କଟକ,୨୭/୦୪: ଫୁଟବଲ୍‌ ଖେଳାଳିଙ୍କୁ  ହଷ୍ଟେଲ୍‌ରେ ରଖି ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ବନ୍ଦ କରିଦେଲା ସାଇ (ଭାରତୀୟ କ୍ରୀଡ଼ା  ପ୍ରାଧୀକରଣ) । ଆବାସିକ ବ୍ୟବସ୍ଥା ନୁହେଁ  ଏଣିକି ଡେ’ ସ୍କଲାର୍‌ ଭାବେ ଫୁଟବଲ୍‌ ଖେଳାଳିମାନେ ସାଇର ପ୍ରଶିକ୍ଷଣ ଗ୍ରହଣ  କରିବେ । ସାଇ କର୍ତ୍ତୃପକ୍ଷଙ୍କ ଏ ନିଷ୍ପତ୍ତିକୁ ନେଇ  ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ନିଷ୍ପତ୍ତି  ଯୋଗୁଁ ଖେଳାଳିଙ୍କ ଶୃଙ୍ଖଳା ରହିବ ନାହିଁ ।  ଏହାସହିତ ହାତରୁ ଖାଇ ଖେଳିବାକୁ ବାଧ୍ୟ  ହେଲେ ଖେଳାଳି । ଗୁରୁତ୍ୱପୂର୍ଣ୍ଣ କଥା ହେଲା,  ଏଭଳି ବ୍ୟବସ୍ଥା ଫଳରେ କେବଳ କଟକ  ସହରର ଖେଳାଳିମାନେ ଅଧିକ ଉପକୃତ  ହେବେ । ଅନ୍ୟ ଜିଲ୍ଲାର ଖେଳାଳିମାନେ ଫୁଟବଲ୍‌  ପ୍ରଶିକ୍ଷଣ ଗ୍ରହଣ କରିବାକୁ ଚାହୁଁଥିଲେ ସେମାନେ  କଟକରେ ଭଡ଼ା ଘର ସହିତ ଖାଦ୍ୟପେୟ ଓ  ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବାକୁ ବାଧ୍ୟ ହେବେ ।  ତେଣୁ ଅନ୍ୟ ଜିଲ୍ଲାରୁ ଖେଳାଳିମାନେ ସାଇ  ହଷ୍ଟେଲ୍‌ ଅନ୍ତେବାସୀ ହେବାକୁ ଚାହିଁବେନାହିଁ । 

୧୯୮୭ ମସିହା ମାର୍ଚ୍ଚ ୨୬ତାରିଖରୁ  କଟକରେ ପ୍ରତିଷ୍ଠା ହୋଇଛି ସାଇ ଟ୍ରେନିଂ  ସେଣ୍ଟର । ଆଥ୍‌ଲେଟିକ୍ସ, ବାସ୍କେଟବଲ୍‌,  ଫୁଟବଲ, ଭଲିବଲ ଭଳି ବିଭିନ୍ନ ଖେଳକୁଦ  ଏଥିରେ ସାମିଲ ରହିଛି । ଦୀର୍ଘ ବର୍ଷ ଧରି କଟକ  ସାଇ ଟ୍ରେନିଂ ସେଣ୍ଟରକୁ ଉଠାଇ ନେବାକୁ ମସୁଧା ଚାଲିଆସିଛି । କଟକରେ ହଷ୍ଟେଲ୍‌ ଭିତ୍ତିଭୂମି  ନଥିବା ଦର୍ଶାଇ କିଛି ବର୍ଷ ପୂର୍ବରୁ ହଷ୍ଟେଲ୍‌  ଉଠାଇ ନେବାକୁ ସବୁ ଯୋଜନା କରାଯାଇଥିଲା । କିନ୍ତୁ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ୍‌  ସହଯୋଗରେ ବାରବାଟୀ ଷ୍ଟାଡିୟମ୍‌ ପରିସରରେ  ସାଇକୁ ହଷ୍ଟେଲ୍‌ ଚଳାଇବା ପାଇଁ ସୁବିଧା  ପ୍ରଦାନ କରାଗଲା । ଯାହାଫଳରେ ସେବେଠାରୁ  ବାରବାଟୀ ଷ୍ଟାଡିୟମ୍‌ ଭିତରେ ସାଇ ଟ୍ରେନିଂ  ସେଣ୍ଟର ପରିଚାଳିତ ହେଉଛି । ଫୁଟବଲ୍‌ ସାଇ ହଷ୍ଟେଲର ଏକ ପ୍ରମୁଖ  ବିଭାଗ । ଏଠାରୁ ପୂର୍ବରୁ ବହୁ ଜାତୀୟ ଓ  ଅନ୍ତର୍ଜାତୀୟ ସ୍ତରର ଖେଳାଳି ବାହାରିଛନ୍ତି । 

