆ ପୁସ୍ତକ ‘ଦ ୟୁନିଭର୍ସାଲ ହିଷ୍ଟ୍ରୀ  ଅଫ୍‌ ଅସ୍‌: ୧୩.୮ ବିଲିଅନ୍‌-ଇୟର ଟେଲ୍‌ ଫ୍ରମ୍‌ ଦ  ବିଗ୍‌ ବ୍ୟାଙ୍ଗ୍‌ ଟୁ ୟୁ’ରେ ସମୟର ପ୍ରାରମ୍ଭରୁ ବର୍ତ୍ତମାନ  ପର୍ଯ୍ୟନ୍ତ ମଣିଷର ବିକାଶ ବିଷୟରେ ତଥ୍ୟ ଏକତ୍ର  କରିଛନ୍ତି । ଦ ୟୁରୋପିୟନ୍‌ ପତ୍ରିକାରେ ସେ ଲେଖିଛନ୍ତି  ‘ମଣିଷ ରୂପରେ ବଡ଼ ପରିବର୍ତ୍ତନରେ ଲକ୍ଷାଧିକ  ବର୍ଷ ଲାଗିବ । କିନ୍ତୁ ୩ୟ ବିଶ୍ୱଯୁଦ୍ଧରୁ ଏହା ଆରମ୍ଭ  ହୋଇପାରେ । 

ସେ କହିଛନ୍ତି ‘ଭବିଷ୍ୟତରେ, ମଣିଷ ଅତ୍ୟଧିକ  ବୁଦ୍ଧିମାନ ହୋଇପାରେ । ତା’ ପାଖରେ ଅସାଧାରଣ  ଇନ୍ଦ୍ରିୟ, ଅବିଶ୍ୱସନୀୟ ଶାରୀରିକ ଶକ୍ତି, ଆର୍ମଡିଲୋ  ଭଳି କବଚ ବା ବାଦୁଡ଼ି ଭଳି ଉଡ଼ିବାର କ୍ଷମତା  ବିକଶିତ ହୋଇପାରେ । ଏ କଥା କଳ୍ପନା ଭଳି ମନେ  ହେଉଥିବ । କିନ୍ତୁ ମୋର ବହୁତ ସନ୍ଦେହ ହେଉଛି  ଯେ କେହି ବି ଏହା ଭବିଷ୍ୟବାଣୀ କରିପାରିଥାନ୍ତା  ଯେ ପ୍ରଥମ ଜନ୍ତୁ, ଯାହା ବୋଧହୁଏ ଏକ ଛୋଟ  ଜେଲିଫିଶ୍‌ ଭଳି ଦିଶୁଥିଲା ଏବଂ ଅଧା ଅରବ ବର୍ଷ  ପୂର୍ବେ ବିଚରଣ କରୁଥିଲା, ଶେଷରେ ମନୁଷ୍ୟରେ  ବିକଶିତ ହେବ ।’ 

ଏହା ମଣିଷରୁ ସୁପରହ୍ୟୁମାନ୍‌ ହେବାର ଏକ ବହୁତ ବଡ଼ ଲମ୍ଫ । ତଥାପି ଆମେ ଜାଣୁ ଯେ ପ୍ରଥମେ ସରଳ  ଜନ୍ତୁ ବିକଶିତ ହୋଇ ବର୍ତ୍ତମାନ ଜୀବିତ ସମସ୍ତ ଜନ୍ତୁଙ୍କୁ  ଜନ୍ମ ଦେଲେ । ଏଥିରେ ଆମେ ଅର୍ଥାତ୍‌ ମନୁଷ୍ୟ ମଧ୍ୟ  ସାମିଲ । ବିକାଶ ସେହି ପ୍ରକ୍ରିୟା, ଯାହା ଦ୍ୱାରା ମାନବ  ସହିତ ପ୍ରଜାତିମାନେ ବଂଶାନୁକ୍ରମିକ ଓ ପ୍ରାକୃତିକ  ଚୟନ ମାଧ୍ୟମରେ ସମୟ ସହ ବଦଳନ୍ତି ।  

କୁଲ୍‌ସନଙ୍କ ଅନୁସାରେ, ବିଶିଷ୍ଟ ପରିବେଶରେ ଜୀବିତ ରହିବା ଓ ପ୍ରଜନନକୁ ଉତ୍ତମ କରୁଥିବା ଲକ୍ଷଣ ଧୀରେ ଧୀରେ ପ୍ରଜାତିଙ୍କୁ ଆକାର ଦେଇ ଆଗକୁ ବଢ଼ନ୍ତି । ତେବେ ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ, ରୋଗ ଓ ଜଳବାୟୁ ପରିବର୍ତ୍ତନ ଭଳି ପ୍ରମୁଖ ଘଟଣା ପୂର୍ବ  ସଭ୍ୟତାଗୁଡ଼ିକୁ ନଷ୍ଟ କରିଦେଇଛି । ଏ ସମସ୍ତ ଘଟଣା  ବିକାଶବାଦ ଦିଗରେ ଗୁରୁତ୍ୱପୂର୍ଣ୍ଣ ବଂଶାନୁକ୍ରମିକ  ପରିବର୍ତ୍ତନ ଆଣିପାରନ୍ତି । 

୩ୟ ବିଶ୍ୱଯୁଦ୍ଧ ହେଲେ, ପରମାଣୁ ବିସ୍ଫୋରଣରୁ  ହଠାତ୍‌ ଖାଦ୍ୟାଭାବ ଦେଖାଦେବ ଏବଂ ବାସସ୍ଥାନର  ବିନାଶ ହୋଇପାରେ । ଏଭଳି ଘଟଣା ମାନବ ଜାତିର ବିକାଶକୁ ଗତି ଦେଇପାରେ ଏବଂ ଅଲୌକିକ  ଗୁଣସବୁ ବିକଶିତ ହୋଇପାରେ । 

କୁଲ୍‌ସନ କହିଛନ୍ତି, ଆମେ ନିଜ ପରିବେଶର ଅନେକ  ଦିଗକୁ ପରିବର୍ତ୍ତନ କରୁଛୁ । ଆମ ବିକାଶ ଉପରେ  ଏହାର ପ୍ରଭାବକୁ ଆମକୁ ଅଣଦେଖା କରିବା ଉଚିତ୍‌  ନୁହେଁ । ଯେତେବେଳେ ଆମ ସଭ୍ୟତାର ପତନ  ହେବ, ଆମ ପରିବେଶ ନାଟକୀୟ ରୂପେ ବଦଳିଯିବ ।  ପ୍ରାଚୀନ ମିଶରଠୁ ମାୟା ପର୍ଯ୍ୟନ୍ତ ସମସ୍ତ ପୂର୍ବ ସଭ୍ୟତା  ନଷ୍ଟ ହୋଇସାରିଛି । ଆମ ସଭ୍ୟତା ମଧ୍ୟ ଏହାଠୁ  ଭିନ୍ନ ନୁହେଁ ।