ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ରଥ ଉପରେ କିପରି ହୁଏ ଅଧରପଣା ନୀତି ?

Published By : Rasmita Pradhan | July 7, 2025 11:35 AM

ପୁରୀ ୭/୭ : ସୁନାବେଶ’ ପରେ ଓ ‘ନୀଳାଦ୍ରିବିଜେ’ ପୂର୍ବରୁ ରଥଯାତ୍ରାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ‘ଅଧରପଣା’ । ଏଥିରେ ରଥରେ ବିଜେ କରିଥିବା ତିନି ମୁଖ୍ୟ ବିଗ୍ରହଙ୍କୁ, ସେମାନଙ୍କର ଅଧର ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ଡେଙ୍ଗା ପଣା ହାଣ୍ଡି ଭୋଗ ଲାଗେ। ପୂର୍ବେ ଶ୍ରୀଜଗନ୍ନାଥଙ୍କ ରଥର ବିଜେ ପ୍ରତିମା ଶ୍ରୀମଦନମୋହନ ଓ ଶ୍ରୀବଳଭଦ୍ରଙ୍କ ରଥର ବିଜେପ୍ରତିମା ରାମ ଓ କୃଷ୍ଣଙ୍କୁ ମଧ୍ୟ ଆଉ ତିନିଟି ଛୋଟ ପଣାହାଣ୍ଡି ଭୋଗ ଲାଗୁଥିଲା । କିନ୍ତୁ ଏବେ ତିନିଟି ଲେଖାଏଁ ମୋଟ ନଅଟି ପଣାହାଣ୍ଡି ଭୋଗ ଲାଗୁଛି । କିନ୍ତୁ ଏହି ପଣାଭୋଗର ବିଶେଷତ୍ୱ ହେଉଛି, ଭୋଗ ପରେ ଏହି ପଣାହାଣ୍ଡିଗୁଡ଼ିକୁ ପଣା ଥିବା ଅବସ୍ଥାରେ ଭାଙ୍ଗିଦିଆଯାଏ ।

ll କାହିଁକି ହୁଏ ଏହି ଅଧରହାଣ୍ଡି ଭଙ୍ଗା ? ll :- 

 ଏହି ଅଧରପଣା ହେଉଛି ବିଶେଷ ପ୍ରଣାଳୀରେ ପ୍ରସ୍ତୁତ ଏକ ପଣାଭୋଗ। ଏହି ଭୋଗ ଏବେ ଦ୍ୱାଦଶୀ ତିଥିରେ ହେଉଛି। କିନ୍ତୁ ଇତିହାସର ସୂତ୍ର ସୂଚାଏ ଯେ ପୂର୍ବେ ଏହା ଦଶମୀ ଦିନ ହେଉଥିଲା। ବାହୁଡ଼ା ରଥ ସିଂହଦ୍ୱାରଠାରେ ପହଞ୍ଚିବା ପରେ, ରଥାରୂଢ଼ ଠାକୁରମାନଙ୍କୁ ଏହି ଭୋଗ ଲାଗି କରାଯାଉଥିଲା । ଏହାର ସାଧାରଣ ଉଦ୍ଦେଶ୍ୟ ହେଉଛି, ଠାକୁରମାନଙ୍କର ପଥକ୍ଳାନ୍ତି ଅପନୋଦନ । କାରଣ, ଆମେ ଯେପରି ଦୂରପଥ ଅତିକ୍ରମ କରି ଆସିଲେ ପଣା, ପାଣି ପିଇ ଟିକିଏ ସାଷ୍ଟମ ହୋଇଥାଉ, ଏହା ସେହିପରି ଏକ ବିଧି । କିନ୍ତୁ ‘ଅଧରହାଣ୍ଡି ଭଙ୍ଗା’ ନୀତି ସୂଚାଏ ଯେ ପଛରେ ଆହୁରି ଗଭୀର କଥା ରହିଛି ।‘ଅଧରପଣା’ର ଇତିହାସ ଅନୁଧ୍ୟାନ କଲେ ଜଣାଯାଏ ଯେ ଏହି ନୀତି ପ୍ରଥମେ ବାହୁଡ଼ା ଦଶମୀ ଦିନ ହେଉଥିଲା । ପରେ ଏହା ଏକାଦଶୀରେ ଓ ଆହୁରି ପରେ ଦ୍ୱାଦଶୀ ଦିନ କରାଗଲା । କାରଣ, ଅନେକ ସମୟରେ ବାହୁଡ଼ାଯାତ୍ରାର ତିନି ରଥ, ସେହି ଦିନ ଆସି ସିଂହଦ୍ୱାର ଆଗରେ ପହଞ୍ଚି ପାରୁ ନଥିଲା । ତେଣୁ ଦଶମୀ ପରବର୍ତ୍ତେ ଏକାଦଶୀ ଦିନ ଦୁଇଟି କରି ତିନି ରଥରେ ଛଅ ହାଣ୍ଡି ଅଧରପଣା ଭୋଗ ହେଲା । ଦ୍ୱାଦଶୀ ଦିନ ଆଉ ଗୋଟିଏ ଲେଖାଏଁ ହାଣ୍ଡି ଅର୍ଥାତ୍ ଶେଷ ତିନି ହାଣ୍ଡି ପଣା ଭୋଗ ହେଉଥିଲା । କିନ୍ତୁ ସେଥିରେ ମଧ୍ୟ ଅସୁବିଧା ଦେଖାଦେଲା । କାରଣ, ଏକାଦଶୀ ଦିନ ସୁନାବେଶ ହେଉଥିବାରୁ, ତାହା ଦେଖିବାକୁ ବହୁ ସଂଖ୍ୟାରେ ଭକ୍ତ ଆସିଲେ । ତା’ ସାଙ୍ଗକୁ ସେଦିନ ମଧ୍ୟ ହରିଶୟନ ନୀତି ଥିବାରୁ, ଅଧରପଣା ନୀତିପାଇଁ ସମୟାଭାବ ହେଲା । ଫଳରେ ନଅହାଣ୍ଡି ଯାକ ଅଧରପଣା ଭୋଗ ଦ୍ୱାଦଶୀ ଦିନ କରାଗଲା । ରାମ ଓ କୃଷ୍ଣ ଏବଂ ମଦନମୋହନଙ୍କ ତିନି ହାଣ୍ଡି ଅଧରପଣା ଭୋଗ ମଧ୍ୟ ସେହିଦିନ ହେଉଥିଲା।

