ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ନେରେଡ଼ି ପ୍ରକଳ୍ପ ବିବାଦ ଏଯାଏଁ ତୁଟିନି, ଓଡ଼ିଶା ସୀମାରେ ଆଉ ଗୋଟେ ବ୍ୟାରେଜ୍ କରିବ ଆନ୍ଧ୍ର : ପ୍ରଭାବିତ ହେବ ରାୟଗଡ଼ା ଓ କୋରାପୁଟ ଜିଲ୍ଲା

Published By : Rasmita Pradhan | April 30, 2025 1:25 PM

ରାୟଗଡ଼ା, ୩୦/୦୪ (ଗୋପରଞ୍ଜନ ବକ୍ସିପାତ୍ର) : ମାଲକାନଗିରିର ପୋଲାଭରମ୍‌ ଏବଂ ଗଜପତି ଓ ରାୟଗଡ଼ା ଜିଲ୍ଲା ସୀମାନ୍ତରେ ନେରେଡ଼ି ପ୍ରକଳ୍ପ ନିର୍ମାଣ ବିବାଦ ଏଯାଏଁ ତୁଟିନି। ଏଭଳି ସ୍ଥିତିରେ ଆନ୍ଧ୍ର ସରକାର ଓଡ଼ିଶାର ନାଗାବଳୀ ନଦୀରେ ଆଉ ଏକ ଡ୍ୟାମ୍‌ ସହ ବ୍ୟାରେଜ ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏବେ ଓଡ଼ିଶା ସୀମାରୁ ୨୦ କିମି ଦୂର ଗାଙ୍ଗରାବାଲସାଠାରେ ନୂଆ ଡ୍ୟାମ୍‌ ନିର୍ମାଣ ଲାଗି ସମସ୍ତ ପ୍ରସ୍ତୁତି ଶେଷ କରିଛି ଆନ୍ଧ୍ର। ଅଥଚ ରାଜ୍ୟ ସରକାରଙ୍କ ପାଖରେ ଏ ଖବର ନାହିଁ। 

ପଡ଼ୋଶୀ ରାଜ୍ୟ ହିସାବରେ ଓଡ଼ିଶାକୁ ଅବଗତ କରିବାକୁ ଉଚିତ୍‌ ମନେ କରିନି ଆନ୍ଧ୍ର। ଏହି ପ୍ରସ୍ତାବିତ ଡ୍ୟାମ୍‌ର ଜଳଧାରଣା କ୍ଷମତା ରହିବ ୩୦ ଲକ୍ଷ କ୍ୟୁସେକ୍‌ ଲିଟର। ନିର୍ମାଣରେ ଖର୍ଚ୍ଚ ହେବ ୧୮୧୪ କୋଟି ଟଙ୍କା। ଏହାଦ୍ୱାରା ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବ । ଡ୍ୟାମ୍‌ ନିର୍ମାଣ ହେଲେ ଏଠାରୁ ଆନ୍ଧ୍ରର ମାନ୍ୟମ, ବିଜୟନଗରମ ଏବଂ ଶ୍ରୀକାକୁଲମ ଜିଲ୍ଲାର ୩୦ ହଜାର ହେକ୍ଟର ଜମି ଜଳସେଚିତ ହେବ। ଏଥିପାଇଁ ଆନ୍ଧ୍ର ସରକାର ଅତିରିକ୍ତ ଆଉ ୪୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରୁଛନ୍ତି। ଏହାଛଡ଼ା ୧୦ଟି ମଣ୍ଡଳ ଅନ୍ତର୍ଗତ ଶତାଧିକ ଗାଁ ଓ ସହରକୁ ମଧ୍ୟ ଏହି ବ୍ୟାରେଜରୁ ପାନୀୟଜଳ ଯୋଗାଣ ହେବ। 

