ନୂଆଦିଲ୍ଲୀ,୧୯।୧୧: ଲାଲ କିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣରେ ସନ୍ଦିଗ୍ଧ ଉମରର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ସେ ଲୋକଙ୍କ ବ୍ରେନ୍ ଓ୍ବାସ୍ କରିବାକୁ ଚେଷ୍ଟା କରୁଛି। ଏବେ ଏହା ଉପରେ AIMIM ମୁଖ୍ୟ ଓ ହାଇଦ୍ରାବାଦରୁ ସାଂସଦ ଥିବା ଅସଦୁଦ୍ଧିନ୍ ଓଓ୍ବେସୀଙ୍କ ପ୍ରତିକ୍ରିୟା ମିଳିଛି। ସେ ଦିଲ୍ଲୀ ବୋମା ବିସ୍ଫୋରଣ ଅଭିଯୁକ୍ତ ଡାକ୍ତର ଉମର ନବିର ଭିଡିଓକୁ କଡା ସମାଲୋଚନା କରିଛନ୍ତି। ଓଓ୍ବେସୀ ଜୋର ଦେଇ କହିଛନ୍ତି, ଇସ୍ଲାମରେ ଆତ୍ମହତ୍ୟା ‘ହରାମ’ ଓ ନିର୍ଦୋଷ ଲୋକଙ୍କୁ ମାରିବା ଏକ ପାପ। ଦିଲ୍ଲୀ ବିସ୍ଫୋରଣର ଅଭିଯୁକ୍ତ ଉମର ନବି, ଯାହାବି କହିଛି ତାହା ଭୁଲ। ସେ ଯାହା କରିଛି ତାହା ଦେଶର ଆଇନ ବିରୋଧରେ ରହିଛି। ଏହା ଆତଙ୍କବାଦ ଛଡା ଆଉ କିଛି ନୁହେଁ।
ସୋସିଆଲ ମିଡିଆରେ ଦିଲ୍ଲୀ ବିସ୍ଫୋରଣର ସନ୍ଦିଗ୍ଧ ଉମର ଉନ୍ ନବିର ଭିଡିଓ ଭାଇରାଲ ହେଉଛି। କିନ୍ତୁ ଏହି ଭିଡିଓ କେବେ ରେକର୍ଡ କରାଯାଇଥିଲା ତାହା ଜଣା ନାହିଁ। ଏହି ଭିଡିଓରେ ଉମର ଉନ୍ ନବି ସବୁ ପ୍ରକାର ଦଲିଲ୍ ଦେଉଛି ଓ ଆତଙ୍କୀ ଆକ୍ରମଣ ପକ୍ଷରେ କଥା ହେଉଛି। ଓଓ୍ବେସୀ ତା’ର ଏହି କଥାକୁ ଖଣ୍ଡନ କରିଛନ୍ତି ଓ ଆତ୍ମଘାତୀ କିମ୍ବା ଆତ୍ମହତ୍ୟା ଇସ୍ଲାମରେ ହରାମ ବା କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି।
ଉଲ୍ଲେଖନୀୟ ଯେ, ଗତ ନଭେମ୍ବର ୧୦ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଲାଲ୍ଲ କିଲ୍ଲା ନିକଟରେ ଚଳନ୍ତା କାରରେ ବିସ୍ଫୋରଣ ହୋଇଥିଲା। ପ୍ରଥମେ ଲୋକେ ସିଏନ ବିସ୍ଫୋରଣ ଭାବିଥିଲେ, କିନ୍ତୁ ଯେତେବେଳେ ଯାଞ୍ଚ ହୋଇଥିଲା ଜଣାପଡିଥିଲା ଆତ୍ମଘାତୀ ହମଲା ଥିଲା। ଏହି ଆତଙ୍କୀ ହମଲାରେ କାର ଡ୍ରାଇଭର ନିଜକୁ ଉଡାଇ ଦେଇଥିଲା। ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୦ ଜଣ ଆହତ ହୋଇଥିଲେ।