ନୂଆଦିଲ୍ଲୀ ୧୨/୦୧: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ଆସିଥିବା ଫିଲ୍ମ ‘ହକ୍’ ଦେଖିବା ପରେ ଅଭିନେତ୍ରୀ ୟାମି ଗୌତମଙ୍କୁ ବେଶ୍ ପ୍ରଶଂସା କରିଛନ୍ତି । ସେ ୟାମିଙ୍କୁ ଫୋନ୍ କରି ନିଜର ମତାମତ ଜଣାଇବା ସହ ସୋସିଆଲ୍ ମିଡିଆରେ ମଧ୍ୟ ଏ ସଂପର୍କରେ ଚର୍ଚ୍ଚା କରିଛନ୍ତି । ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଆଲିଆ ନିଜକୁ ୟାମିଙ୍କ ପ୍ରଶଂସକ ଭାବେ ଦର୍ଶାଇଛନ୍ତି । ସେଥିରେ ଲେଖିଛନ୍ତି, ‘ହକ୍’ରେ ଆପଣଙ୍କ ଅଭିନୟ ଅତ୍ୟନ୍ତ ଉଚ୍ଚକୋଟୀର । ତାକୁ ଦେଖି ମୁଁ ଆପଣଙ୍କର ପ୍ରଶଂସକ ପାଲଟି ଯାଇଛି । ଆପଣଙ୍କ ଆଗାମୀ ଫିଲ୍ମକୁ ଅପେକ୍ଷା ରହିଲା । ଆଲିଆଙ୍କ ସେହି ପୋଷ୍ଟ ନେଇ ୟାମି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଜଣେ ଏତେ ଭଲ ଅଭିନେତ୍ରୀ ଓ ଭଲ ମଣିଷଙ୍କ ନିକଟରୁ ଏଭଳି ପ୍ରଶଂସା ମିଳିବା ତାଙ୍କ ପାଇଁ ଖୁବ୍ ଗୁରୁତ୍ୱ ରଖିଥାଏ ବୋଲି ୟାମି ଲେଖିଛନ୍ତି ।

ଫିଲ୍ମ ‘ହକ୍’ ୧୯୮୫ ମସିହାର ଶାହ ବାନୋ ମାମଲା ଉପରେ ଆଧାରିତ ଯାହାକି ମହିଳାଙ୍କ ଅଧିକାର ସହ ଜଡ଼ିତ ସୁପ୍ରିମକୋର୍ଟଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଥିଲା । ଏହି ଫିଲ୍ମ ଗତବର୍ଷ ନଭେମ୍ବର ୭ରେ ରିଲିଜ୍ ହୋଇଥିଲା । ଇମ୍ରାନ୍ ହାସ୍ମୀ ସେଥିରେ ଓକିଲ ଭୂମିକାରେ ନଜର ଆସିଥିଲେ । ଶିବା ଚଢ୍ଢା ଏବଂ ଦାନିଶ୍ ହୁସେନଙ୍କୁ ମଧ୍ୟ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା । ‘ହକ୍’ରେ ଉଚ୍ଚକୋଟୀର ଅଭିନୟ ଲାଗି ଆଲିଆଙ୍କ ପୂର୍ବରୁ କିଆରା ଆଡ୍‌ଭାନି ଏବଂ ସଞ୍ଜୟ କପୁରଙ୍କ ପରି ବହୁ ବଲିଉଡ୍ ସେଲିବ୍ରିଟି ୟାମିଙ୍କୁ ପ୍ରଶଂସା କରିସାରିଛନ୍ତି ।