"ଅନେକ ଛାତିଥରା, ଲୋମଟାଙ୍କୁରା ଦୁର୍ଘଟଣାର ବର୍ଷ ପାଲଟିଲା ୨୦୨୪ । ମହାପ୍ରଭୁଙ୍କ ଦର୍ଶନ ପରେ କିଏ ମହାଯାତ୍ରାରେ ଗଲା ତ କିଏ ଜନ୍ମଦିନ ପାଳିବା ପରେ ଆରପାରିକୁ ଯାତ୍ରା କଲା । ପାହାଡ଼ ଘେରରେ ଥିବା ଭୟାନକ ଘାଟି ସବୁବର୍ଷ ଭଳି ଏଥର ବି ମୃତ୍ୟୁ ଫାଶ ପାଲଟିଲା । ଲାଗୁଥିଲା, ଯେମିତି ପଦାକୁ ଗୋଡ଼ କାଢ଼ିବା କ୍ଷଣି ‘ସଡ଼କ ଯମ’ ମୃତ୍ୟୁର ଜାଲ ବିଛାଇ ଛକି ବସିଥିଲା । ସଡ଼କ ଯମଠୁ ଫାଶରୁ ଅନେକ ବର୍ତ୍ତିଗଲେ, ହେଲେ ସାରା ଜୀବନ ପଙ୍ଗୁ ପାଲଟିଗଲେ ।"