୨୦୨୪ ନିର୍ବାଚନ ସମୟରେ ଟିଡିପି ତରଫରୁ ଚାଷୀଙ୍କୁ ଏ ସମ୍ପର୍କରେ ପ୍ରତିଶ୍ରୁତି ଦିଆଯାଇଥିଲା। ସେହି ପ୍ରତିଶ୍ରୁତି ପାଳନ କରିବାକୁ ଯାଇ ଏହି ବୃହତ୍‌ ପ୍ରକଳ୍ପ ନିର୍ମାଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ‘ସୁଜଳା ଶ୍ରୀବନ୍ତି’ ନାଁରେ ଏହି ପ୍ରକଳ୍ପ ନିର୍ମାଣ ହେବ ବୋଲି ମାନ୍ୟମ ଜିଲ୍ଲା ପାନୀୟ ଜଳଯୋଗାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାକର ରାଓ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ପୂର୍ବରୁ ନାଗାବଳୀ ନଦୀରେ ସୋମିନାଇଡ଼ୁୱାଲସାରେ ଏକ ଡ୍ୟାମ୍‌ ଓ ବ୍ୟାରେଜ ନିର୍ମାଣ କରାଯାଇଛି । ସେଥିଲାଗି ୩୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ମାନ୍ୟମ ଜିଲ୍ଲାର ସୋମିନାଇଡ଼ୁୱାଲସାଠାରୁ ୪ କିମି ଦୂରରେ ପ୍ରଥମେ ରବର ଡ୍ୟାମ୍‌ ନିର୍ମାଣ କରାଯାଇ ବ୍ୟବହାର ହେଉଥିଲା । ପରବର୍ତ୍ତୀ ସମୟରେ ଏହାକୁ କଂକ୍ରିଟ୍‌ ଡ୍ୟାମ୍‌ରେ ପରିବର୍ତ୍ତନ କରାଯାଇଛି । ଏହାର ଜଳଧାରଣା କ୍ଷମତା ୩୫ ଲକ୍ଷ କ୍ୟୁସେକ୍‌ ଲିଟର ରହିଛି । ଏହାଦ୍ୱାରା ଆନ୍ଧ୍ରର ମାନ୍ୟମ, ବିଜୟନଗରମ ଏବଂ ଶ୍ରୀକାକୁଲମ ଜିଲ୍ଲାର ୨୭ ହଜାର ହେକ୍ଟର ଚାଷ ଜମି ଜଳସେଚିତ ହେଉଛି । ରାୟଗଡ଼ା ଜିଲ୍ଲାର ରାୟଗଡ଼ା, କଲ୍ୟାଣସିଂହପୁର ଓ କୋଲନରା ଏବଂ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକ୍‌ ଏହି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେଉଛି । 

ରାୟଗଡ଼ାରୁ ପ୍ରବାହିତ ହେଉଥିବା ନାଗାବଳୀ ଓ କୋରାପୁଟରୁ ପ୍ରବାହିତ ହେଉଥିବା ଝଞ୍ଜାବତୀ ଆନ୍ଧ୍ରର ବୋବିଲି ନିକଟରେ ମିଶିଛି । ନାଗାବଳୀରେ ଏହି ପ୍ରକଳ୍ପ ହେଲେ ଓଡ଼ିଶାର ଅନେକ ଗାଁ ଏବଂ ଚାଷ ଜମି ନଦୀ ଗର୍ଭରେ ଲୀନ ହୋଇଯିବ । ଆନ୍ଧ୍ରକୁ ଚାଲିଯିବ ପାଣି ଏବଂ ଓଡ଼ିଶାରେ ରହିଯିବ କେବଳ ବାଲି । ଚିରସ୍ରୋତା ନାଗାବଳୀ ତାହାର ଅସ୍ତିତ୍ୱ ହରାଇବ । ବର୍ଷାଋତୁରେ ନଦୀର ଉପରମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ । ଗ୍ରୀଷ୍ମରେ ଟୋପାଏ ପାଣି ରହିବନି । ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଝଞ୍ଜାବତୀ ୭୮ କିମି ଅଞ୍ଚଳରେ ପ୍ରବାହିତ ହେଉଥିବା ବେଳେ ଆନ୍ଧ୍ରରେ ମାତ୍ର ୨୬ କିମି । ତଥାପି ଆମ ସରକାର ଏହାର ସଦୁପଯୋଗ କରିପାରୁନାହାନ୍ତି । ଯାହାର ଫାଇଦା ଉଠାଉଛି ଆନ୍ଧ୍ର । ନିୟମଗିରିରେ ନାଗାବଳୀର ଜନ୍ମ । କଳାହାଣ୍ଡି ଜିଲ୍ଲାର ଲାଖବାହାଲ ଏବଂ ରାୟଗଡ଼ା ଜିଲ୍ଲା ଦେଇ ମୋଟ ୨୫୬ କିମି ଉଭୟ ଓଡ଼ିଶା ଏବଂ ଆନ୍ଧ୍ରରେ ପ୍ରବାହିତ ହେଉଛି । ନଦୀର ମୋଟ ଅବବାହିକା ହେଉଛି ୯୫୧୦ କିମି । ବାର୍ଷିକ ୨୮ ହଜାର ୫୩୦ ଘନମିଟର ଜଳ ଏହି ନଦୀରେ ପ୍ରବାହିତ ହେଉଛି । ଏବେଠୁ ଆନ୍ଧ୍ରର ପ୍ରସ୍ତାବିତ ପ୍ରକଳ୍ପକୁ ବନ୍ଦ କରାନଗଲେ ଆଗାମୀ ଦିନରେ ସମସ୍ୟା ଉତ୍କଟ ରୂପ ଧାରଣ କରିବ । 