      ସପ୍ତଦଶ ଶତାବ୍ଦୀ ଶେଷ ଓ ଅଷ୍ଟାଦଶ ଶତାବ୍ଦୀ ଆରମ୍ଭ ବେଳକୁ ଶ୍ରୀଜଗନ୍ନାଥଙ୍କ ନିକଟରେ ‘ଅମୃତକୁଣ୍ଡ’ ନାମକ ଗୋଟିଏ ବିଶେଷ ପଣାଭୋଗ ହେଉଥିଲା । କିନ୍ତୁ ତାହା ଏବେ ବିଲୁପ୍ତ ହୋଇଯାଇଛି। ‘ନୀଳାଦ୍ରି ମହୋଦୟ’ରେ ମଧ୍ୟ ପଣାଭୋଗ ପ୍ରସ୍ତୁତି ହେଉଥିଲା ।ପାକକାର (ମହାସୁଆର) ଦୁଇଭାଗ ଜଳ, ଏକଭାଗ ବିମଳ (ଛାଚି ବା ଖଣ୍ଡ ବା ନବାତ)ଏବଂ ଏକଭାଗ ଲେଖାଏଁ ସିତା (ଦୁଗ୍ଧ), ଆମିକ୍ଷା (ଛେନା), ଦୁଗ୍ଧ ସାର (ସର) ଓ ପାଚିଲା କଦଳୀ ମିଶାଇ ଏହି ପଣା ପ୍ରସ୍ତୁତ କରିବେ । ସେଥିରେ କର୍ପୂର, ଗୋଲମରିଚଗୁଣ୍ଡ ଆଦି ମିଶାଇ ଏହି ‘ଅମୃତକୁଣ୍ଡ’ ମହାପ୍ରଭୁଙ୍କୁ ଅର୍ପଣ କରିବ।

      ଯେତେବେଳେ ରଥମାର୍ଗ (ବଡ଼ଦାଣ୍ଡ) ସୁଗମ ନଥିଲା । ‘ବଳଗଣ୍ଡି’ ଥିଲା ରଥର ଗୋଟିଏ ବିଶ୍ରାମ ସ୍ଥଳ । ସେତେବେଳେ ସେଠାରେ ଏହି ‘ଅମୃତକୁଣ୍ଡ’ ନାମକ ପଣା ଭୋଗ କରାଯାଉଥିଲା । ଏବେ ସେହି ଭୋଗ ବିଲୁପ୍ତ ହୋଇଯାଇଛି । କିନ୍ତୁ ‘ଅଧରପଣା’ ଭୋଗରେ ତାହାର ସ୍ପର୍ଶ ରହିଛି । ଏବେ ଦ୍ୱାଦଶୀ ଦିନ ହିଁ ତିନି ରଥରେ ତିନିଟି ଲେଖାଏଁ ନଅ ହାଣ୍ଡି ଅଧରପଣା ଭୋଗ ହେଉଛି ।