୫ ଛାତିଥରା ଦୁର୍ଘଟଣା 

ମୟୂରଭଞ୍ଜ ବାଙ୍ଗିରିପୋଷି ବ୍ଲକ୍‌ ୪୯ ନଂ ଏନ୍‌ଏଚ୍‌ର ଦୁଆରଶୁଣି ଘାଟିର "ଡେଥ୍‌ ଜୋନ୍‌' ଫାଶରେ ପଡି଼ଥିଲା ଏକ ଅପେରା ପାର୍ଟି ଟ୍ରକ୍‌ । ମକର ମେଳା ଉପଲକ୍ଷେ ରାଇରଙ୍ଗପୁର ଉପଖଣ୍ଡ ବହଳଦା ବ୍ଲକ୍‌ ବାସିଙ୍ଗିରେ ଜାନୁଆରୀ ୨୦ରୁ ୨୩ ଯାଏଁ ଯାତ୍ରା ପରିବେଷଣ କରିଥିଲା ଧଉଳି ଗଣନାଟ୍ୟ । ତା’ ପରଦିନ ଲାଇଟ୍‌, ସାଉଣ୍ଡ ସରଞ୍ଜାମ ଟ୍ରକରେ ଲଦି ଅପେରା ପାର୍ଟିର କର୍ମଚାରୀମାନେ ବାଲେଶ୍ୱର ଜଳେଶ୍ୱରକୁ ଯାଉଥିଲେ । ଘନ କୁହୁଡ଼ି ସାଙ୍ଗକୁ ଲଗାଣ ବର୍ଷା ଟ୍ରକ ଚାଳକଙ୍କ ପାଇଁ କାଳ ପାଲଟିଲା । ଖସଡ଼ା ରାସ୍ତାରେ ବ୍ରେକ୍‌ ନ ଲାଗିବାରୁ ଟ୍ରକ୍‌ଟି ଭାରସାମ୍ୟ ହରାଇ ଘାଟିର ୨୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା । ୭ ଜଣଙ୍କ ଜୀବନ ଚାଲିଗଲା । ୧୦ରୁ ଅଧିକ ଗୁରୁତର ଆହତ ହେଲେ ।  ନଭେମ୍ବର ୨ରେ ସୁନ୍ଦରଗଡ଼ ହେମଗିରି ଥାନା ବିଲେଇମୁଣ୍ଡା ଅଞ୍ଚଳରେ ଘଟିଥିଲା ଲୋମଟାଙ୍କୁରା ଦୁର୍ଘଟଣା । ଗଇକନପାଲି ଛକରେ ଏକ ଟ୍ରେଲରଟାଟା ମ୍ୟାଜିକ୍‌ ମୁହାଁମୁହିଁ ଧକ୍କାରୁ ୬ଜଣଙ୍କ ଜୀବନ ଚାଲିଗଲା । ଚକାବାହାଳ ଗାଁର ମୃତକ କାର୍ତ୍ତିକ ସର୍ଦ୍ଦାରଙ୍କ ଦ୍ୱାଦଶାହ କର୍ମ ଚାଲିଥିଲା । ଛତିଶଗଡ଼ ଚକାବାହାଲ ହେମଗିରି ଥାନା କଣ୍ଡାଧୁଡ଼ା, ସମରପିଣ୍ଡା ଅଞ୍ଚଳର ୧୦ ଜଣିଆ କୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ସାରି ଟାଟା ମ୍ୟାଜିକରେ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ।  ୪୯ ନଂ ଏନ୍‌ଏଚ୍‌ର ଝାରସୁଗୁଡ଼ା ଲଖନପୁରର ଜୁନିଏନ୍‌ ଛକରେ ଫେବ୍ରୁଆରୀ ୧୧ରେ ଏକ କୋଇଲା ବୋଝେଇ ମଲ୍‌ଟି ଏକ୍ସ ଭାରୀଯାନ ଏବଂ ଯାତ୍ରୀବାହୀ ଟାଟା ମ୍ୟାଜିକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ୫ଜଣଙ୍କ ଜୀବନ ଦୀପ ଲିଭିଯାଇଗଲା । ଅନ୍ୟ ୯ଜଣ ଗୁରୁତର ଆହତ ହୋଇଥିଲେ । ପାଞ୍ଚଗାଁ ମହାସିଂହ ଛକରୁ ବେଲପାହାଡ଼କୁ କ୍ଷମତାଠାରୁ ଅଧିକ ଯାତ୍ରୀ ନେଉଥିଲା ଟାଟା ମ୍ୟାଜିକ୍‌ । ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ମଲ୍‌ଟି ଏକ୍ସ ଭାରୀଯାନ ସିଧାସଳଖ ଟାଟା ମ୍ୟାଜିକ୍‌କୁ ପିଟିଥିଲା ।  ବ୍ରହ୍ମପୁରର ସମରଝୋଳ ଛକରେ ଅଗଷ୍ଟ ୨୧ରେ ‘ଖମ୍ବେଶ୍ୱରୀ’ ଯାତ୍ରୀବାହୀ ବସ୍‌ ସହ ତେଲ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଆସିକାରୁ ବ୍ରହ୍ମପୁର ଆଡ଼କୁ ବସଟି ଏକ ଚା’ ଦୋକାନ ସାମ୍ନାରେ ଟ୍ୟାଙ୍କରକୁ ପିଟିଲା । ଚା’ ପିଉଥିବା ଲୋକଙ୍କ ଉପରକୁ ବସ୍‌ଟି ମାଡି଼ ଯାଇଥିଲେ । ୫ଜଣ ମରିଥିଲେ । ୨୦ରୁ ଅଧିକ ଆହତ ହେଲେ ।  ନଭେମ୍ବର ୨୨ରେ କୋରାପୁଟ ଜୟପୁର ଜବାକନାଡି଼ ଅଞ୍ଚଳରେ ଏକ କୁଣ୍ଡା ବୋଝେଇ ଟ୍ରକ୍‌ ୪ ଜଣ ବାଇକ୍‌ ଆରୋହୀଙ୍କୁ ଦଳି ଦେଇଥିଲା ।ଗୋଟିଏ ପରିବାରରେ ତିନି ଜଣ ଏବଂ ଜଣେ ପଡୋଶୀଙ୍କ ପ୍ରାଣବାୟୁ ଉଡି଼ଯାଇଥିଲା । 

