ଭୁବନେଶ୍ୱର,୧୨/୧୦: ଓଡ଼ିଆ ଫିଚର୍ ଫିଲ୍ମ ‘ଜୀବନ ଦାନ- ପୁନରୁଦ୍ଧାର’ର ଟ୍ରେଲର୍ ଲଞ୍ଚ ହୋଇଛି । ଚଳଚ୍ଚିତ୍ର ସହ ଜଡ଼ିତ ପୂରା ୟୁନିଟ୍ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଚଳଚ୍ଚିତ୍ରଟି ଆସନ୍ତା ଦୀପାବଳି ପରେ ମୁକ୍ତିଲାଭ କରିବ ବୋଲି ଶୁକ୍ରବାର ସନ୍ଧ୍ୟାରେ ଗୀତ ଗୋବିନ୍ଦ ସଦନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଘୋଷଣା ହୋଇଛି । ଜାତୀୟ ସ୍ତରରେ ପ୍ରଶଂସିତ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୌରଭ ସରକାର ଏହାର ନିର୍ଦ୍ଦେଶନା ଦେଇଛନ୍ତି ।
ପ୍ରସିଦ୍ଧ ଲେଖକ ରାଧାମୋହନ ମହାପାତ୍ରଙ୍କ ଉପନ୍ୟାସ ‘ପୃଷ୍ଠାଏ ପ୍ରଣିପାତ’ ଉପରେ ଚଳଚ୍ଚିତ୍ର ‘ଜୀବନ ଦାନ-ପୁନରୁଦ୍ଧାର’ ନିର୍ମାଣ ହୋଇଛି ଯାହା ଜଣେ ପିତା ଓ ପୁତ୍ର ମଧ୍ୟରେ ଏକ ସତ୍ୟ ଘଟଣା ଉପରେ ଆଧାରିତ । ଯେଉଁଠାରେ ପିତା ଉତ୍ତମ ଶାସନର ଉଚ୍ଚ ନୈତିକ ମାନଦଣ୍ଡ ପାଇଁ ଠିଆ ହୋଇଥିଲେ ଏବଂ ପୁତ୍ରକୁ ଆକସ୍ମିକ ଅପରାଧରୁ ଖସି ପଳେଇ ଯିବାର ଉଦ୍ୟମକୁ ସଫଳ ହେବାକୁ ଦେଇନଥିଲେ । ୧ ଘଣ୍ଟା ୪୦ ମିନିଟ୍ ଅବଧିରେ ଏମିତି ଏକ କାହାଣୀକୁ ଚିତ୍ରିତ କରାଯାଇଛି । ଏହାର ପ୍ରଯୋଜନା ଡ. ସମାପିକା ମହାପାତ୍ର କରିଥିଲା ବେଳେ ବିଭିନ୍ନ ଭୂମିକାରେ ଦୀପେଶ ସାମନ୍ତରାୟ, ଶ୍ୱେତାଶ୍ରୀ ପାଢ଼ୀ, ତରଣଜିତ୍ ଖାନ୍ନା, ରାକ୍ଷୀ ଦାଶ, ସୁବାସ ପାତ୍ର, ସତ୍ୟନାରାୟଣ ସାହୁ, ରାଜେଶ ଅଗ୍ରୱାଲ୍, ଚନ୍ଦନ ରଥ, ସୌମ୍ୟ ପ୍ରକାଶ ନାୟକ, ସୁନୀଲ ପଢ଼ିଆରୀ, ପ୍ରଦୀପ ତ୍ରିପାଠୀ, ସୁଶାନ୍ତ ଶତପଥୀ ପ୍ରମୁଖ ଅଭିନୟ କରିଛନ୍ତି । ସିନେମାଟୋଗ୍ରାଫିରେ ସୋମନାଥ ହାଲଦାର, ସମ୍ପାଦନା- ଅଭିଜିତ୍ ଘୋଷ, କଳା ନିର୍ଦ୍ଦେଶନାଜୟଦୀପ ଚାଟାର୍ଜୀ, ରୂପସଜ୍ଜା- ପୂଜା ରଏ, କଣ୍ଠଦାନ- ଆତ୍ରି ଘୋଷ । ଅନ୍ୟ ବର୍ଗରେ ଅନ୍ୟାନ୍ୟ ସଦସ୍ୟ ଚଳଚ୍ଚିତ୍ର ନିର୍ମାଣରେ ସହଯୋଗ କରିଛନ୍ତି ।