   ସୁନାବେଶର ପରଦିନ, ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ, ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଏହି ଭୋଗ ହୋଇଥାଏ । ପୂର୍ବେ ରାଘବ ଦାସ ମଠ, ବଡ଼ ଓଡ଼ିଆ ମଠ ଓ ଗଜପତି ମହାରାଜା ତିନି ରଥର ଏହି ପଣାଭୋଗ ସାମଗ୍ରୀ ଯୋଗାଉଥିଲେ । ଶ୍ରୀମନ୍ଦିରର ପରିଚାଳନା ଭାର ସରକାରଙ୍କ ହାତକୁ ଯିବା ପରେ, ଗଜପତି ମହାରାଜାଙ୍କ ପରିବର୍ତ୍ତେ ଶ୍ରୀମନ୍ଦିର ପ୍ରଶାସନ ଭୋଗ ସାମଗ୍ରୀ ଯୋଗାଉଛି । ଅନ୍ୟ ଦୁଇ ମଠର ଅଧରପଣା ସେବା ଅବ୍ୟାହତ ଅଛି।

                ଏହି ପଣାଭୋଗ ପାଇଁ ନଅଟି ସାମଗ୍ରୀ ଲାଗିଥାଏ । ସେହି ନଅ ସାମଗ୍ରୀ ହେଉଛି- କ୍ଷୀର, ସର, ଛେନା, ଛାଚି (ବା ନବାତ) ପାଚିଲା କଦଳୀ, ଗୋଲମରିଚଗୁଣ୍ଡ, ଜାଇଫଳ, କର୍ପୂର ଓ ଜଳ । ପୂର୍ବେ ଏଥିପାଇଁ ଶ୍ରୀମନ୍ଦିର ସାମ୍ନା ଦୋଳମଣ୍ଡପ ସାହିର ରାଧାବଲ୍ଲଭ ମଠରୁ ଜଳ ଅଣାଯାଉଥିଲା । କିନ୍ତୁ ଏବେ ସିଂହଦ୍ୱାର ନିକଟ ଛାଉଣୀ ମଠରୁ ଜଳ ଅଣାଯାଉଛି । ପାଣିଆପଟ ସେବକ ଶୁଦ୍ଧପୂତ ଭାବରେ ଏହି ଜଳ ଆଣୁଛନ୍ତି । ପାଳିଆ ମହାସୁଆର ବିଧି ମୁତାବକ ଏହି ପଣାଭୋଗ ପ୍ରସ୍ତୁତ କରୁଛନ୍ତି ।ଠାକୁରମାନଙ୍କ ଅଧରକୁ ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ବଡ଼, ତୁମ୍ବ ଆକୃତିର ଡେଙ୍ଗା ମାଟିପାତ୍ରରେ ଏହି ପଣାଭୋଗ କରାଯାଇଥାଏ । ପ୍ରଥମେ ବଡ଼ ପିତଳ ହଣ୍ଡାରେ ପଣା ପ୍ରସ୍ତୁତ କରାଯାଇ, ପରେ ତାହାକୁ ଅଧର ହାଣ୍ଡିରେ ଢଳାଯାଏ ।

   ପଣା ପ୍ରସ୍ତୁତିି ସମୟରେ ଶ୍ରୀଜଗନ୍ନାଥଙ୍କ ରଥରେ ତଳୁଛ ମହାପାତ୍ର, ଶ୍ରୀ ବଳଭଦ୍ରଙ୍କ ରଥରେ ଭିତରଛ ମହାପାତ୍ର, ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ କନାର ଘେର ଦେଇଥାଆନ୍ତି । ତାହା ପରେ ରଥ ଶୋଧ ହୋଇ ‘ଟେରା’ ବନ୍ଧାଯାଏ ଏବଂ ଭୋଗ ଅର୍ପଣ କରାଯାଏ । ପୂଜାପଣ୍ଡା ସେବକ ଏହି ଭୋଗ କରିଥାଆନ୍ତି । କିନ୍ତୁ ଏହାର ସବୁଠୁ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଉଛି- ଭୋଗ ହେବା ପରେ, ରଥ ଉପରେ ଏହି ହାଣ୍ଡିଗୁଡ଼ିକ ଭାଙ୍ଗି ଦିଆଯାଏ । କାହିଁକି ପ୍ରଭୁଙ୍କୁ ଅନ୍ୟ ପ୍ରସାଦ ପରି ଭକ୍ତମାନଙ୍କୁ ବିତରଣ ନ କରି ଏହି ପଣାହାଣ୍ଡିକୁ ଭାଙ୍ଗି ଦିଆଯାଏ, ସେ ସଂପର୍କରେ ଭିନ୍ନ ଭିନ୍ନ ମତ ମିଳେ । ଗୋଟିଏ ମତ ଅନୁସାରେ, ଏହା ପଛରେ ବୈଷ୍ଣବ ଧର୍ମର ପ୍ରଚ୍ଛନ୍ନ ପ୍ରଭାବ ରହିଛି । ଶ୍ରୀକୃଷ୍ଣଙ୍କ ‘ଦହିହାଣ୍ଡି ଭଙ୍ଗା’ ସହିତ ଏହାର ସଂପର୍କ ରହିଛି ।କିନ୍ତୁ ଅନ୍ୟ ମତ ଅନୁସାରେ, ତାନ୍ତ୍ରିକ ଧାରାର ବ୍ରତପାଳନକାରୀମାନେ ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରିଭୋଜନ କରିଥାଆନ୍ତି ଏବଂ ଅବଶିଷ୍ଟ ଖାଦ୍ୟ ପରଦିନ ପାଇଁ ସାଇତି ନରଖି ହାଣ୍ଡିକୁ ଭାଙ୍ଗି ଦେଇଥାଆନ୍ତି। ତୁମ୍ବ ଆକୃତିର ଅଧରହାଣ୍ଡି ପୋଡ଼ା ମାଟିର । ତା’ ତଳ ବଇଠିରେ କଞ୍ଚା ମାଟି ଦେଇ ହାଣ୍ଡିଗୁଡ଼ିକ ବସାଯାଇଥାଏ । ଭିତରେ ଥାଏ ନଅଟି ସାମଗ୍ରୀରେ ପ୍ରସ୍ତୁତ ପଣା । ତେଣୁ ‘ଶାରଦାତିଳକ’ ଗ୍ରନ୍ଥର ସୂଚନା ଆଧାରରେ କେତେକ ଏହାର ତାନ୍ତ୍ରିକ ଭିତ୍ତି ଅଛି ବୋଲି ଦର୍ଶାଇଥାଆନ୍ତି । ପୁଣି ଏହି ପଣା ପ୍ରସ୍ତୁତିରେ ୪୨ଟି କଦଳୀ ଲାଗୁଥିବାରୁ, ଏହାକୁ ତିନି ରଥର ୪୨ ଚକ ସହିତ ମଧ୍ୟ କେତେକ ଯୋଡ଼ିଥାଆନ୍ତି ।

       କିନ୍ତୁ ଭୋଗ ପରେ, ଏହି ଅଧରହାଣ୍ଡି ଭଙ୍ଗାର ଅନ୍ୟ ବିଶେଷତ୍ୱ ରହିଥିବା ଜଣାଯାଏ । ଏ ସଂପର୍କରେ କୁହାଯାଏ ଯେ ରଥଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଓ ତିନି ବିଜେ ପ୍ରତିମାଙ୍କ ସହିତ, ତିନି ରଥଧ୍ୱଜଙ୍କୁ ପ୍ରତିଦିନ ଭୋଗନୈବେଦ୍ୟ ଅର୍ପଣ କରାଯାଇଥାଏ । କିନ୍ତୁ ରଥର ପାର୍ଶ୍ୱ ଦେବଦେବୀଙ୍କୁ କୌଣସି ଭୋଗ ଅର୍ପଣ କରାଯାଇ ନଥାଏ । ପୁଣି ରଥ ସହିତ ଗୁଣ୍ଡିଚାଯାତ୍ରା ଓ ବାହୁଡ଼ାଯାତ୍ରାରେ ବହୁ ଅଶରୀରୀ ଗମନାଗମନ କରିଥାଆନ୍ତି । ଠାକୁରମାନଙ୍କ ଲାଗି ପ୍ରସାଦ ପାଇ ମୋକ୍ଷଲାଭ କରିବା ନିମନ୍ତେ ସେମାନଙ୍କର ଲାଳସା ରହିଥାଏ । ତେଣୁ ସେମାନଙ୍କର ସନ୍ତୋଷ ବିଧାନ ପାଇଁ ଏହି ପଣାହାଣ୍ଡିଗୁଡ଼ିକୁ ଭୋଗ ପରେ ଭାଙ୍ଗିଦିଆଯାଏ । ସେମାନେ ରଥର ଚାରିପଟୁ ଝରିପଡ଼ୁଥିବା ସେହି ଅମୃତ ପଣା ପାଇ ତୁଷ୍ଟ ହୁଅନ୍ତି ଓ ମୁକ୍ତିଲାଭ କରନ୍ତି । ଏଇଥିପାଇଁ ରଥରେ ଭୋଗ ହେବା ପରେ ଅଧରହାଣ୍ଡିଗୁଡ଼ିକୁ ଭାଙ୍ଗିଦିଆଯାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.