ଏନ୍‌ଏଚ୍‌ରେ ୧୬୨ ମୃତ୍ୟୁଫାଶ

ସବୁଥର ଭଳି ଏବର୍ଷ ଜାତୀୟ ରାଜପଥ (ଏନ୍‌ଏଚ୍‌) ସର୍ବାଧିକ ମୁଣ୍ଡ ନେଇଥିଲା । ଘାଟି, ବୁଲାଣି, ରୋଡ ଜଙ୍କସନରେ ଥିବା ବ୍ଲାକ୍‌ସ୍ପଟ୍‌ ହିଁ ଏହି ସଡ଼କ ଯମର ମୃତ୍ୟୁଫାଶ ପାଲଟିଥିଲା । ସର୍ବମୋଟ ୧୬ଟି ଏନ୍‌ଏଚ୍‌ରେ ଥିବା ୧୬୨ଟି ବ୍ଲାକସ୍ପଟ୍ ପାର କରିବା ଅନେକଙ୍କ ପାଇଁ ଘାତକ ସାଜିଥିଲା । ୫୨୯ କିମି ଯାଏଁ ବ୍ୟାପିଥିବା ସବୁଠୁ ଲମ୍ବା ୧୬ ନଂ ଏନ୍‌ଏଚ୍‌ରେ ପାଦେ ପାଦେ ଜାଲ ବିଛାଇଥିଲା ଯମ । ଏହି ଏନ୍‌ଏଚ୍‌ରେ ୬୯ଟି ବ୍ଲାକସ୍ପଟ୍‌ରେ ଆଖି ପଲକ ପଡି଼ବା ଆଗରୁ ଭୟଙ୍କର ଦୁର୍ଘଟଣା ଘଟିଗଲା । କାହାର ଜୀବନ ଗଲା ତ, କିଏ ଜୀବନ ଯାକ ପଙ୍ଗୁ ପାଲଟିଲା । ୫୫ ନଂ ଏନ୍‌ଏଚ୍‌ରେ ୧୫ଟି, ୩୧୬ ଏନ୍‌ଏଚ୍‌ରେ ୧୨ଟି ଓ ୫୩ ନଂ ଏନ୍‌ଏଚ୍‌ରେ ୧୧ଟି ବ୍ଲାକସ୍ପଟ୍‌କୁ ଅତିକ୍ରମ କରିବା ଅର୍ଥ ଏକରକମର ଯମକୁ ଡାକିବା । କଟକ-ଭୁବନେଶ୍ୱର କମିଶନରେଟ୍‌ ପୁଲିସ ଅଧୀନରେ ଥିବା ୨୬ଟି ବ୍ଲାକ୍‌ସ୍ପଟ୍‌ ବି ମରଣଯନ୍ତା ପାଲଟିଥିଲା । ରାଜଧାନୀରେ ଖୋର୍ଦ୍ଧା ଗଙ୍ଗପଡ଼ାଠୁ ପାହାଳ ଯାଏଁ ଲମ୍ଵିଥିବା ୩୨ କିମି ଏନ୍‌ଏଚ୍‌ରେ ଓଭରବ୍ରିଜ୍‌ ନିର୍ମାଣ ଯୋଗୁ ଦୁର୍ଘଟଣାର ମାତ୍ରା କମିଥିଲା । ତଥାପି ପଳାଶୁଣି, ସତ୍‌ସଙ୍ଗ ବିହାର, ଜୟଦେବ ବିହାର, ଖଣ୍ଡଗିରି, ଆଇଗିଣିଆ, ଗଙ୍ଗପଡ଼ାର ବ୍ଲାକ୍‌ସ୍ପଟ୍‌ ଶତାଧିକଙ୍କ ଜୀବନ ନେଇଗଲା । କଟକ ଗ୍ରାମାଞ୍ଚଳ ଜିଲ୍ଲା ପୁଲିସରେ ୯ଟି, ଖୋର୍ଦ୍ଧାରେ ୫ଟି, ଅନୁଗୁଳରେ ୯ଟି, ଯାଜପୁରରେ ୧୩, ମୟୁରଭଞ୍ଜରେ ୧୨ଟି, ବାଲେଶ୍ୱରରେ ୧୦ଟି, ପୁରୀରେ ୧୨ଟି, ରାଉରକେଲାରେ ୮ଟି ଓ ସମ୍ବଲପୁରରରେ ୬ଟି ବ୍ଲାକସ୍ପଟ୍‌ରେ ଶହ ଶହ ଜୀବନ ଚାଲିଯାଇଥିଲା । ସବୁଥର ଭଳି ଏଥର ମଧ୍ୟ ବ୍ଲାକସ୍ପଟକୁ ୱାଇଟ୍‌ ସ୍ପଟରେ ପରିବର୍ତ୍ତନ କରିବାକୁ ଏନ୍‌ଏଚ୍‌ କର୍ତ୍ତୃପକ୍ଷ ସେତେଟା ଆଗ୍ରହ ଦେଖାଇନାହାନ୍ତି । ଏନ୍‌ଏଚ୍‌ର ରୋଡ ଡିଜାଇନ ତ୍ରୁଟି ସୁଧାରିବା ସହ ସଚେତନତା ବାର୍ତ୍ତା ବାଣ୍ଟିବାରେ ପଛେଇଛନ୍ତି ।

