ଗାଜିଆବାଦ: ଅଭିନେତ୍ରୀ ଦିଶା ପଟାନୀଙ୍କ ବାରେଲୀସ୍ଥିତ ଘର ବାହାରେ ଗତ ଶୁକ୍ରବାର ଗୁଳିଚାଳନ କରିଥିବା ଦୁଇ ସୁଟରଙ୍କୁ ଏନକାଉଣ୍ଟର କଲା ପୋଲିସ। ଦିଲ୍ଲୀ ପୋଲିସ, ଉତ୍ତରପ୍ରଦେଶ ଏସଟିଏଫ ଓ ହରିୟାଣା ଏସଟିଏଫର ମିଳିତ ଅଭିଯାନରେ ଗାଜିଆବାଦର ଟ୍ରୋନିକା ସିଟି ନିକଟରେ ଗୁରୁବାର ସୁଟର ଦ୍ୱୟଙ୍କୁ ଏନକାଉଣ୍ଟର କରାଯାଇଥିଲା। ଏହି ଦୁଇ ସୁଟର ଗୁଳିବିଦ୍ଧ ହୋଇ ଗୁରୁତର ଆହତ ହେବା ପରେ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ପୋଲିସ ଏନକାଉଣ୍ଟର ସ୍ଥାନରୁ ଏକ ଗ୍ଲକ ପିସ୍ତଲ ଏକ ଜିଗାନା ପିସ୍ତଲ ଓ କିଛି ଜୀବନ୍ତ ଗୁଳି ଜବତ କରିଛି।
ଏହି ସୁଟରମାନେ ରୋହିତ ଗୋଦାରା-ଗୋଲ୍ଡି ବ୍ରାର ଗ୍ୟାଙ୍ଗର ସଦସ୍ୟ ଥିଲେ। ସେପ୍ଟେମ୍ବର ୧୨ ତାରିଖ ଭୋର ୩ଟା ୩୦ ସମୟରେ ସେମାନେ ଦିଶାଙ୍କ ପିତା ଜଗଦୀଶ ପଟାନୀ (ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ)ଙ୍କ ଘର ବାହାରେ ବାଇକରେ ଆସି ଗୁଳିଚାଳନା କରିଥିଲେ। ଗୋଲ୍ଡି ବ୍ରାର ଗ୍ୟାଙ୍ଗ ସୋସିଆଲ ମିଡିଆରେ ଏହାର ଦାୟିତ୍ୱ ନେଇ ଦାବି କରିଥିଲା ଯେ ପଟାନୀ ପରିବାର ସନାତନ ଧର୍ମର ଅପମାନ କରିଛି। ବିଶେଷତ ପ୍ରେମାନନ୍ଦ ମହାରାଜ ଓ ଅନିରୁଦ୍ଧାଚାର୍ଯ୍ୟ ମହାରାଜଙ୍କ ବିରୋଧରେ ବିବାଦପୂର୍ଣ୍ଣ ମନ୍ତବ୍ୟ ଦେଇ ସନାତନ ଧର୍ମ ଉପରେ ଆଞ୍ଚ ଆଣିଛି। ଜଗଦୀଶ ପଟାନୀ ସେତେବେଳେ ଘରେ ଥାଇ ନିଜ ପାଳିତ କୁକୁରମାନଙ୍କ ଭୁକିବା ଶୁଣି ବାଲକୋନୀର ଏକ ଖମ୍ଭ ପଛରେ ଲୁଚି ରହିଥିଲେ। ଯେଉଁଥିପାଇଁ ସେ ସୁଟରମାନଙ୍କ ଦୁଳିଚାଳନାରୁ ବର୍ତ୍ତୀଯାଇଥିଲେ।
ତେବେ ପୋଲିସ ଏନକାଉଣ୍ଟରରେ ନିହତ ଗୁଣ୍ଡମାନଙ୍କ ନାମ ରବିନ୍ଦ୍ର ଉର୍ଫ କଲ୍ଲୁ (ରୋହତକ) ଓ ଆରୁଣ (ସୋନୀପତ) ବୋଲି ଜଣାପଡିଛି। ପୋଲିସ ସେମାନଙ୍କୁ ଗୁଳିଚାଳନରେ ବ୍ୟବହୃତ ବାଇକ ଦ୍ୱାରା ଟ୍ରାକ କରିଥିଲା। ଏନକାଉଣ୍ଟରରେ ସେମାନେ ଗୁରୁତର ଆହତ ହୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ବାରେଲୀ ପୋଲିସ ଏକ ମାମଲା ରୁଜୁ କରି ପଟାନୀଙ୍କ ରହଣୀସ୍ଥଳ ଆଖପାଖରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧିକରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ମାମଲାର ତୁରନ୍ତ ସମାଧାନ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ଓ ଜଗଦୀଶ ପଟାନୀଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇଥିଲେ। ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଅନୁସନ୍ଧାନ ଜାରୀ ରହିଛି।