ବିଡ଼ମ୍ବନା, ଏତେ ବାଟ ଓଡ଼ିଶାରେ ପ୍ରବାହିତ ହେଉଥିଲେ ମଧ୍ୟ ଆମ ସରକାର ଗୋଟିଏ ମଧ୍ୟ ଜଳସେଚନ ପ୍ରକଳ୍ପ ଏଥିରେ ନିର୍ମାଣ କରିପାରିନହାନ୍ତି । ନାଗାବଳୀ ଉପରେ ରାୟଗଡ଼ା ବ୍ଲକ୍‌ର ଖିଲିମିସିଗୁଡ଼ା ଓ ବେଲକଣାଠାରେ ଏକ ଜଳସେଚନ ପ୍ରକଳ୍ପ ଏବଂ ଡ୍ୟାମ୍‌ ନିର୍ମାଣ ପାଇଁ ଦୀର୍ଘବର୍ଷ ହେବ ଦାବି ହୋଇଆସୁଛି । ଅଥଚ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ନାଗାବଳୀର ବେଲକଣାଠାରେ ଏବଂ ବଂଶଧାରା ନଦୀର ଗୁଡ଼ାରୀଠାରେ ୨ଟି ପ୍ରକଳ୍ପ ନିର୍ମାଣ ନେଇ ସରକାର ଶିଳାନ୍ୟାସ କରି ଦୀର୍ଘବର୍ଷ ବିତିଗଲାଣି । ପ୍ରକଳ୍ପର ଦେଖା ନାହିଁ । ଏ ସମ୍ପର୍କରେ ରାୟଗଡ଼ା ବିଧାୟକ ଆପଲାସ୍ୱାମୀ କାଡ୍ରାକା କହିଛନ୍ତି, ଆନ୍ତରିକତାର ସହ ରାଜ୍ୟ ସରକାର ନାଗାବଳୀ, ବଂଶଧାରା, ଝଞ୍ଜାବତୀ ଓ କଲ୍ୟାଣୀ ନଦୀରେ ପ୍ରକଳ୍ପ ନିର୍ମାଣ କଲେ ଆନ୍ଧ୍ରର ବଡ଼ଭାଇ ପଣିଆ ପ୍ରତି ଉଚିତ୍‌ ଜବାବ ହେବ । ବୃହତ୍‌ ଜଳସେଚନ ବିଭାଗ ନାଗାବଳୀ ଜୋନ୍‌ ନିର୍ବାହୀ ଯନ୍ତ୍ରୀ ଦୁର୍ଯ୍ୟୋଧନ ଜାନୀ କହିଛନ୍ତି, ନାଗାବଳୀର ଉପର ମୁଣ୍ଡରେ ଜଳସେଚନ ପ୍ରକଳ୍ପ ପାଇଁ ଆମେ ସରକାରଙ୍କୁ ପ୍ରସ୍ତାବ ଦେଇଛୁ । ଖୁବ୍‌ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବା ସହିତ ଡିପିଆର୍‌ ଦାଖଲ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.