ଦିନକୁ ୧୪ ଜୀବନ ଦୀପ ଲିଭିଲା 

ପରିବହନ ବିଭାଗ ତଥ୍ୟ ମୁତାବକ, ଚଳିତବର୍ଷ ଦିନକୁ ପ୍ରାୟ ୧୪ ଜଣଙ୍କ ଜୀବନ ଦୀପ ଲିଭିଛି । ଅକ୍ଟୋବର ଶେଷ ସୁଦ୍ଧା ମୋଟ ୯୫୭୧ଟି ସଡ଼କ ଦୁର୍ଘଟଣା ଘଟିଛି । ଏହି ୧୦ ମାସରେ ସଡ଼କରୁ ୪୭୦୧ ଜଣଙ୍କୁ ଯମ ଉଠାଇ ନେଇଥିଲା । ଯଦି ଏହି ତଥ୍ୟକୁ ହିସାବକୁ ନେବା, ଡିସେମ୍ବର ସୁଦ୍ଧା ସାରା ରାଜ୍ୟରେ ଦୁର୍ଘଟଣା ଗ୍ରାଫ୍‌ ୧୨ ହଜାର ଟପିଯିବ । ଆଉ ୬ ହଜାର ଜୀବନ ନେଇଯିବ ଏହି ସଡ଼କ ଯମ । ରାଜ୍ୟ ସରକାରଙ୍କ ସୂଚନା ମୁତାବକ, ଗତବର୍ଷ ମୋଟ ୧୨,୦୫୨ଟି ଦୁର୍ଘଟଣାରେ ୫,୬୯୬ଜଣଙ୍କ ମୃତ୍ୟୁ ଘଟିଥିଲା । ୧୦ ହଜାର ୪୧୯ଜଣ ଆହତ ହୋଇଥିଲେ । ଦୁର୍ଘଟଣାଜନିତ ମୃତ୍ୟୁ ସୁନ୍ଦରଗଡ଼ ଜିଲ୍ଲା ସର୍ବାଗ୍ରେ ଥିଲା । ଗଲାବର୍ଷ ଏନ୍‌ଏଚ୍‌ରେ ଘଟିଥିବା ୪,୩୧୭ ଦୁର୍ଘଟଣାରେ ୨,୦୪୩ ଜଣ ମରିଥିଲେ । ରାଜ୍ୟ ରାଜପଥ (ଏସ୍‌ଏଚ୍‌)ରେ ୨,୬୪୮ଟି ଦୁର୍ଘଟଣାରେ ୧,୨୭୪ ଜଣଙ୍କ ଜୀବନ ଯାଇଥିଲା । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ପ୍ରକାଶିତ ‘ଭାରତରେ ସଡ଼କ ଦୁର୍ଘଟଣା’ ରିପୋର୍ଟ ଅନୁସାରେ ୨୦୨୨ରେ ମୋଟ ୧୧ ହଜାର ୬୬୩ ଟି ଦୁର୍ଘଟଣା ଘଟିଥିଲା । ଯାହାକି, ୨୦୨୧ ତୁଳନାରେ ୧.୪ ପ୍ରତିଶତ ଅଧିକ । ଦୁର୍ଘଟଣାରେ ପ୍ରାୟ ୫,୪୬୭ ଜଣଙ୍କ ଜୀବନ ଯାଇଥିଲା । ସରକାର ଦର୍ଶାଇଛନ୍ତି, ସୁନ୍ଦରଗଡ଼, ଗଞ୍ଜାମ, କଟକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର ଓ ଖୋର୍ଦ୍ଧା ହେଉଛି ଦୁର୍ଘଟଣାପ୍ରବଣ ଜିଲ୍ଲା । ଦ୍ରୁତଗତି ଯୋଗୁ ପ୍ରାୟ ୭୦ ପ୍ରତିଶତ ଦୁର୍ଘଟଣାର ଘଟୁଛି । ୨୦୧୯ରୁ ୨୦୨୩ ଭିତରେ ରାଜ୍ୟରେ ପ୍ରାୟ ୨୬,୩୨୫ ବ୍ୟକ୍ତିଙ୍କ ମୁଣ୍ଡ ଗଡି଼ଲାଣି । ଯେଉଁଥିରୁ ୭୦ ପ୍ରତିଶତ ହେଉଛନ୍ତି ଯୁବପିଢ଼ି । 

