ଭୁବନେଶ୍ବର, ୧୭/୯ : ଜଗନ୍ନାଥପ୍ରସାଦ ଥାନା ହାଜତ ମୃତ୍ୟୁ ମାମଲାରେ ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ । ପୂର୍ବରୁ ଅଢେଇ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ଅବଶିଷ୍ଟ ୫ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ୨ ମାସ ମଧ୍ୟରେ ଦେବାକୁ ରାଜ୍ୟ ଗୃହ ସଚିବଙ୍କୁ ନିର୍ଦ୍ଦେଶ ହୋଇଛି । ସୂଚନା ଅନୁଯାୟୀ, ୨୦୧୫ ମସିହା ଜୁନ ୮ ତାରିଖରେ ଗ ପଟାଧାର ଗ୍ରାମର ଗୌରହରି ସ୍ୱାଇଁଙ୍କୁ ଜଗନ୍ନାଥପ୍ରସାଦ ଥାନା ପୁଲିସ ଉଠାଇ ଆଣିଥିଲା। ଚୋରି ଅଭିଯୋଗରେ ଗୌରହରିଙ୍କୁ ବେଆଇନ ଭାବେ ଅଟକ ରଖିବା ସହ ହାଜତରେ ଶାରୀରିକ ନିର୍ଯାତନା ଦେଇଥିଲା ପୁଲିସ। ଯାହାଦ୍ୱାରା ୯ ତାରିଖରେ ଗୌରହରିଙ୍କ ମୃତ୍ୟ ହୋଇଥିଲା ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ । ମୃତକଙ୍କ ପତ୍ନୀଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ ହୋଇଥଲା। ପରବର୍ତ୍ତୀ ସମୟରେ ରାଜ୍ୟ ପୁଲିସ ବିଭାଗର ମାନବାଧିକାର ସୁରକ୍ଷା ସେଲ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ୧୧.୦୨.୨୦୨୩ରେ ଚାର୍ଜସିଟ୍ ଦାଖଲ କରିଛନ୍ତି। ପୁଣି ଭଞ୍ଜନଗର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମଧ୍ୟ ତଦନ୍ତ କରି ଗୌରହରି ସ୍ଵାଇଁଙ୍କ ମୃତ୍ୟୁ ଏକ ହାଜତ ମୃତ୍ୟୁ ବୋଲି ଦର୍ଶାଇଛନ୍ତି। ଏସବୁ ତଥ୍ୟକୁ ଭିତ୍ତି କରି ମାନବାଧିକାର କମିସନ ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି।