ନୂଆଦିଲ୍ଲୀ,୧୧।୧୦: ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତାକି ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ମୁତ୍ତାକିଙ୍କୁ ଆଜି ଜମିଆତ ଉଲେମା-ଇ-ହିନ୍ଦର ସଭାପତି ମୌଲାନା ଅର୍ଶଦ ମଦନି ଆଜି ଭେଟିଛନ୍ତି। ଏହା ପରେ, ଅର୍ଶଦ ମଦନି କହିଛନ୍ତି, ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ କେବଳ ଧାର୍ମିକ କିମ୍ବା ଶିକ୍ଷାଗତ ନୁହେଁ, ବରଂ ଐତିହାସିକ। ମୁଁ ତାଙ୍କୁ କହିଥିଲି, ଆମର ସମ୍ପର୍କ କେବଳ ମଦ୍ରାସା କିମ୍ବା ଶିକ୍ଷା ପର୍ଯ୍ୟନ୍ତ ସୀମିତ ନୁହେଁ। ଆଫଗାନିସ୍ତାନ ଭାରତର ସ୍ୱାଧୀନତାରେ ଅବଦାନ ରଖିଛି। ଆମର ପୂର୍ବପୁରୁଷ ଭାରତର ସ୍ୱାଧୀନତା ପାଇଁ ଲଢ଼େଇରେ ଆଫଗାନିସ୍ତାନ ମାଟି ବାଛିଥିଲେ।‘
ମୌଲାନା ଅର୍ଶଦ ମଦାନୀ ଆହୁରି କହିଛନ୍ତି, ଯେପରି ଭାରତ ବ୍ରିଟିଶକୁ ପରାସ୍ତ କରିଥିଲା, ସେହିପରି ଆଫଗାନିସ୍ତାନ ଆମେରିକା ଏବଂ ରୁଷ ଭଳି ଶକ୍ତିକୁ ପରାସ୍ତ କରିଥିଲା।’ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ମୁତାକିଙ୍କ ସହ ଏହି ସାକ୍ଷାତ ଭାରତୀୟ ମୁସଲମାନ ଏବଂ ଦାରୁଲ ଉଲୁମ ଦେଓବନ୍ଦ ଏବଂ ଆଫଗାନିସ୍ତାନ ମଧ୍ୟରେ ଗଭୀର ସମ୍ପର୍କର ପ୍ରତୀକ।
ସମାଚାର ଏଜେନ୍ସି ANIର ଏକ ରିପୋର୍ଟ ଅନୁଯାୟୀ, ଅର୍ଶଦ ମଦାନୀ କହିଛନ୍ତି ,ଧର୍ମଠାରୁ ଉପରକୁ ଉଠି ସୌହାର୍ଦ୍ଧ ଓ ଶାନ୍ତି ହେବା ଦରକାର।ଆମର ଆଲୋଚନାରେ କୌଣସି ରାଜନୈତିକ ପ୍ରସଙ୍ଗ ସାମିଲ ନଥିଲା, ବରଂ ପାରସ୍ପରିକ ସମ୍ପର୍କକୁ ମଜବୁତ କରିବା ଉପରେ ଧ୍ୟାନ ଦିଆଯାଇଥିଲା। ମଦନି ଏହା ମଧ୍ୟ କହିଛନ୍ତି, ଭାରତ ଅଭିଯୋଗ କରିଆସୁଛି ଯେ ଆଫଗାନିସ୍ତାନରୁ ଭାରତକୁ ଆତଙ୍କବାଦୀ ପଠାଯାଉଛି, କିନ୍ତୁ ଏହି ବୈଠକ ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଏବେ କୌଣସି ଆତଙ୍କବାଦୀ ଆଫଗାନିସ୍ତାନରୁ ଭାରତକୁ ଆସିବେ ନାହିଁ।