ଜନ୍ମଦିନ ପାଳନରୁ ମୃତ୍ୟୁ ଯାତ୍ରା

ଜୁନ ୧୬ରେ ନୂଆପଡ଼ା ଖଡ଼ିଆଳର ବ୍ୟବସାୟୀ ସୁଶାନ୍ତ ସାହୁଙ୍କ ବଡ଼ପୁଅ ଶୁଭମ ସାହୁଙ୍କ ଜନ୍ମଦିନ ଥିଲା । ଖଡ଼ିଆଳ ସାନମୁଳା ଫାର୍ମ ହାଉସ୍‌ରେ ଆୟୋଜିତ ଜନ୍ମଦିନ ପାର୍ଟିରେ ପରିବାର ଓ ସାଙ୍ଗସାଥୀ ଖୁସିରେ ଜନ୍ମଦିନ ପାଳିଲେ । ଭୋଜି ଭାତଖାଇ ରାତି ୧୧ଟାରେ ୪ ଜଣ ସାଙ୍ଗ କାର୍‌ ଯୋଗେ ଘରକୁ ଫେରୁଥିଲେ । ଲଛିପୁର ଗାଁରେ ୩୫୩ ନଂ ଏନ୍‌ଏଚ୍‌ରେ କାରଟି ଏକ ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଇଥିଲା । କାରଟି ଚୁର୍‌ମାର୍‌ ହୋଇଯାଇଥିଲା । ୪ ଜଣ ଯୁବକଙ୍କ ଜୀବନ ଯାଇଥିଲା । ଦୁର୍ଘଟଣାଟି ଏତେ ଶକ୍ତ ଥିଲା ଯେ, ଟ୍ରାକ୍ଟରର ୨ଟି ଚକ ଅଲଗା ହୋଇଗଲା । ଟ୍ରାକ୍ଟରରେ ଥିବା ୨ଜଣ ଗୁରୁତର ଆହତ ହୋଇଥିଲେ । 

କାଳ ପାଲଟିଲା କଳିଙ୍ଗା ଘାଟି

ସବୁଥର ଭଳି ଏବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ କଳିଙ୍ଗାଘାଟି ମରଣଯନ୍ତ୍ରା ପାଲଟିଥିଲା । ଅଗଷ୍ଟ ୨୨ରେ କଳିଙ୍ଗା ଛକ ଠାରୁ ମାତ୍ର ୩ କିଲାମିଟର ଦୂର ଘାଟିର ପ୍ରଥମ ବୁଲାଣିରେ ୧୨ ଚକିଆ ଏକ ଲୁହା ଚଦର ବୋଝେଇ ଟ୍ରକ୍‌ ଖସି ପଡି଼ଥିଲା । ଘଟଣାସ୍ଥଳରେ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭରଜଣକ ଗୁରୁତର ଆହତ ହୋଇଥିଲେ । ଜୁନ୍‌ ୧୭ରେ ଆନ୍ଧ୍ରର ଏକ ଟ୍ରକ୍‌ ରାଇକିଆରୁ ହଳଦୀ ବୋଝେଇ କରି ଆନ୍ଧ୍ର ପ୍ରଦେଶ ଅଭିମୁଖେ ଯାଉଥିଲା । କଳିଙ୍ଗା ଘାଟି ଗଡ଼ିବାର ମାତ୍ର ୪୩ କିମି ପରେ ଏକ ବୁଲାଣିରେ ଟ୍ରକଟି ଓଲଟି ପଡି଼ଲା । ୨ଜଣ ଆହତ ହୋଇଥିଲେ ।

ତୀର୍ଥଯାତ୍ରୀ ବସ୍‌କୁ ପିଟିଲା ଟ୍ରଲର

ଆନ୍ଧ୍ରପ୍ରଦେଶର ଅଙ୍ଗୁର ଅଞ୍ଚଳର ପର୍ଯ୍ୟଟକମାନେ ଜୁଲାଇ ୫ରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସାରି କାଶୀ ଅଭିମୁଖେ ଯାଉଥିଲେ । ଭଦ୍ରକର ୧୬ ନଂ ଏନ୍‌ଏଚ୍‌ର ଚିଙ୍ଗୁଡ଼ିପୁରରେ ତୀର୍ଥଯାତ୍ରୀଙ୍କ ବସକୁ ଧକ୍କା ଦେଇଥିଲା ଏକ ଦ୍ରୁତଗାମୀ ଟ୍ରଲର । ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଟ୍ରଲର ଡ଼୍ରାଇଭରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା ।

ଧସେଇଗଲା ୧୦୦ ଟ୍ରିପ୍ କଳାପଥର

ଯାଜପୁର ଜିଲ୍ଲା ଜେନାପୁର ଡଙ୍କାରୀ କଳାପଥର ଖଣିରେ ଏକାବେଳକେ ଶହେ ଟ୍ରିପ୍‌ କଳାପଥର ଧସେଇ ଯାଇଥିଲା । କଳାପଥର ଓ ଜେସିବି ତଳେ ୬ଜଣ ଶ୍ରମିକ ଚାପି ହୋଇଗଲେ । ୨ଦିନ ଧରି ଉଦ୍ଧାର କାର୍ଯ୍ୟ ଚାଲିଲା । ୫ଜଣ ଶ୍ରମିକ ମରଣ ସହ ଲଢ଼ି ଜୀବନ ବଞ୍ଚାଇଲେ । ଶ୍ୱାସରୁଦ୍ଧ ଯୋଗୁ ଜଣଙ୍କ ପ୍ରାଣବାୟୁ ଉଡି଼ଗଲା । ଏହି ଅଘଟଣକୁ ନେଇ ରାଜନୀତି ତେଜିଥିଲା । ତତ୍‌କାଳୀନ ବିଧାୟକଙ୍କ ଛତ୍ରଛାୟାରେ ଖଣି ଲୁଟ୍‌ ଚାଲିଥିବା ନେଇ ବିରୋଧୀ ଦଳ ଦୋଷ ଲଦିଥିଲେ । ତଦନ୍ତରୁ ଜଣାପଡି଼ଥିଲା, ଖଣି ମାଫିଆମାନେ ସବୁ ନିୟମକୁ ଦଳିମକଚି ଖଣିରୁ ରାତିଅଧିଆ ଲୁଚାଛପାରେ କଳାପଥର ଖୋଳୁଥିଲେ । 