ଦୀର୍ଘ  ଚାରି ଦଶନ୍ଧି ଧରି ରାଜ୍ୟ ଫୁଟବଲ୍‌ ଜଗତକୁ  ପ୍ରତିଭା ଯୋଗାଉଥିବା ଏହି ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା  ହେବା ଦିନରୁ ଅନ୍ତେବାସୀଙ୍କ ଲାଗି ଆବାସିକ  (ରେସିଡେନ୍ସିଆଲ୍‌) ବ୍ୟବସ୍ଥା ରହିଥିଲା । ୩୦ଜଣ  ମହିଳା ଓ ପୁରୁଷ ଖେଳାଳି ହଷ୍ଟେଲରେ ରହି  ଖେଳିବାର ସୁଯୋଗ ପାଉଥିଲେ। କିନ୍ତୁ ଏବେ  ଏ ବ୍ୟବସ୍ଥାକୁ ବନ୍ଦ କରିଦିଆଯାଇଛି । ଆବାସିକ  ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି । ଏବେ ୨୪ଜଣ  ଖେଳାଳି ନନ୍‌ରେସିଡେନ୍ସିଆଲ୍‌ ବ୍ୟବସ୍ଥାରେ  ସାଇ ହଷ୍ଟେଲରୁ ପ୍ରଶିକ୍ଷଣ ଗ୍ରହଣ କରିବେ ।  ଏଥିଯୋଗୁଁ ଅନେକ ସମସ୍ୟା ସୃଷ୍ଟି ହେବାର  ଆଶଙ୍କା ରହିଛି। ପ୍ରଥମତଃ ଖେଳାଳିମାନେ  ହଷ୍ଟେଲରେ ନରହିଲେ ଶୃଙ୍ଖଳିତ ହେବା କଷ୍ଟ  ହେବ । ସେହିପରି କେବଳ କଟକ ସହର  ବା କଟକ ଜିଲ୍ଲାର ଫୁଟବଲ୍‌ ଖେଳାଳି ମାନେ  ଏହାଦ୍ୱାରା ଅଧିକ ଲାଭ ପାଇବେ । ଅନ୍ୟ  ଜିଲ୍ଲାର ଖେଳାଳିମାନେ କଟକରେ ରହି ଖର୍ଚ୍ଚାନ୍ତ  ହୋଇ ଅଭ୍ୟାସ କରିବାକୁ ଇଛୁକ ହେବେନାହିଁ । 

ଏ ସମ୍ପର୍କରେ ପୂର୍ବତନ ଜାତୀୟ ଫୁଟବଲ୍‌  ଖେଳାଳି ନିପେନ୍ଦ୍ର ଦାସଙ୍କୁ ପଚାରିବାରୁ ସେ  କହିଛନ୍ତି, ସାଇ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ଆଦୌ  ରୁଚିକର ନୁହେଁ । ଖେଳାଳିମାନଙ୍କୁ ହଷ୍ଟେଲରେ  ରହି ଅଭ୍ୟାସ କରିବାକୁ ସୁଯୋଗ ଦେଲେ ଅଧିକ  ଲାଭ ମିଳିବ । କିନ୍ତୁ ରେସିଡେନ୍ସିଆଲ୍‌ ବ୍ୟବସ୍ଥା  ଉଠାଇଦେବାକୁ ଏଭଳି ନିଷ୍ପତ୍ତି କାହିଁକି ନିଆଗଲା  ତାକୁ ନେଇ ପ୍ରଶ୍ନ ଉଠିଛି । ଅନ୍ୟପକ୍ଷରେ ଏ  ସମ୍ପର୍କରେ ସାଇ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ  ତ୍ରୈଲକ୍ୟନାଥ ସାହୁ କହିଛନ୍ତି, ଏଭଳି ନିଷ୍ପତ୍ତି  ଗତବର୍ଷ ଠାରୁ ନିଆଯାଇଥିଲା । ଯେହେତୁ  ହଷ୍ଟେଲରେ ଅନ୍ତେବାସୀ ରହିଯାଇଥିଲେ  ତେଣୁ ଶେଷ ରେସିଡେନ୍ସିଆଲ୍‌ ବ୍ୟାଚ୍‌ ଭାବେ  ସେମାନଙ୍କୁ ଗ୍ରହଣ କରାଯାଇଥିଲା । ଏଥର ଯେଉଁ  ଫୁଟବଲ୍‌ ଖେଳାଳି ସାଇରେ ରହିବେ ସେମାନେ  ରେସିଡେନ୍ସିଆଲ୍‌ ବ୍ୟବସ୍ଥାରେ ନୁହେଁ ବରଂ  ନନ୍‌ରେସିଡେନ୍ସିଆଲ୍‌ ଅନ୍ତେବାସୀ ଭାବେ ପ୍ରଶିକ୍ଷଣ  ଗ୍ରହଣ କରିବେ ।