ଗାଈ ଲଢେଇରୁ ଓଲଟିଲା ବସ୍

କନ୍ଧମାଳ ଜିଲ୍ଲା ଘୁମୁସର ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ଼ ଗ୍ରାମ ନିକଟ ବଲାଣୀ ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଗଞ୍ଜାମ ଆସିକାରୁ ରାୟଗଡ଼ାର ମୁନିଗୁଡ଼ା ଅଭିମୁଖେ ଯାଉଥିବା ‘ମାଳତୀ’ ବସ୍‌ ସାମ୍ନାକୁ ଲଢ଼େଇ କରୁଥିବା ଏକ ଗୋରୁପଲ ଚାଲି ଆସିଲେ । ଡ୍ରାଇଭର ଜଣକ ଗୋରୁଙ୍କୁ ବଞ୍ଚାଇବାକୁ ଯାଇ ଭାରସମ୍ୟ ହରାଇଲେ । ବସଟି ରାସ୍ତାକଡ଼କୁ ଓଲଟିପଡି଼ଲା । ଦୁର୍ଘଟଣାରେ ଗୋଟିଏ ଗାଈ ମରିଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଖଣ୍ଡିଆ ଖାବରା ହୋଇଥିଲେ ।

ଦୁଃଖଦ ଘଟଣାବଳୀ

-କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ଚଣ୍ଡିଖାଲ- ପାରାଦ୍ୱୀପ ୫୩ ନଂ ଏନ୍‌ଏଚ୍‌ର ଟିକପଙ୍ଗା ଛକରେ ଘଟିଥିବା ଏକ ଦୁର୍ଘଟଣା ୨ ବାଇକ୍‌ ଆରୋହୀଙ୍କ ଜୀବନ ନେଇଗଲା ।

-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା କାଣ୍ଡେଶର ନିକଟରେ ଅଟୋ ଓ ବାଇକ୍‌ ଧକ୍କା ହେବାରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା । 

-କୋରାପୁଟ ସଦର ଥାନା ଟ୍ରେନ ଓଭରବ୍ରିଜ ତଳେ ମାଲ ବୋଝେଇ ଟ୍ରକ୍‌ ସହ ବାଇକକୁ ପିଟିଥିଲା । ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିଲା।

-ଭଦ୍ରକ ଜିଲ୍ଲା ରାଣୀତାଲ ରେଳ ଫାଟକ ନିକଟରେ ଯାତ୍ରୀବାହୀ ବସ୍‌ ‘ଜୟ ରଘୁନାଥ'ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡି଼ଥିଲା । ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । 

-ରାକ୍ଷୀ ପୂର୍ଣ୍ଣିମାରେ ଶ୍ୱଶୁର ଘରେ ଭଉଣୀ ରାକ୍ଷୀ ପିନ୍ଧାଇବା ପରେ ଘରକୁ ଫେରୁଥିଲେ ମୁନା ବେହେରା । ଢେଙ୍କାନାଳ ହିନ୍ଦାଳ ଥାନାର ବରଡ଼ାପାଳ ଛକରେ ଏକ ଭାରୀ ଯାନ ଧକ୍କାରେ ତାଙ୍କ ଜୀବନ ଚାଲିଯାଇଥିଲା । 

-ଖୋର୍ଦ୍ଧାର ଧୁଆଁଳ ବିଶୁଣ୍ଡିହ ନିକଟରେ ଏକ ସ୍କର୍ପିଓ ଦୁର୍ଘଟଣାଗସ୍ତ ହୋଇଥିଲା । ୨ଜଣ ମରିଥିବା ବେଳେ ଜଣେ ଆହତ ହୋଇଥିଲେ ।

-ସୋନପୁର-ସମ୍ବଲପୁର ରାସ୍ତାର ମେଟାକାନି ମନ୍ଦିର ନିକଟ ଚା’ ଦୋକାନରେ ଚା' ପିଉଥିବା ୪ଜଣଙ୍କ ଉପରେ ଏକ ପିକଅପ୍‌ ଭ୍ୟାନ୍‌ ମାଡ଼ିଯାଇଥିଲା । ଦୁର୍ଘଟଣାରେ ୩ ଜଣଙ୍କ ପ୍ରାଣବାୟୁ ଉଡି଼ ଯାଇଥିଲା । ଜଣେ ଗୁରୁତର ଆହତ ହୋଇଥିଲେ । 

-ଫୁଲବଣୀ ବାଇପାସ୍‌ ନିକଟରେ ରାତି ୧୧ଟା ବେଳେ ଏକ ଦୃତଗାମୀ ଟ୍ରକ୍‌ ଦୁଇ ସ୍କୁଟି ଆରୋହୀଙ୍କୁ ୨୦୦ ମିଟର ଯାଏଁ ଘୋଷାଡି଼ ନେଇଥିଲା । ଘଟଣାସ୍ଥଳରେ ହିଁ ୨ଜଣଙ୍କ ମୃତ୍ୟୁ ଘଟିଥିଲା । ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କ ମର ଶରୀର ରାସ୍ତାରେ ମିଶିଯାଇଥିଲା ।

-"ଦେବୀସ୍‌ ଟ୍ୟାଲେଣ୍ଟ ଟ୍ୟୁଟୋରିଆଲ’ ଛାତ୍ରଛାତ୍ରୀଙ୍କୁ ହରିଶଙ୍କର ଅଭିମୁଖେ ପିକ୍‌ନିକ୍‌ ନେଇକି ଯାଉଥିବା ବସ୍‌ଟି ନୟାଗଡ଼ ଦଶପଲ୍ଲା ଲାରପୁରିକିଆଠାରେ ଏକ ଟ୍ରକ ଧକ୍କା ହୋଇଥିଲା । ୩ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା ।

-ନୂଆ କାର୍‌ କିଣିବା ପାଇଁ ସୋ ରୁମ୍‌ ଯାଉଥିବା ୨ ସାଙ୍ଗଙ୍କ ବାଲେଶ୍ୱର କୁରୁଡ଼ା ଓଭରବ୍ରିଜ୍‌ ଉପରେ ଏକ ବସ ସହ ଧକ୍କା ହେବାରୁ ମୃତ୍ୟୁ ଘଟିଥିଲା। 

-ରାଞ୍ଚି-ବିଜୟୱାଡ଼ା ୨୨୦ ନଂ ଏନ୍‌ଏଚ୍‌ର ବାମନଘାଟି ଦଲକି ନିକଟରେ ଯଶିପୁର ପଟୁ ଯାଉଥିବା ଏକ କାର୍‌ ସିରିଜ୍‌ ଦୁର୍ଘଟଣା ଘଟାଇଥିଲା । ହସ୍ପିଟାଲରୁ ଚିକିତ୍ସା ସାରି ଫେରିଥିବା ଜଣେ ଗର୍ଭବତୀ ମହିଳାଙ୍କ ସମେତ ୨ଜଣଙ୍କ ଜୀବନ ନେଇଗଲା । 

-ଦାଣ୍ଡବୋଷ ଛକ ଆନନ୍ଦପୁରରେ ଭାରସାମ୍ୟ ହରାଇ ଲୁହାପଥର ବୋଝେଇ ଟ୍ରକ ଜମ ସାଜି ଏକ ଚାଳିଆ ଘରକୁ ମାଡି଼ଗଲା । ଜଣେ ବୃଦ୍ଧାଙ୍କ ମୃତ୍ୟୁ ଜୀବନ ନେଇଥିଲା । ୬ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଗଲେ । 

-ବରଗଡ଼ ପାଇକମାଲରୁ ପଦ୍ମପୁରକୁ ଯାଉଥିବା ଏକ କାର ଭଗତପୁର ନିକଟରେ ଓଲଟି ପଡି଼ବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିଲା । 

-ଚାନ୍ଦିଲି ଥାନା ନିକଟରେ ସ୍କୁଟିରେ ଯାଉଥିବା ଜଣେ ମହିଳା ଓ ପୁରୁଷଙ୍କୁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲର ଚାପି ଦେଇଥିଲା । ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । 

-ନୂଆପଲ୍ଲୀ ଥାନା ଶିରିପୁର-ଡେଲଟା ରାସ୍ତାରେ ଘଟିଥିବା ଏକ ସିରିଜ୍‌ ଦୁର୍ଘଟଣା ଘଟିଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚନ୍ଦନ କୁମାର ମହାପାତ୍ରଙ୍କର ପ୍ରାଣବାୟୁ ଉଡି଼ ଯାଇଗଲା । ସେ ମୋହନଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଉଥିଲେ । -ବଲାଙ୍ଗୀର ଭବାନୀପାଟଣା-ରାଇପୁର ୧୬ ନଂ ଏନ୍‌ଏଚ୍‌ର ଜାମ ଖୁଣ୍ଟା-ବଙ୍କାପୁର ମଝିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୨ ବାଇକ୍‌ ଆରୋହୀଙ୍କ ଜୀବନ ନେଇଗଲା । 

-ଯାଜପୁର ବଡ଼ଚଣା ଥାନା କଡ଼େଇଛକରେ କୋଲକାତାରୁ ପୁରୀ ଅଭିମୁଖେ ଆସୁଥିବା ଯାତ୍ରୀବାହୀ ବସ୍‌ ଏକ ସିମେଣ୍ଟ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା । ବସର କଣ୍ଡକ୍ଟର ଓ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା । ୧୩ ଯାତ୍ରୀ ଆହତ ହୋଇଥିଲେ । 

-ବାଲୁଗାଁ ଥାନା ନାଭାଲ ଛକଠାରେଭୋର ସମୟରେ ଏକ କାରକୁ ଦୃତଗାମୀ ଟ୍ରକ ଚାପି ଦେଇଥିଲା । କାରରେ ଥିବା ୨ଜଣଙ୍କ ମୃତ୍ୟୁ ହୋଇଥିଲା । 

-ମୁନିଗୁଡ଼ାରୁ ଫୁଲବାଣୀ ଅଭିମୁଖେ ଆସୁଥିବା ସାଲୁଙ୍କି ଗାଡ଼ି ବସ୍‌ ଫିରିଙ୍ଗିଆ କାଳିଆ ସାହି ନିକଟରେ ଭାରସାମ୍ୟ ହରାଇ ଓଲଟିଥିଲା । ୩ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । 

-ବାଲେଶ୍ୱର ରେମୁଣା ଛକ ନିକଟରେ ଏକ ଅଜଣା ଟ୍ରକ ଧକ୍କା ଦେବାରୁ ମା-ପୁଅଙ୍କ ଜୀବନ ପଳାଇଥିଲା । 

-ସୁନ୍ଦରଗଡ଼ରେ ତଲସରା ଥାନା ତୁମୁଳିଆ ପେଟ୍ରୋଲ ପମ୍ପ ନିକଟରେ ରାମନବମୀ ବାଇକ ଶୋଭାଯାତ୍ରାରେ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକ ପ୍ରାଣ ହରାଇଥିଲେ । 

-ପଶ୍ଚିମବଙ୍ଗ ଆସୋନସୋଲ୍‌ ଏକ ପରିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ଫେରୁଥିଲେ । ଭଦ୍ରକ ଭଣ୍ଡାରିପୋଖରୀରେ ଚାଳକଙ୍କୁ ନିଦ ଲାଗିବାରୁ କାରଟି ଓଲଟି ପଡି଼ଥିଲା । ଦୁର୍ଘଟଣାରେ ବାପା-ପୁଅ ପ୍ରାଣ ହରାଇଥିଲେ । 

-କନ୍ଧମାଳ ଜିଲ୍ଲା ରାଇକିଆ ଥାନା ମଣ୍ଡାକିଆ ବୁଡ଼ାମାହାରେ ଦଣ୍ଡନାଚ ଦେଖି ସ୍କୁଟିରେ ଘରକୁ ଫେରୁଥିବା ୩ ଜଣଙ୍କର ପ୍ରାଣହାନି ଘଟିଥିଲା । -ଦଣ୍ଡନାଚ ପରିବେଷଣ କରି ଫେରୁଥିବା ବେଳେ ହିଞ୍ଜିଳିକାଟୁ ଥାନା ସୋମପୁର ଛକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ପଡି଼ବାରୁ ୨ ଜଣ ଦଣ୍ଡୁଆଙ୍କ ଜୀବନ ପଳାଇଥିଲା । 

-ଖୋର୍ଦ୍ଧା ତାପଙ୍ଗ ଓଭରବ୍ରିଜ୍‌ରେ ଏକ ଟ୍ରକକୁ ପଛରୁ ପିଟିବାରୁ ଶିବରାତ୍ରୀ ପାଳନ କରି ସ୍କୁଟିରେ ଘରକୁ ଫେରୁଥିବା ୨ ଯୁବକଙ୍କ ମୃତ୍ୟୁ ଘଟିଥିଲା ।